ଦିଲ୍ଲୀରେ ମୁହଁ ଖୋଲିଲେ ବିଜେଡି ସାଂସଦ: ‘ଆମେ ଏକାଠି ଅଛୁ, ନବୀନ ବାବୁ ଆମର ଧ୍ରୁବତାରା’

ଭୁବନେଶ୍ବର: ବିଜୁ ଜନତା ଦଳର ସାଂସଦମାନଙ୍କୁ ନେଇ ଅପପ୍ରଚାର ଘଟଣା । ଚର୍ଚ୍ଚା ଭିତରେ ଦିଲ୍ଲୀରେ ମୁହଁ ଖୋଲିଲେ 7ଜଣ ସାଂସଦ । ଦିଲ୍ଲୀରେ 7ଜଣ ସାଂସଦ ସାମ୍ବାଦିକ ସମ୍ମିଳନୀ କରି କ୍ଷୋଭ ଝାଡିଛନ୍ତି । ଆମେ ସର୍ବଦା ବିଜେଡି ସହିତ ରହିଛୁ ଏବଂ ଆଗକୁ ମଧ୍ୟ ରହିବୁ ବୋଲି କହିଛନ୍ତି । ଯେଉଁଭଳି ଅପପ୍ରଚାର କରାଯାଉଛି ତାହା ନିନ୍ଦନୀୟ, ଏହାକୁ ଆମେ ଦୃଢ ବିରୋଧ କରୁଛୁ ଏବଂ ସର୍ବଦା ନବୀନ ବାବୁଙ୍କ ସହିତ ଦୃଢ ଭାବେ ଛିଡା ହୋଇଛୁ ବୋଲି ସେମାନେ କହିଛନ୍ତି ।

କହିରଖୁଛୁକି, ବିଜେଡି ସାଂସଦମାନଙ୍କର ବିଜେପିରେ ସାମିଲ ନେଇ ଖବର ପ୍ରକାଶିତ ହୋଇଥିଲା । ଏହାକୁ ନେଇ ଚର୍ଚ୍ଚା ଜୋର ଧରିବା ପରେ ଆଜି ସାମ୍ବାଦିକ ସମ୍ମିଳନୀ କରି ମୁହଁ ଖୋଲିଛନ୍ତି ବିଜେଡି ସାଂସଦ । ଆମେ ନବୀନ ବାବୁଙ୍କ ସହିତ ଏକାଠି ରହିଛୁ । ଗଣମାଧ୍ୟମରେ ଯାହା ଚର୍ଚ୍ଚା ହେଉଛି ତାହା ମିଥ୍ୟା ଏବଂ ପରିକଳ୍ପିତ । ନବୀନ ବାବୁ ଆମର ଧ୍ରୁବତାରା । ଆମେ ସମସ୍ତେ ଏକାଠି ଅଛୁ ଏବଂ ବିଜେଡି ସହିତ ରହିଛୁ । ସଂସଦରେ ଉପରାଷ୍ଟ୍ରପତି ରାଜ୍ୟସଭାର ସଭାପତି, ଏହା ଏକ ସାମ୍ବିଧାନିକ ପଦ। ତାଙ୍କ ସହ ଦେଖା କରିବାରେ କୌଣସି ଭୁଲ ନାହିଁ । ଆମେ କିଛି ଦାବି ନେଇ ଉଚ୍ଛପଦାଧିକାରୀଙ୍କ ସହିତ ଭେଟିଥିଲୁ , କିନ୍ତୁ ଏହାକୁ ନେଇ ମିଛ ପ୍ରସାରଣ କରାଯାଇଥିଲା । ଆଜି ଗଣମାଧ୍ୟମ ନିଜ କର୍ତ୍ତବ୍ୟରୁ ଓହରି ଯାଇଛି । ଗଣମାଧ୍ୟମ ଖବର ପ୍ରସାରଣ ପୂର୍ବରୁ ଆମର ମତାମତ ନେବା ମଧ୍ୟ ଆବଶ୍ୟକତା ଥିଲା।  ଯଦି ଆଗକୁ ଏମିତି ହୁଏ ଆମେ ସମୟ ହିସାବରେ ପଦକ୍ଷେପ ନେବୁ ବୋଲି ବିଜେଡି ସାଂସଦମାନେ ଅସନ୍ତୋଷ ଝାଡିଛନ୍ତି ।