fbpx

ପ୍ରଚାର ମୈଦାନରେ ଆଜି ସୁପ୍ରିମୋଙ୍କ ଏଣ୍ଟ୍ରି: ପଦ୍ମପୁର ଦେଖିବ ଆଜି ଗ୍ରାଣ୍ଡମାଷ୍ଟରଙ୍କ ଗ୍ରାଣ୍ଡ ସୋ

ଭୁବନେଶ୍ୱର: ପ୍ରଚାର ମୈଦାନରେ ଆଜି ହେବ ନବୀନଙ୍କ ଏଣ୍ଟ୍ରି । ବିଜେପି ଆଉ କଂଗ୍ରେସକୁ ମାତ ଦେବା ପାଇଁ ଆଜି ସୁପ୍ରିମୋ କରିବେ ନିର୍ବାଚନ ପ୍ରଚାର । ପାଇକମାଳ, ଝାରବନ୍ଧ ଆଉ ପଦ୍ମପୁରରେ ଆଜି ହେବ ଶାସକ ଦଳର ଗ୍ରାଣ୍ଡ ସୋ । ଉପ ନିର୍ବାଚନ ପାଇଁ ଏବେ କମ୍ପୁଛି ପଦ୍ମପୁର । ଆଜି ଏହି ପ୍ରଚାର ମୈଦାନକୁ ଓହ୍ଳାଇବେ ବିଜେଡିର ସର୍ବେସର୍ବା ବୋଲାଉ ଥିବା ଓଡିଶାର ମଉଡମଣି ତଥା ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ନବୀନ କରିବେ ବର୍ଷାଙ୍କ ପାଇଁ ପ୍ରଚାର ।

ଆସନ୍ତା ୫ ତାରିଖରେ ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ଅନୁଷ୍ଠିତ ହେବ । ଏଥିନେଇ ୩ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀମାନଙ୍କ ସହ ଅନ୍ୟ ପ୍ରାର୍ଥୀମାନେ ପ୍ରଚାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାରେ ଲାଗିଛନ୍ତି । ବିଶେଷ କରି ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ଧୁଆଁଧାର ପ୍ରଚାର ଆରମ୍ଭ ହୋଇଯାଇଛି । ସବୁ ଦଳର ହେଭିୱେଟ ପଦ୍ମପୁରରେ ଡେରା ପକାଇ ଜନ ସମର୍ଥନକୁ ନିଜ ସପକ୍ଷକୁ ନେବା ପାଇଁ ସମସ୍ତ କଳବଳ ଖଟାଇ ଦେଇଛନ୍ତି ।

ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ପଦ୍ମପୁରରେ ରହି ପ୍ରଚାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିବାବେଳେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ବର୍ଷୁଛନ୍ତି । ତେବେ ଶୁକ୍ରବାର ବିଜେଡି ପ୍ରାର୍ଥୀ ବର୍ଷା ବରିହା ସିଂଙ୍କ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଚାର ମଇଦାନକୁ ଓହ୍ଲାଇବାର କାର୍ଯ୍ୟକ୍ରମ ରହିଛି । ସେ ପାଇକମାଳ, ଝାରବନ୍ଧ ଓ ପଦ୍ମପୁରରେ ଜନସଭା କରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ। ମୁଖ୍ୟମନ୍ତ୍ରୀଙ୍କ ନୀତି ଆଉ ଆଦର୍ଶ ପାଇଁ ସେ ସାରା ଓଡିଶାମାନଙ୍କ ର ପ୍ରିୟ ନେତା ପାଲଟି ପାରିଛନ୍ତି । ତେବେ ଆଜି ଯାହା ଆଶା କରାଯାଉଛି ମୁଖ୍ୟମନ୍ତ୍ରୀଙ୍କ ସେହି ଟିକିଏ ଝଲକ ଆଉ ତାଙ୍କ କଥା ଶୁଣିବା ପାଇଁ ଆଜି ବହୁ ଭିଡ ହେବ ବୋଲି ଆଶା କରାଯାଉଛି । ପଦ୍ମପୁରରେ ଆଜି ଜନସମାଗମ ହେବ ବୋଲି ଏବେ ଠାରୁ ହିଁ ଆକଳନ କରାଯାଉଛି ।

ଏଥର ହେବନି ଭର୍ଚୁଆଲ ପ୍ରଚାର: ଧାମନଗର ଉପନିର୍ବାଚନ ରେ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମୋଡରେ ପ୍ରଚାର କରିଥିଲେ । ଯାହା ସେଠାକାର ଜନତାଙ୍କ ଉପରେ ପ୍ରଭାବ ପକାଇଥିଲା ସତ କିନ୍ତୁ ଅଧିକ ଫଳପ୍ରଦ ହୋଇପାରି ନଥିଲା । କିନ୍ତୁ ଏଥର ସୁପ୍ରିମୋ ନିଜେ ମୈଦାନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛନ୍ତି । ବିଜେଡି ସବୁ ବେଳେ ତାର ମାଷ୍ଟର କାର୍ଡ ଖେଳିବାରେ ମାହିର ବୋଲି ଜଣାଯାଏ । ତେଣୁ ଚଳିତ ଥର ଦଳ ବହୁ ବୁଝିବିଚାରି ଏହି ପଦକ୍ଷେପ ନେଇଛି । କାରଣ ବିଜେଡି ବହୁ ଭଲ ଭାବରେ ଜାଣେ ନବୀନଙ୍କ ଲୋକପ୍ରିୟତା । ଆଉ ଜାଣିବ ନାହିଁବା କେମିତି ଦୀର୍ଘବର୍ଷ ହେଲାଣି ଏହି ସାଢ଼େ ୪କୋଟି ଓଡିଶାବାସୀ ତାଙ୍କୁ ମୁଖିଆ ବୋଲି ବାଛିଛନ୍ତି । ତେଣୁ ଏହାର ଫାଇଦା ଉଠାଇବା ସହ ବିରୋଧୀ ମାନଙ୍କୁ ଚେକ ଦେବା ପାଇଁ ଆଜି ନବୀନ ପ୍ରଚାର ମୈଦାନକୁ ଓହ୍ଲାଉଛନ୍ତି ।

ଫଳାଫଳ ଯାହା ହେଉନା କାହିଁକି, ଉପ ନିର୍ବାଚନ ହାତେଇବା ସହ ଜିତିବାର ଟ୍ରାକରେକର୍ଡକୁ ଫେରିବା ପାଇଁ ବିଜେଡି ତାର ସବୁ ପ୍ରୟାଶ କରିବ । ସେପଟେ ବିରୋଧୀ ମାନେ ମଧ୍ୟ ତାଙ୍କର ଏହି ପ୍ରଚାରକୁ ଆହୁରି ଜୋରସୋର କରିବାକୁ ପ୍ରାଣମୂଚ୍ଛା ଉଦ୍ୟମ ଚଳାଇଛନ୍ତି । ବିଜେପିରୁ ଆଜି ଭୁବନେଶ୍ୱର ସାଂସଦ ଅପରାଜିତା ଷଢ଼ଙ୍ଗୀ ପ୍ରଦୀପ ପୁରୋହିତଙ୍କ ପାଇଁ ମୈଦାନକୁ ଓହ୍ଲାଇବେ । ଶ୍ରୀମତି ଷଢ଼ଙ୍ଗୀ ଆଜି ରାଜ୍ୟସରକାରଙ୍କୁ ଟାର୍ଗେଟ କରିବା ସହିତ ଜନସମର୍ଥନ ପାଇଁ ଭୋଟ ଭିକ୍ଷା କରିବେ । କେବଳ ଦେଖିବା ବାକି ରହିଲା ପଦ୍ମପୁର ବାସୀ ଏଥର କାହାକୁ ତାଙ୍କର ସମର୍ଥନ ଜଣାଇ ଗାଦିରେ ବସାଇବେ ।

ସୂଚନାମୁତାବକ ୫ ତାରିଖ ଭୋଟ ଗ୍ରହଣ ପରେ ୮ ତାରିଖରେ ଗଣତି କରାଯାଇ ଫଳାଫଳ ପ୍ରକାଶ କରାଯିବ । ଏହି ଉପ ନିର୍ବାଚନରେ ବିଜେଡି ପକ୍ଷରୁ ବର୍ଷା ସିଂ ବରିହା ପ୍ରାର୍ଥୀ ହୋଇଥିବାବେଳେ ବିଜେପି ପକ୍ଷରୁ ପ୍ରଦୀପ ପୁରୋହିତ ଏବଂ କଂଗ୍ରେସ ପକ୍ଷରୁ ସତ୍ୟଭୂଷଣ ସାହୁ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି ।

Get real time updates directly on you device, subscribe now.