ଏପଟେ ମନମୋହନ, ସେପଟେ ନବୀନ; ଏକା ସାଙ୍ଗେ କାହିଁକି ଗଲେ ଦିଲ୍ଲୀ, ରାଜ୍ୟ ରାଜନୀତି ସରଗରମ…
ଏପଟେ ମନମୋହନ, ସେପଟେ ନବୀନ । ଏକା ସାଙ୍ଗେ ଦୁଇଟି ଦଳର ସଭାପତି ଗଲେ ଦିଲ୍ଲୀ । ଏନେଇ ବଢୁଚି ଚର୍ଚ୍ଚା ।
ଭୁବନେଶ୍ବର: ଏପଟେ ମନମୋହନ, ସେପଟେ ନବୀନ । ଏକା ସାଙ୍ଗେ ଦୁଇଟି ଦଳର ସଭାପତି ଗଲେ ଦିଲ୍ଲୀ । ଏନେଇ ବଢୁଚି ଚର୍ଚ୍ଚା ।
ତେବେ ଆଜିଠୁ ୪ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଗଲେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ । ୯ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ଥିବାବେଳେ ନବୀନଙ୍କ ଦିଲ୍ଲୀ ଗସ୍ତ ନେଇ ଏବେ ବଢୁଚି ଚର୍ଚ୍ଚା ।
ସର୍ଭାଇକଲ ଆର୍ଥ୍ରାଇଟିସ ସର୍ଜରୀରୁ ସୁସ୍ଥ ପରେ ଗତକାଲି ପ୍ରଥମ ବୈଠକ କରିଛନ୍ତି ନବୀନ । ନବୀନ ନିବାସରେ ବସିଥିଲା ବିଜେଡି ରାଜନୈତିକ ବ୍ୟାପାର କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ । ନବୀନ ଦଳକୁ ପରିଚାଳନା କରିବା, ଦଳର ରଣନୀତିକୁ ଦିଗ ଦେବା ଓ ନୀତି ନିର୍ଦ୍ଧାରଣ କରିବା ନେଇ ଏହି ବୈଠକରୁ ବଡ଼ ବାର୍ତ୍ତା ଦେଇଛନ୍ତି । ଦଳର ଯୁବ, ଛାତ୍ର ଓ ମହିଳା ସଂଗଠନକୁ ଆହୁରି କିପରି ସୁଦୃଢ କରାଯିବ ଏବଂ ତୃଣମୂଳ ସ୍ତରରେ ଦଳକୁ ମଜବୁତ କରିବା ପାଇଁ ପିଏସି ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ ।
ସେପଟେ ପୁଣି ଦିଲ୍ଲୀ ଗଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ଗତକାଲି ସେ ନୂଆଦିଲ୍ଲୀରୁ ଫେରିଥିଲେ। ହେଲେ କିଛି ଘଣ୍ଟା ପରେ ପୁଣି ତାଙ୍କୁ ଡାକରା ଆସିଲା, ଯେଉଁଥିପାଇଁ ସେ ପୁଣି ଥରେ ବିଳମ୍ବିତ ରାତିରେ ଦିଲ୍ଲୀ ଯାଇଛନ୍ତି। ଦିଲ୍ଲୀରେ ଶୀର୍ଷ ନେତୃତ୍ବକୁ ଭେଟି ଆଲୋଚନା କରିବାର ସମ୍ଭାବନା ରହିଛି।
ତେବେ ସେ କାହିଁକି ଅଚାନକ ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି, ସେନେଇ ଦଳ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ।