fbpx

୨୦୨୪ ପାଇଁ ବିଜେପିର ନୂଆ ଫର୍ମୂଲା! ୭୦ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକେଟ ମିଳିବନି, ୩ ଥରରୁ ଅଧିକ ଜିତିଥିଲେ ଟିକେଟ୍ କଟିବ, ନୂଆ ଚେହେରା ବାଜିରେ ଲାଗିବେ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନକୁ ଆଉ ମାତ୍ର କିଛି ମାସ ବାକି ରହିଛି । ସେନେଇ ଏବେଠାରୁ ଦେଶର ରାଜନୈତିକ କ୍ଷେତ୍ର ଚଳଚଞ୍ଚଳ ହୋଇଉଠିଛି । ଏଥର ହ୍ୟାଟ୍ରିକ ଅର୍ଜନ କରିବାକୁ ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ରଣନୀତି ପ୍ରସ୍ତୁତ କରିଥିବା ବେଳେ ନରେନ୍ଦ୍ର ମୋଦୀଙ୍କ ବିଜୟ ରଥକୁ ରୋକିବାକୁ ବିରୋଧୀ ମହାମେଣ୍ଟ ଭାରତୀୟ ଜାତୀୟ ବିକାଶମୂଳକ ଅନ୍ତର୍ଭୁକ୍ତ ସହଯୋଗୀ (ଇଣ୍ଡିଆ) ପକ୍ଷରୁ ପ୍ରାଣପଣେ ଉଦ୍ୟମ କରାଯାଉଛି ।

ତେବେ ଆଗାମୀ ନିର୍ବାଚନରେ ଦଳ କିପରି ଅଧିକ ସିଟ୍ ଅକ୍ତିଆର କରି କ୍ଷମତା ବଜାୟ ରଖିବ ସେନେଇ ଦଳର କେନ୍ଦ୍ରୀୟ ନେତୃତ୍ୱ ଏକ ବଡ଼ ପ୍ଲାନ୍ କରିଥିବା କୁହାଯାଉଛି । ୨୦୧୪, ୨୦୧୯ ପରେ ୨୦୨୪ରେ ମଧ୍ୟ କେନ୍ଦ୍ରରେ ପଦ୍ମ ଖେଳିବ ବୋଲି ବିଜେପି ଦମ୍ଭୋକ୍ତି ପ୍ରକାଶ କରିଛି । ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ଚାଣକ୍ୟ ତଥା ଗୃହମନ୍ତ୍ରୀ ଅମିତ ଶାହ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ରାଜନୈତିକ ପାଣିପାଗ ଦେଖି ସୁଚତୁର ଭାବେ ଗୋଟି ଚାଳନା କରୁଥିବା ଜଣାପଡ଼ିଛି ।

ବିଶେଷ ସୂତ୍ରରୁ ମିଳିଥିବା ତଥ୍ୟ ମୁତାବକ, ନିର୍ବାଚନ ତାରିଖ ଘୋଷଣା ହେବା ପରେ ପରେ ଦଳ ତା’ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ । ଦଳ ଜାନୁଆରୀ ଶେଷ ବା ଫେବୃଆରୀ ପ୍ରଥମ ସପ୍ତାହରେ ପ୍ରାର୍ଥୀ ତାଲିକା ଜାରି କରିପାରେ । ପ୍ରଥମ ଲିଷ୍ଟରେ ମୋଦୀ ଓ ଶାହଙ୍କ ନାମ ରହିପାରେ । ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ମଧ୍ୟ ଦଳ ଏପରି ଫର୍ମୂଲା ଆପଣାଇଥିଲା ।

ଦଳ ଟିକେଟ ବଣ୍ଟନର ପ୍ଲାନ ମଧ୍ୟ ପ୍ରସ୍ତୁତ କରିସାରିଥିବା କୁହାଯାଉଛି । ଦଳ ଏଥର ୭୦ ବର୍ଷରୁ ଅଧିକ ବୟସ୍କଙ୍କୁ ଓ ତିନି ଥରରୁ ଅଧିକ ଜିତିଥିବା ଲୋକସଭା ସାଂସଦଙ୍କୁ ଟିକେଟ ନ ଦେବାକୁ ଯୋଜନା କରିଛି । ନୂଆ ଚେହେରାକୁ ବାଜିରେ ଲଗାଇବାକୁ ଦଳ ପ୍ରୟାସ କରିବ । ୨୦୨୪ ଲୋକସଭା ନିର୍ବାଚନରେ ଦଳ ୫୦ ପ୍ରତିଶତରୁ ଅଧିକ ଭୋଟ ପାଇବା ନେଇ ପିଏମ୍ ମୋଦୀ ଲକ୍ଷ୍ୟ ରଖିଛନ୍ତି । ଏଥର ଦଳ ଅଧିକ ଆସନରେ ଲଢ଼ିବାକୁ ପ୍ରସ୍ତୁତ ହେଉଛି । ଗତ ଲୋକସଭା ନିର୍ବାଚନରେ ଦଳ ୫୪୩ଟି ଆସନରୁ ୪୩୬ଟି ଆସନରେ ଲଢ଼ିଥିବା ବେଳେ ୧୩୩ଟି ସିଟରେ ହାରିଯାଇଥିଲା । ଗତଥର ଅପେକ୍ଷା ଏଥର ସହଯୋଗୀ ଦଳଙ୍କ ସଂଖ୍ୟା ହ୍ରାସ ପାଇଥିବାରୁ ବିଜେପି ନୂଆ ଫର୍ମୂଲା ଆପଣାଇବ ।

ଗତ ୨୦୧୯ ନିର୍ବାଚନରେ ପଞ୍ଜାବରେ ଶିରୋମଣି ଅକାଳୀ ଦଳ, ବିହାରରେ ଜେଡିୟୁ, ମହାରାଷ୍ଟ୍ରରେ ଶିବସେନା, ତାମିଲନାଡ଼ୁରେ ଏଆଇଏଡିଏମକେ ଓ ରାଜସ୍ଥାନରେ ଆରଏଲପି ସହିତ ବିଜେପିର ଭଲ ବୁଝାମଣା ରହିଥିଲା । ଦଳ ପଞ୍ଜାବରେ ୧୩ରୁ ୩, ମହାରାଷ୍ଟ୍ରରେ ୪୮ରୁ ୨୫, ବିହାରରେ ୪୦ରୁ ୧୭ଟି ଆସନରେ ଲଢ଼ିଥିଲା । ମାତ୍ର ଏଥର ଦଳ ଏହି ସମସ୍ତ ରାଜ୍ୟମାନଙ୍କରେ ଅଧିକ ଆସନରେ ଲଢ଼ିବ ।

ଯେଉଁ ସବୁ ସିଟରେ ଦଳ ଆଜି ପର୍ଯ୍ୟନ୍ତ କେବେ ବି ଜିତିନାହିଁ ବା କମ୍ ଭୋଟ ବ୍ୟବଧାନରେ ଜିତିଛି ଦଳ ଏପରି ୧୬୪ଟି ଆସନର ତାଲିକା ପ୍ରସ୍ତୁତ କରିଛି । ଏହି ଆସନଗୁଡ଼ିକ ପାଇଁ ଦଳ କେନ୍ଦ୍ରୀମନ୍ତ୍ରୀ ଓ ବଡ଼ ବଡ଼ ନେତାଙ୍କୁ ଦାୟିତ୍ୱ ଦେଇଛି । ଏହି ଆସନଗୁଡ଼ିକୁ ୮୦-୮୦ ଶ୍ରେଣୀରେ ଭାଗ କରାଯାଇ ୪୦ ଜଣ ମନ୍ତ୍ରୀଙ୍କୁ ଦାୟିତ୍ୱ ଦିଆଯାଇଛି । ପ୍ରତି ମନ୍ତ୍ରୀ ୩ଟି ଲେଖାଏଁ ଆସନର ଦାୟିତ୍ୱ ବୁଝିବେ । ଏଥିସହିତ ୨୦୧୯ରେ ଦଳ ହାରିଥିବା ୧୬ଟି ଆସନ ଉପରେ ଅଧିକ ଫୋକସ୍ କରାଯାଇଛି । ବିହାର, ମଧ୍ୟପ୍ରଦେଶ, ରାଜସ୍ଥାନ, କେରଳ, ମହାରାଷ୍ଟ୍ର, ପଞ୍ଜାବରେ ଏପରି ଅନେକ ଦୁର୍ବଳ ଆସନରେ ଦଳ ଏଥର ବିଜୟ ହାସଲ କରିବାକୁ ପ୍ରୟାସ କରିବ । କେଉଁ ରାଜ୍ୟରୁ କେତେ ସିଟ ଅକ୍ତିଆର କଲେ କେନ୍ଦ୍ରରେ ସରକାର ଗଠନ କରିବାକୁ ସୁବିଧା ହେବ ସେନେଇ ମଧ୍ୟ ବିଜେପି ଏକ ରୋଡମ୍ୟାପ୍ ପ୍ରସ୍ତୁତ କରିଛି ।

Get real time updates directly on you device, subscribe now.