fbpx

BJPର ଖେଳ ବିଗାଡ଼ିଦେଲା କର୍ଣ୍ଣାଟକ: ଆଗକୁ କଂଗ୍ରେସ ସହ ସିଧାସଳଖ ଲଢ଼େଇ, ମଧ୍ୟପ୍ରଦେଶ-ରାଜସ୍ଥାନ-ଛତିଶଗଡ଼ର ଫଳାଫଳ କାହା ସପକ୍ଷରେ ଯିବ

ନୂଆଦିଲ୍ଲୀ: ନିକଟରେ ଘୋଷଣା ହୋଇଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଫଳାଫଳ କେନ୍ଦ୍ରରେ ନେତୃତ୍ୱାଧୀନ ବିଜେପିକୁ ଏକ ବଡ଼ ଶିକ୍ଷା ଦେଇଛି । ଦକ୍ଷିଣ ଭାରତରେ ଆଧିପତ୍ୟର ସ୍ୱପ୍ନ ଦେଖୁଥିବା ବିଜେପି ବ୍ୟାକଫୁଟକୁ ଚାଲିଆସିବା ସହିତ ବିରୋଧୀ କଂଗ୍ରେସ କ୍ରମଶଃ ଶକ୍ତିଶାଳୀ ହେବାରେ ଲାଗିଛି । ଅନ୍ୟପକ୍ଷରେ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କର ଲୋକପ୍ରିୟତା କ୍ରମଶଃ ମଧ୍ୟ ବଢ଼ିବାରେ ଲାଗିଛି । ଏଭଳି ସ୍ଥିତିରେ ଚଳିତ ବର୍ଷ ୫ଟି ବିଧାନସଭା ନିର୍ବାଚନ ହେବାର ଅଛି । ସେଥିମଧ୍ୟରୁ ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନ ବିଜେପିର ଚିନ୍ତା ବହୁମାତ୍ରାରେ ବଢ଼ାଇଦେବାର ସମ୍ଭାବନା ରହିଛି ।

ଗତ ୨୦୧୮ରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜେପି ସଂଖ୍ୟାଗରିଷ୍ଠ ହାସଲ କରିପାରି ନଥିବା ବେଳେ ୨୦୨୩ରେ ପରାଜୟ ବରଣ କରିଥିଲା । ସେହିପରି ଗତ ୨୦୧୮ରେ ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଗଠନ କରିଥିଲା । ୨୩୦ ବିଧାନସଭା ଆସନ ମଧ୍ୟରୁ କଂଗ୍ରେସ ୧୧୪ଟି ସିଟ୍ ପାଇଥିବା ବେଳେ ବିଜେପି ୧୦୯ଟି ପାଇଥିଲା । ମାତ୍ର ପରବର୍ତ୍ତୀ ସମୟରେ ‘ଅପରେସନ ଲୋଟସ୍’ ସବୁ ଖେଳ ଓଲଟାଇ ଦେଇଥିଲା । ୨୦୦ ବିଧାନସଭା ଆସନ ବିଶିଷ୍ଟ ରାଜସ୍ଥାନରେ କଂଗ୍ରେସ ୧୦୦ଟି ସିଟ ପାଇ ସରକାର ଗଠନ କରିଥିବା ବେଳେ ବିଜେପି ୭୨ଟି ସିଟ୍ ପାଇଥିଲା । ସେହିପରି ୯୦ଟି ଆସନ ବିଶିଷ୍ଟ ଛତିଶଗଡ଼ରେ କଂଗ୍ରେସ ୭୧ଟି ସିଟ୍ ପାଇ ସରକାର ଗଠନ କରିଥିବା ବେଳେ ବିଜେପି ୧୪ଟି ଆସନ ପାଇଥିଲା ।

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଓ ମଧ୍ୟପ୍ରଦେଶରେ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ନେତୃତ୍ୱରେ କଂଗ୍ରେସ ଏହିସବୁ ରାଜ୍ୟଗୁଡ଼ିକରେ ବେଶ ଶକ୍ତିଶାଳୀ ଥିବା ମନେହୁଏ । ଏହି ତିନି ରାଜ୍ୟରେ କଂଗ୍ରେସ ନିଶ୍ଚିତ ଭାବେ ବିଜେପିର ପଥ ଓଗାଳିବାକୁ ପ୍ରୟାସ କରିବ । ଚଳିତ ବର୍ଷ ଶେଷରେ ଏହିସବୁ ରାଜ୍ୟରେ ନିର୍ବାଚନ ହେବାକୁ ଯାଉଛି । ତେଣୁ ଏହି ତିନି ରାଜ୍ୟର ନିର୍ବାଚନୀ ଫଳାଫଳ ୨୦୨୪ ଲୋକସଭା ନିର୍ବାଚନ ଉପରେ ସିଧାସଳଖ ପ୍ରଭାବ ପକାଇବ ଏଥିରେ ଦ୍ୱିମତ ନାହିଁ । ଅନ୍ୟପକ୍ଷରେ ଦେଶରେ ବିରୋଧୀମାନେ ଏବେ ଏକଜୁଟ୍ ହେବାରେ ଲାଗି ପଡ଼ିଲେଣି । କଂଗ୍ରେସ ମଧ୍ୟ ନିଜର ଅଣ୍ଟା ସଳଖିବାକୁ ଆରମ୍ଭ କଲାଣି । ତେଣୁ ଏପରି ସ୍ଥିତିରେ ଆଗାମୀ ଲଢ଼େଇ ବିଜେପି ପାଇଁ ଏତେ ସହଜ ହୋଇ ନପାରେ ।

ଏହି ସବୁ ରାଜ୍ୟଗୁଡ଼ିକରେ ବିଜେପି ସହିତ କଂଗ୍ରେସର ସିଧାସଳଖ ମୁକାବିଲା ହେବ । ତେଣୁ ଏହାକୁ ଦୃଷ୍ଟିରେ ରଖି ବିଜେପି ଏବେ ପୁରୁଣା ଭୁଲକୁ ନ ଦୋହରାଇବାକୁ ପ୍ରୟାସ କରୁଛି । ୨୦୧୪ ଲୋକସଭା ନିର୍ବାଚନରେ ବଡ଼ ପରାଜୟ, ଏହାପରେ ହିମାଚଳ ଓ କର୍ଣ୍ଣାଟକ ଦଖଲ କଂଗ୍ରେସ ପାଇଁ ଏକ ସଞ୍ଜିବନୀ ଠାରୁ କମ୍ ନୁହେଁ । ମାତ୍ର ଛଅ ମାସ ମଧ୍ୟରେ ବିଜେପି ଦୁଇଟି ରାଜ୍ୟ ହରାଇଛି । ପୁଣି ଆଗକୁ ୫ଟି ରାଜ୍ୟରେ ନିର୍ବାଚନ ହେବ । ସେଥିମଧ୍ୟରୁ ୨ଟି ରାଜ୍ୟରେ ଆଞ୍ଚଳିକ ଦଳର ସରକାର ରହିଛି । ତେଣୁ ନିଜର ନିର୍ବାଚନୀ ଏଜେଣ୍ଡାରେ କ’ଣ ସବୁ ପରିବର୍ତ୍ତନ କରିବ ସେନେଇ ବିଜେପି ପ୍ରସ୍ତୁତି ଆରମ୍ଭ କରିଦେଇଛି । କେଉଁ ରାଜ୍ୟରେ କେଉଁ ପ୍ରସଙ୍ଗକୁ ଆଧାର କରି ଦଳ ଭୋଟରଙ୍କ ପାଖକୁ ଯିବ ସେନେଇ ବିଜେପି ଏବେ ସିକ୍ରେଟ ଫର୍ମୂଲା ସନ୍ଧାନରେ ରହିଛି ।

Get real time updates directly on you device, subscribe now.