fbpx

୨୦୨୨ ୟୁପି ନିର୍ବାଚନ ପାଇଁ ଶକ୍ତି ସଂଗ୍ରହ କରୁଛି ବିଜେପି, ଯଦି ଜରୁରୀ ପଡ଼େ…

Advertisement

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଦୟନୀୟ ପ୍ରଦର୍ଶନ ପରେ ଏବେ ବିଜେପିର ଫୋକସରେ ରହିଛି ଉତ୍ତରପ୍ରଦେଶ । ଆସନ୍ତା ବର୍ଷ ୟୁପିରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାରୁ ଏବେଠାରୁ ସଂଗଠନ ସଜାଡ଼ିବାରେ ଲାଗିପଡ଼ିଛି ବିଜେପି । ଦଳର କେନ୍ଦ୍ରୀୟ ନେତାମାନେ ମୁଖ୍ୟ ସେଣ୍ଟର ଦିଲ୍ଲୀରୁ ସମସ୍ତ କୂଟନୀତିର ରିମୋଟ୍ କଣ୍ଟ୍ରୋଲ କରୁଛନ୍ତି । ୟୁପି ଭଳି ବୃହତ୍ ରାଜ୍ୟରେ ଭଲ ପ୍ରଦର୍ଶନ କରି ନିଜର ସମ୍ମାନ ବଞ୍ଚାଇବାକୁ ପ୍ରାଣପଣେ ଚେଷ୍ଟା କରିବ ବିଜେପି ।

ଜଣାପଡ଼ିଛି ଯେ, ଦଳର ସାଙ୍ଗଠନିକ ରାଷ୍ଟ୍ରୀୟ ମହାସଚିବ ବିଏଲ ସନ୍ତୋଷ ଓ କେନ୍ଦ୍ରୀୟ ସଂଗଠନର ପ୍ରଭାରୀ ରାଧା ମୋହନ ସିଂହ ରାଜ୍ୟର ବିଭିନ୍ନ ନେତାଙ୍କ ସହ ସମ୍ପର୍କରେ ରହିବା ସହ ଦଳୀୟ ନିଷ୍ପତ୍ତି ନେବେ । ଦଳର ସାଙ୍ଗଠନିକ ପ୍ରକ୍ରିୟା ସରିଥିବା ବେଳେ ଆବଶ୍ୟକତାନୁଯାୟୀ ମନ୍ତ୍ରୀ ପରିଷଦରେ ପରିବର୍ତ୍ତନ କରାଯିବାର ସମ୍ଭାବନା ରହିଛି । କରୋନା ସମୟରେ ଦୁର୍ବଳ ସଂଗଠନକୁ ନେଇ ଉପୁଜିଥିବା ସମସ୍ୟା ଦିଗରେ ଏହି ନେତାମାନେ କାର୍ଯ୍ୟ କରିଛନ୍ତି ।

ପ୍ରଶାସନିକ କ୍ଷେତ୍ରରୁ ରାଜନୀତିରେ ପାଦ ଥାପିଥିବା ଏ.କେ. ଶର୍ମାଙ୍କୁ ଦଳର ରାଜ୍ୟ ଉପାଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । ଦରକାର ପଡ଼ିଲେ, ମନ୍ତ୍ରୀମଣ୍ଡଳରେ ଛୋଟ ଧରଣର ପରିବର୍ତ୍ତନ କରାଯିବ ବୋଲି ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି । କାରଣ ଏହି ପରିବର୍ତ୍ତନ ମାଧ୍ୟମରେ ସହଯୋଗୀ ଦଳମାନଙ୍କୁ ସନ୍ତୁଷ୍ଟୀକରଣ କରାଯାଇପାରିବ । ବର୍ତ୍ତମାନ ଦଳ ୟୁପିରେ କ୍ଷମତାରେ ଥିଲେ ମଧ୍ୟ ୨୦୧୭ ମସିହା ବିଧାନସଭା ନିର୍ବାଚନ ପରି ୨୦୨୨ରେ ମଧ୍ୟ ସ୍ୱତନ୍ତ୍ର ରଣନୀତି ଲାଗୁ ହେବ । ଗତ ନିର୍ବାଚନରେ ଦଳ କୌଣସି ନେତାଙ୍କୁ ମୁଖ୍ୟ ଚେହେରା ଭାବେ ଉପସ୍ଥାପିତ କରିନଥିଲା, ଯାହାକି ବିଜେପିକୁ ଅଦ୍ଭୂତପୂର୍ବ ସଫଳତା ଆଣି ଦେଇଥିଲା । ତେବେ ଆସନ୍ତା ନିର୍ବାଚନରେ ଦଳ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ନିର୍ବାଚନ ମଇଦାନକୁ ଓହ୍ଲାଇବ । ବିଧାନସଭା ନିର୍ବାଚନ ପୂର୍ବରୁ ଦଳରେ ରାଷ୍ଟ୍ରୀୟ ସଂଗଠନର ମହାମନ୍ତ୍ରୀ, ରାଜ୍ୟ ସଂଗଠନର ପ୍ରଭାରୀ ଓ ନିର୍ବାଚନ ପ୍ରଭାରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ । ଏହି ତିନି ନେତା କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସେତୁବନ୍ଧ ପରି କାର୍ଯ୍ୟ କରିବା ସହ ନିର୍ବାଚନରେ ସଫଳତା ହାସଲ ନେଇ ଉଦ୍ୟମ କରିବେ ।

Get real time updates directly on you device, subscribe now.