ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ଅଧ୍ୟକ୍ଷ ମମତା ବାନାର୍ଜୀଙ୍କର ବିଜେପି ସହିତ ସମ୍ପର୍କ କ’ଣ ତାହା ସମସ୍ତେ ଭଲଭାବେ ଜାଣନ୍ତି । ଅଧିକାଂଶ ସମୟରେ ମମତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିରୋଧ କରିବା ସହ ବିବାଦୀୟ ବୟାନ ଦେଇଥାନ୍ତି । ତେବେ ଏହା ମଧ୍ୟରେ ପୁଣି ଥରେ ଦିଦି କେନ୍ଦ୍ର ବିରୋଧରେ ଗର୍ଜନ କରିଛନ୍ତି । ଖୁବଶୀଘ୍ର ବିଜେପି ସରକାର ବଦଳିଯିବ ବୋଲି ବୟାନ ଦେଇ ସେ ସାରା ଦେଶରେ ଚହଳ ସୃଷ୍ଟି କରିଛନ୍ତି ।
ମମତା କହିଛନ୍ତି, ଇତିହାସ ପ୍ରତ୍ୟେକ ଦିନ ବଳିବାରେ ଲାଗିଛି । ଆଜି ଯେଉଁମାନେ ଇତିହାସକୁ ପରିବର୍ତ୍ତନ କରୁଛନ୍ତି ସେମାନେ ଆସନ୍ତାକାଲି ସେଠାରେ ନଥିବେ । ପ୍ରତ୍ୟେକ ଦିନ ନୂଆ ଇତିହାସ ବଦଳୁଛି, କଏନ ବଦଳୁଛି, ନୂଆ ସମାଜ ବଦଳୁଛି, ନୂଆ ନୋଟ ବଳଳୁଛି । କିନ୍ତୁ ଆପଣମାନେ ଅପେକ୍ଷା କରନ୍ତୁ ଖୁବଶୀଘ୍ର ଦିଲ୍ଲୀ ମଧ୍ୟ ବଦଳିବାକୁ ଯାଉଛି । ଏହା ଆସନ୍ତା ୬ ମାସ ମଧ୍ୟରେ ଦେଖିବାକୁ ମିଳିବ । ମେଦିନୀପୁରରେ ଏକ ରାଲି ଅବସରରେ ମମତା ଏହି ବୟାନ ଦେଇଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ମମତା ଓ ସାଂସଦ ଅଭିଶେଷ ବାନାର୍ଜୀ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ । ମଣିପୁର ଭଳି ପଶ୍ଚିମବଙ୍ଗରେ ମଧ୍ୟ ହିଂସା, ଅରାଜକତା ସୃଷ୍ଟି କରିବାକୁ କେନ୍ଦ୍ର ପ୍ରୟାସ କରୁଛନ୍ତି । କୁଡମୀ ଓ ଆଦିବାସୀଙ୍କ ମଧ୍ୟରେ ବିବାଦ ରହିଥିବା ବେଳେ ବିଜେପି ଅନେକ ନେତାଙ୍କୁ କୋଟି କୋଟି ଟଙ୍କା ପ୍ରଦାନ କରିଛି । ଖୁବଶୀଘ୍ର ସେଠାରେ ଏକ ବଡ଼ ଦଙ୍ଗା ହେବାକୁ ଯାଉଛି । ଦିଲ୍ଲୀରୁ ଯବାନ ସେଠାକୁ ଆସିବେ । ଯଦି ଆପଣମାନେ ତାଙ୍କର କଥା ନ ମାନିବେ ତେବେ ଗୁଳି କରାଯିବ । ନୋଟ ଓ ଇତିହାସ ବଦଳିବା ଭଳି ଦିନେ ନା ଦିନେ ଏ ସରକାର ନିଜକୁ ନିଜେ ବଦଳିଯିବ । ଆସନ୍ତା ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀଙ୍କୁ ବରଖାସ୍ତ କରିବାକୁ ଏହି ଅବସରରେ ମମତା ନିବେଦନ କରିଥିଲେ ।