fbpx

କେରଳରେ ପ୍ରଥମ ଥର ଇତିହାସ ରଚିଲା ବିଜେପି, ଲୋକସଭା ଆସନରେ ପ୍ରଥମ ଥର ଖାତା ଖୋଲିଲେ ସୁରେଶ ଗୋପି

Advertisement

ନୂଆଦିଲ୍ଲୀ: କେରଲର ଥ୍ରୀସୁର ଲୋକସଭା ଆସନ(Thrissur Loksabha Seat)ରେ ଅଭିନେତାରୁ ନେତା ସାଜିଥିବା ବିଜେପି ପ୍ରାର୍ଥୀ ସୁରେଶ ଗୋପି ବିଜୟୀ ହୋଇଛନ୍ତି । ଦେଶର ଇତିହାସରେ ପ୍ରଥମ ଥର କେରଳରେ ବିଜେପି ଲୋକସଭା ଆସନ ଜିତିଛି । ସୁରେଶ ଗୋପିଙ୍କୁ ମୋଟ୍ ୪ ଲକ୍ଷ ୦୯ ହଜାର ୨୩୯ ଭୋଟ୍ ମିଳିଥିବା ବେଳେ ସେ ୭୫ ହଜାର ୦୭୯ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଚଳିତ ଥର ସେ ଭାକପା(ଏକ କମ୍ୟୁନିଷ୍ଟ ପାର୍ଟି)ର ପ୍ରାର୍ଥୀ ଭିଏସ୍ ସୁନିଲ କୁମାରଙ୍କ ସହ ନିର୍ବାଚନୀ ମଇଦାନରେ ପ୍ରତିଦ୍ୱନ୍ଦିତା କରିଥିଲେ । ସୁନିଲ କୁମାରଙ୍କୁ ୩ ଲକ୍ଷ ୩୧ ହଜାର ୫୩୮ ଭୋଟ୍ ମିଳିଥିବା ବେଳେ କଂଗ୍ରେସର ମୁରଲୀଧରଣ ୩,୨୨,୯୯୫ ଭୋଟରେ ତୃତୀୟ ସ୍ଥାନ ହାସଲ କରିଛନ୍ତି ।

ବିଜେପି ପାଇଁ ଏହି ଭୋଟ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ୨୦୧୯ ଲୋକସଭା ନିର୍ବାଚନ ଏବଂ ୨୦୨୧ ବିଧାନସଭା ନିର୍ବାଚନରେ ସୁରେଶ ଗୋପି ଥ୍ରୀସୁରରୁ ହାରି ଯାଇଥିଲେ । ୬୫ ବର୍ଷୀୟ ଗୋପି ୨୦୧୯ ଲୋକସଭାରେ କଂଗ୍ରେସର ଟିଏନ୍ ପ୍ରତାପନଙ୍କ ଠାରୁ ସଂସଦୀୟ ଆସନ ହାରି ଯାଇଥିଲେ । ୨୦୧୬ ଅକ୍ଟୋବରରେ ବିଜେପିରେ ସାମିଲ ହୋଇଥିଲେ ସୁରେଶ । ଏହାର କିଛି ମାସ ପରେ ଦଳ ତାଙ୍କୁ ରାଜ୍ୟସଭା ପାଇଁ ମନୋନିତ କରିଥିଲା । ସେବେଠାରୁ ସୁରେଶ କେରଳର ଷ୍ଟାର ପ୍ରଚାରକ ମଧ୍ୟରୁ ଅନ୍ୟତମ । ସେ ନିଜ ଆକର୍ଷକ ଛବି ପାଇଁ ଲୋକଙ୍କ ହୃଦୟ ଜିତିବାରେ ସଫଳ ହୋଇଥିଲେ । ପରିମାଣ ସ୍ୱରୂପ ୨୦୧୯ ନିର୍ବାଚନରେ କଂଗ୍ରେସ ନେତୃତ୍ୱାଧୀନ ୟୁନାଇଟେଡ ଡେମୋକ୍ରାଟିକ୍ ଫ୍ରଣ୍ଟ୍ ଏବଂ ଲେଫ୍ଟ ଡେମୋକ୍ରାଟିକ୍ ଫ୍ରଣ୍ଟର ତୃତୀୟ ସ୍ଥାନରେ ରହି ମଧ୍ୟ ନିର୍ବାଚନରେ ହଲଚଲ ସୃଷ୍ଟି କରିଥିଲେ ।

 

Get real time updates directly on you device, subscribe now.