fbpx
BSKY SKY
BSKY SKY

ନିର୍ବାଚନରେ ବିଜେପିକୁ ମହଙ୍ଗା ପଡିପାରେ ‘ଅଗ୍ନିପଥ’, ଚିନ୍ତାରେ ଦଳୀୟ ନେତା

BSKY

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନା ବିରୋଧରେ ଜାରି ହିଂସାତ୍ମକ ନ୍ଦୋଳନ ଥମିବା ପରିବର୍ତ୍ତେ ବ୍ୟାପିବାରେ ଲାଗିଛି। ବିହାରରୁ ଆରମ୍ଭ ହୋଇଥିବା ବିରୋଧ ଏବେ ଦେଶର ଅଧା ରାଜ୍ୟକୁ ବ୍ୟାପି ସାରିଛି। ଅନ୍ୟପଟେ ଜୁନ ୧୯ରେ ହରିୟାଣାରେ ମ୍ୟୁନିସିପାଲଟି ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନରେ ବିଜେପି ଏବଂ ଜେଜେପି ମେଣ୍ଟକୁ ଅଗ୍ନିପଥ ବିରୋଧର ସାମ୍ନା କରିବାକୁ ପଡିପାରେ। ତୀବ୍ର ପ୍ରତିବାଦ ମଧ୍ୟରେ ମେଣ୍ଟ ପ୍ରାର୍ଥୀଙ୍କ ପାଇଁ ବିଜୟ ବଡ ଆହ୍ଵାନଭରା ରହିଛି। ବିଜେପି ଏବଂ ଜେଜେପି ମେଣ୍ଟ ସରକାର ବିରୋଧରେ ଶାସକବିରୋଧୀ ଲହର ମଧ୍ୟ ରହିଛି। ସେପଟେ ଆମ୍ ଆଦମୀ ପାର୍ଟି ସରକାରଙ୍କୁ କଡା ଚ୍ୟାଲେଞ୍ଜ ଦେଉଛନ୍ତି।

ବିଜେପି, ଜେଜେପି ଏବଂ ଆପ୍ ପ୍ରାର୍ଥୀ ପାର୍ଟିର ନିର୍ବାଚନୀ ଚିହ୍ନରେ ମଇଦାନକୁ ଓହ୍ଲାଇଛନ୍ତି। କଂଗ୍ରେସ ପ୍ରାର୍ଥୀ ପାର୍ଟି ଚିହ୍ନରେ ନିର୍ବାଚନ ଲଢୁ ନାହାନ୍ତି। ତେବେ ବିଜେପି ପାଇଁ ସବୁଠୁ ବଡ ସମସ୍ୟା ଅଗ୍ନିପଥ ଯୋଜନା ପ୍ରତିବାଦରେ ଜାରି ହିଂସାତ୍ମକ ଆନ୍ଦୋଳନ। ଏହି ଅସନ୍ତୋଷର ବହ୍ନି ଭୋଟକୁ ପ୍ରଭାବିତ କରିବାର ସମ୍ଭାବନା ଅଧିକ ରହିଛି। ହରିୟାଣାରେ ଆପ୍ ପ୍ରଭାରୀ ସୁଶୀଲ ଗୁପ୍ତା ଅଭିଯୋଗ କରିଛନ୍ତି, ସେନାରେ ସାମିଲ୍ ହେବା ହରିୟାଣା ଯୁବକଙ୍କ ପାଇଁ କେବଳ ଏକ ଚାକିରି ନୁହେଁ। ଦେଶର ସେବା କରିବା ଗାରିମା ଏବଂ ସମ୍ମାନର କଥା। ଅଗ୍ନିପଥ ଯୋଜନା ବିଜେପି ସରକାରଙ୍କ ଯୁବ ବିରୋଧୀ ନୀତି ଏବଂ ଭାବନାକୁ ଦର୍ଶାଉଛି ବୋଲି ସେ କହିଛନ୍ତି।

ବିଜେପିର ଜଣେ ବରିଷ୍ଠ ନେତା ସ୍ଵୀକାର କରିଛନ୍ତି ଯେ, ଖାପ୍ ଏବଂ କୃଷକ କର୍ମୀ ବିରୋଧରେ ସାମିଲ୍ ହୋଇ ନିର୍ବାଚନରେ ବିଜେପି ପାଇଁ ମୁସ୍କିଲ ପରିସ୍ଥିତି ସୃଷ୍ଟି କରି ପାରନ୍ତି। ବିଜେପି ନେତୃତ୍ଵ ଏହାକୁ ନେଇ ଚିନ୍ତିତ ଯେ, ଅଗ୍ନିପଥ ବିରୋଧ ତିନି କୃଷି ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନର ରୂପ ନେଇପାରେ। ସାଂପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖିଲେ ସରକାରଙ୍କୁ ଲୋକଙ୍କ ଅସନ୍ତୋଷର ସାମ୍ନା କରିବାକୁ ପଡିପାରେ।

Get real time updates directly on you device, subscribe now.