fbpx
BSKY SKY
BSKY SKY

ମୋଦୀଙ୍କୁ ଜିତାଇବ ‘ମୋଦୀ ମିତ୍ର’ ଅଭିଯାନ: ଆସନ୍ତା ଲୋକସଭା ନିର୍ବାଚନରେ ଅଧିକ ସଂଖ୍ୟକ ମୁସଲମାନ ପ୍ରାର୍ଥୀଙ୍କୁ ଟିକେଟ ଦେବ ବିଜେପି

BSKY

ନୂଆଦିଲ୍ଲୀ: ଆସନ୍ତା ୨୦୨୪ ଲୋକସଭା ନିର୍ବାଚନରେ ଜିତି ହ୍ୟାଟ୍ରିକ ଅର୍ଜନ କରିବା ଲକ୍ଷ୍ୟରେ ରହଛି ବିଜେପି । ଏନେଇ ବିଜେପି ପ୍ରତ୍ୟେକ ରାଜ୍ୟରେ ନିଜର ସଂଗଠନକୁ ମଜବୁତ କରିବା ପାଇଁ ପ୍ରଚାର, ରାଲି ପାଇଁ ପ୍ରି-ପ୍ଲାନ ପ୍ରସ୍ତୁତ କରିବା ଆରମ୍ଭ କରିଦେଇଛି । ତେବେ ବର୍ତ୍ତମାନ ସମୟରେ ପଛୁଆ ମୁସଲିମଙ୍କ ଭୋଟ ବ୍ୟାଙ୍କ ଉପରେ ଭାଜପାର ନଜର ରହିଛି । ଏଥିପାଇଁ ଦଳ ମୁସଲିମ୍ ବହୁଳ ଲୋକସଭା କ୍ଷେତ୍ରରେ ମୁସଲମାନ ଭୋଟରଙ୍କୁ ‘ମୋଦୀ ମିତ୍ର’ କରିବା ଅଭିଯାନ ଆରମ୍ଭ କରିଛି ।

ଦଳର ଅଳ୍ପସଂଖ୍ୟକ ମୋର୍ଚ୍ଚା ‘ମୋଦୀ ମିତ୍ର’ ଅଭିଯାନ ଚଳାଉଛି । ନିକଟରେ ତ୍ରିପୁରାରେ ହୋଇଥିବା ବିଧାନସଭା ଉପନିର୍ବାଚନରେ ଭାଜପାର ଜଣେ ମୁସଲମାନ ପ୍ରାର୍ଥୀ ବିଜୟ ହାସଲ କରିଥିଲେ । ତେଣୁ ଲୋକସଭା ନିର୍ବାଚନରେ ଦଳ ଅଧିକ ସଂଖ୍ୟକ ମୁସଲିମ ପ୍ରାର୍ଥୀଙ୍କୁ ଟିକେଟ ଦେବା ନେଇ ଏହି ଫଳାଫଳ ସଙ୍କେତ ଦେଇଛି । ନିକଟରେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ସେଥିମଧ୍ୟରୁ ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ କୌଣସି ମୁସଲିମ ପ୍ରାର୍ଥୀଙ୍କୁ ଟିକେଟ ଦେବାର ସମ୍ଭାବନା ନାହିଁ । ଅନ୍ୟପକ୍ଷରେ ରାଜସ୍ଥାନରେ କିଛି ମୁସଲିମ ପ୍ରାର୍ଥୀଙ୍କୁ ଦଳ ଟିକେଟ ଦେଇପାରେ ।

ଏକ ସୂତ୍ର ମୁତାବକ, ନିକଟରେ ୪୦ଟି ମୁସଲିମ ପ୍ରବଣ ଆସନକୁ ନେଇ ଦଳ ଅଧ୍ୟୟନ କରିଥିଲା । ସେଥିମଧ୍ୟରୁ ୧୫ଟି ଆସନରେ ସ୍ଥିତି ଭଲ ଥିବା ଜଣାପଡ଼ିଛି । ତେଣୁ ଦଳ ସେଥିମଧ୍ୟରୁ ୨-୩ଟି ଆସନରେ ମୁସଲିମ୍ ପ୍ରାର୍ଥୀଙ୍କୁ ଟିକେଟ ଦେଇପାରେ । ଗତଥର ଦଳ ଜଣେ ମୁସଲିମ ପ୍ରାର୍ଥୀଙ୍କୁ କଂଗ୍ରେସ ପ୍ରାର୍ଥୀ ସଚିନ ପାଇଲଟଙ୍କ ବିପକ୍ଷରେ ଛିଡ଼ା କରିଥିଲା । ୨୦୧୩ରେ ଦଳ ୪ ଜଣ ମୁସଲିମ ପ୍ରାର୍ଥୀଙ୍କୁ ଟିକେଟ ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ଜିତିଥିଲେ । ପଛୁଆ ମୁସଲିମଙ୍କ ଉପରେ କାର୍ଯ୍ୟ କରିବା ପାଇଁ ଗତବର୍ଷ ହାଇଦ୍ରାବାଦଠାରେ ଅନୁଷ୍ଠିତ ଭାଜପାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ।

୨୦୧୯ ଲୋକସଭା ନିର୍ବାଚନରେ ଦଳ ୬ ଜଣ ମୁସଲିମ ପ୍ରାର୍ଥୀଙ୍କୁ ମୈଦାନକୁ ଓହ୍ଲାଇଥିବା ବେଳେ ଜଣେ ହେଲେ ବି ଜିତି ପାରିନଥିଲେ । ୨୦୧୪ରେ ୭ ଜଣଙ୍କୁ ଟିକେଟ ଦେଇଥିବା ବେଳେ ସମସ୍ତେ ପରାଜିତ ହୋଇଥିଲେ । ୨୦୦୯ରେ ୪ ଜଣଙ୍କୁ ଟିକେଟ ଦେଇଥିବା ବେଳେ ଜଣେ ପ୍ରାର୍ଥୀ ଶାହନବାଜ ହୁସେନ ଜିତିଥିଲେ । ନିକଟରେ ବିଜେପି ପ୍ରତି ମୁସଲିମ ଭୋଟରଙ୍କ ସମର୍ଥନ ଦେଖିବାକୁ ମିଳିଛି । ଉତ୍ତରପ୍ରଦେଶ ନଗର ନିଗମ ନିର୍ବାଚନରେ ଦଳ ୩୯୫ ମୁସଲିମ ପ୍ରାର୍ଥୀଙ୍କୁ ଟିକେଟ ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ପାଖାପାଖି ୪୫ ଜଣ ଜିତିଥିଲେ । ତେଣୁ ଏହା ଭାଜପା ପାଇଁ ସକାରାତ୍ମକ ସାବ୍ୟସ୍ତ ହେବ ବୋଲି କୁହାଯାଉଛି ।

Get real time updates directly on you device, subscribe now.