ମମିତା ମେହେର ହତ୍ୟା ମାମଲା: ବିଜେପିର ବ୍ଳକ ଘେରାଉ ଓ ବିକ୍ଷୋଭ

ମମିତା ମେହେର ହତ୍ୟାକାଣ୍ଡକୁ ନେଇ ଅସନ୍ତୋଷର ନିଆଁ ଥମିନଥିବା ବେଳେ ଆଜି କେନ୍ଦୁଝର ଜିଲ୍ଲାର ୧୦ଟି ବ୍ଳକରେ ବିଜେପି ଘେରାଉ ସହ ବିକ୍ଷୋଭ କରିଛି । ସୋମବାର କେନ୍ଦୁଝର ସଦର ବ୍ଳକଠାରେ ମୋହନ ମାଝୀଙ୍କ ନେତୃତ୍ଵରେ ବିଜେପି ପକ୍ଷରୁ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଏବଂ ଆଇନ ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି ।

ବିଜେପିର ପକ୍ଷରୁ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ବେଳେ ମମିତାକୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ, ଆଇନ ମନ୍ତ୍ରୀ ଓ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ସାମାଜିକ ବାସନ୍ଦ ଘୋଷଣା କରାଯାଇଛି । ବିକ୍ଷୋଭ ପ୍ରଦର୍ଶନ କରିବା ସହ ମମିତା ମେହେରଙ୍କୁ ଯେଭଳି ସୁଚିନ୍ତିତ ଭାବେ ହତ୍ୟା କରାଯାଇଛି ତାହା ଓଡ଼ିଶାର ଇତିହାସରେ ଏକ କଳଙ୍କମୟ ଇତିହାସ ବୋଲି କହିଛି ବିଜେପି ଏବଂ ଦିବ୍ୟ ଶଙ୍କର ମିଶ୍ରଙ୍କ ଏଥିରେ ସମ୍ପୃକ୍ତି ଥିବାରୁ ତାଙ୍କୁ ବହିଷ୍କାର ଓ ଗିରଫ ଦାବି କରିଛି ବିଜେପି । ଏଥି ସହ ଶୁଆକାଟୀ ସ୍ଥିତ ଖଣି ଅଞ୍ଚଳରେ ନୀରିହ ଆଦିବାସୀଙ୍କ ସ୍ଵାର୍ଥ ପାଇଁ ଲଢେଇ କରୁଥିବା ମୁନା ପୁର୍ତ୍ତୀକୁ ଯେଉଁଭଳି ଭାବରେ ବିନା ଦୋଷରେ ଗିରଫ କରାଗଲା, ତାକୁ ଯଦି ନଛଡ଼ା ଯାଏ ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଯୋରଦାର କରାଯିବ ବୋଲି ବିଜେପିର ଚେତାବନୀ ।