ମହାରାଷ୍ଟ୍ର ବିଧାନସଭା ନିର୍ବାଚନ: ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ଜାରି କଲା ବିଜେପି

ନୂଆଦିଲ୍ଲୀ: ନଭେମ୍ବର ମାସ ୨୦ ତାରିଖରେ ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାର ନିର୍ବାଚନ ଅନୁଷ୍ଠିତ ହେବ । ଏହାପରେ ନଭେମ୍ବର ୨୩ରେ ଭୋଟ ଗଣତି କରାଯିବ । ଗତ ୨୦ ତାରିଖରେ ବିଜେପି ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ମୋଟ ୯୯ ଜଣ ପ୍ରାର୍ଥୀ ତାଲିକା ଜାରି କରିଥିଲା । ଗତ ୨୫ ତାରିଖରେ ଦଳ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ୪୦ ଜଣିଆ ତାରକା ପ୍ରଚାରକଙ୍କ ତାଲିକା ଜାରି କରିଥିଲା । ଏହା ମଧ୍ୟରେ ଆଜି ଦଳ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ଜାରି କରିଛି ।

ଏହି ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଡ. ପ୍ରମୋଦ ସାୱନ୍ତ, ଭୂପେନ୍ଦ୍ରଭାଇ ପଟେଲ, ବିଷ୍ଣୁଦେଓ ସାଏ, ଡ. ମୋହନ ଯାଦବ, ଭଜନଲାଲ ଶର୍ମା, ନ୍ୟାୟବ ସିଂହ ସୈନୀ, ହିମନ୍ତ ବିଶ୍ୱଶର୍ମା, ଶିବରାଜ ସିଂହ ଚୌହାନ, ଦେବେନ୍ଦ୍ର ଫଡନବିସ, ଚନ୍ଦ୍ରଶେଖର ବାୱାଙ୍କୁଲେ, ଶିବ ପ୍ରକାଶ, ଭୂପେନ୍ଦ୍ର ଯାଦବ, ଅଶ୍ୱିନୀ ବୈଷ୍ଣ ପ୍ରମୁଖ ନେତାମାନେ ସ୍ଥାନ ପାଇଛନ୍ତି ।