fbpx

ଶାହରୁଖଙ୍କୁ ଟାର୍ଗେଟ୍ କରି ବିଜେପି ଜାଣିଶୁଣି ଆର୍ଯ୍ୟନଙ୍କୁ ଡ୍ରଗ୍ସ ମାମଲାରେ ଫସାଇଛି, ଜାଣନ୍ତୁ ଏହି ଘଟଣା କେତେ ସତ ଆଉ କେତେ ମିଛ

Advertisement

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁତ୍ର ଆର୍ଯ୍ୟନ ବର୍ତ୍ତମାନ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ( ଏନସିବି)ର ହେଫାଜତରେ ରହିଛନ୍ତି । ତେବେ ସମସ୍ତ ପ୍ରୟାସ ପରେ ବି ଆର୍ଯ୍ୟନଙ୍କୁ ଜାମିନ ନ ମିଳିବାରୁ ତାଙ୍କୁ ଜେଲ ପଠାଇ ଦିଆଯାଇଛି । ଏହି ମାମଲାରେ ଶାହରୁଖଙ୍କୁ ଜାଣିଶୁଣି ଫସାଇ ଦିଆଯାଇଥିବା ବିଭିନ୍ନ ମହଲରେ ଆଲୋଚନା ହେଉଛି । ତେବେ ଏହି ବୟାନ ପଛରେ କେତେ ସତ୍ୟତା ରହିଛି, ତାହା ଅଲଗା କଥା । ମାତ୍ର ଦିନକୁ ଦିନ ମହାରାଷ୍ଟ୍ରର ଜଣେ ଜଣେ ରାଜନେତା ଯେଉଁ ଭଳି ଭାବେ ବିଜେପି ବିରୋଧୀ ବୟାନବାଜୀ କରୁଛନ୍ତି, ତାହାକୁ ନେଇ ଅଧିକ ଚର୍ଚ୍ଚା ହେଉଛି ।

କିଛି ଦିନ ପୂର୍ବରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ତାଙ୍କର ଜଣେ ମନ୍ତ୍ରୀ ନବାବ ମଲ୍ଲିକ ଏନସିବିର କାର୍ଯ୍ୟ କରିବାର ତରିକା ଉପରେ ପ୍ରଶ୍ନ ଉଠାଇଥିଲେ । ମହାରାଷ୍ଟ୍ର ସରକାର ଓ ବଲିଉଡକୁ ବଦନାମ କରିବାକୁ ଭାଜପା ଚକ୍ରାନ୍ତ ଚଳାଇଛି ବୋଲି ସେ କହିଥିଲେ । ତେବେ ଏହି ରେସରେ ସାମିଲ ହୋଇଛନ୍ତି ମହାରାଷ୍ଟ୍ରର ଆଉ ଜଣେ ମନ୍ତ୍ରୀ ଛଗନ ଭୁଜବଲ । ସେ ଭାଜପାର ଦୁଇ ପ୍ରକାର ଚରିତ୍ରକୁ ସମାଲୋଚନା କରିଛନ୍ତି । ଯଦି ଶାହରୁଖ ବିଜେପିରେ ସାମିଲ ହୋଇଯାଆନ୍ତି, ତେବେ ଡ୍ରଗ କେସରୁ ତାଙ୍କ ପୁତ୍ର ମୁକ୍ତି ପାଇଯିବ । ଗୁଜୁରାଟରୁ ୩୦୦ କେଜି ହିରୋଇନ ଜବତ ମାମଲାର ତଦନ୍ତ କରିବା ବଦଳରେ ଏନସିବି ଶାହରୁଖଙ୍କ ପଛରେ ପଡ଼ିଛି ବୋଲି କହି ଛଗନ ବିଜେପି ଉପରେ ଆରୋପ ଲଗାଇଛନ୍ତି । ଏପରିକି ଜଣେ ଷ୍ଟାର କିଡ ହୋଇଥିବାରୁ ଜେଲରେ ରହିବେ ଓ ତାଙ୍କୁ ଜାମିନ ମିଳିବ ନାହିଁ ବୋଲି କିଛି ଗଣମାଧ୍ୟମରେ ମଧ୍ୟ ଚର୍ଚ୍ଚା ହେବାରେ ଲାଗିଛିି । ସତୀଶ ମାନଶିନ୍ଦେ ଓ ଅମିତ ଦେସାଇଙ୍କ ପରି ଦେଶର ନାମିଦାମୀ ଓକିଲ ଏହି କେସ ଲଢ଼ୁଥିଲେ ହେଁ ଆର୍ଯ୍ୟନଙ୍କ ମୁକୁଳିବାର ବାଟ ଏବେ ସୁଦ୍ଧା ଫିଟି ପାରିନାହିଁ ।

ଅକ୍ଟୋବର ୨ରେ ଆର୍ଯ୍ୟନଙ୍କୁ ଏନସିବି ଗିରଫ ପରେ କରିବା ତାଙ୍କ ପାଖରୁ କୌଣସି ଡ୍ରଗ୍ସ ଜବତ ହୋଇନଥିଲା । ତେଣୁ ଦୁଇଦିନ ମଧ୍ୟରେ ସେ ମୁକୁଳି ପାରିବେ ବୋଲି କୋର୍ଟ କହିଥିଲେ । ତେବେ ପରବର୍ତ୍ତୀ ସମୟରେ ଆର୍ଯ୍ୟନଙ୍କ ହ୍ୱାଟସଆପ ଚାଟରୁ ତାଙ୍କର ଅନ୍ତର୍ଜାତୀୟ ଡ୍ରଗ୍ସ ଲିଙ୍କ ଥିବା ଏନସିବି କହିଥିଲା । ଏହାପରେ ଏହି ମାମଲା ବେଳକୁ ବେଳ ବଢ଼ି ବଢ଼ି ଚାଲିଛି । ଆର୍ଯ୍ୟନଙ୍କୁ ଦୁଇଜଣ ଅଣଏନସିବି ଅଫିସର ଧରି ନେଉଥିବାର ଭିଡିଓ କିଛି ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଉକ୍ତ ଦୁଇ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଭାଜପା ନେତା ହୋଇଥିବା ବେଳେ ରେଡ୍ ସମାପ୍ତ ହେବା ପରେ ବି ସେ ଏନସିବି ଅଫିସରେ ରହିଥିବା ଜଣାପଡ଼ିଛି । ପୁଣି ରେଡ୍ ସମୟରେ ଆଉ କିଛି ବ୍ୟକ୍ତିଙ୍କୁ ଏନସିବି ଅଟକି ରଖିଥିବା ବେଳେ ବିଜେପି ନେତାଙ୍କ ଫୋନ ଆସିବା ପରେ ସେମାନଙ୍କୁ ଛାଡ଼ି ଦିଆଯାଇଥିବା ଅଭିଯୋଗ ହେଉଛି । ଡ୍ରଗ୍ସର ପ୍ରକୃତ ଚୋରକୁ ଧରିବା ପରିବର୍ତ୍ତେ ଜଣେ ଅଳ୍ପ ବର୍ଷୀୟ ଯୁବକଙ୍କୁ କାହିଁକି ଟାର୍ଗେଟ୍ କରାଯାଉଛି ବୋଲି ମଧ୍ୟ ଅନେକ ମହଲରେ ଆଲୋଚନା ହେଉଛି । ପୂର୍ବରୁ ଶାହରୁଖଙ୍କୁ କିଛି ବିଜେପି ନେତା ଦାଉଦ ଇବ୍ରାହିମ ସହିତ ତୁଳନା କରିବା ସହ ପାକିସ୍ତାନୀ ଏଜେଣ୍ଟ ବୋଲି ମଧ୍ୟ ଅଭିହିତ କରିଥିଲେ । ତେବେ ବିଜେପି ଓ ଶାହରୁଖଙ୍କୁ ନେଇ ଉଠୁଥିବା ଏହି ଚର୍ଚ୍ଚାର ମୂଳ ରହସ୍ୟ କ’ଣ ତା’ହା ସମୟ ହିଁ କହିବ ।

Get real time updates directly on you device, subscribe now.