ରାଜନୀତି ବାଜିରେ କ୍ରିପ୍ଟୋକରେନ୍ସିକୁ ଅସ୍ତ୍ର କଲା ବିଜେପି: ସୁପ୍ରିୟା-ନାନାଙ୍କ ଉପରେ ବିଟକଏନ୍ ହେରଫେର ଅଭିଯୋଗ

ମୁମ୍ବାଇ: ଆଜି ମହାରାଷ୍ଟ୍ରରେ ଚାଲିଛି ବିଧାନସଭା ନିର୍ବାଚନ ମହାଯୁଦ୍ଧ । କିନ୍ତୁ ମତଦାନ କିଛି ସମୟ ପୂର୍ବରୁ ନିର୍ବାଚନ ମଇଦାନରେ ଦେଖିବାକୁ ମିଳିଛି ରାଜନୀତିର ପଶାପାଲି ଖେଳ । ଏନସିପି ନେତାଙ୍କ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ । ମତଦାନ କରିବା ପୂର୍ବରୁ ବିଜେପି ଏକ ବଡ଼ ଷ୍ଟ୍ରୋକ ଖେଳିବାକୁ ପ୍ରୟାସ କରିଛି । ଏନସିପି (ଶରଦ ପାୱାର ଗୋଷ୍ଠୀ) ନେତା ସୁପ୍ରିୟା ସୁଲେ ଏବଂ ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ନାନା ପଟୋଲେ ବିଟ୍ କଏନ୍ ହେରଫେରରେ ସାମିଲ ଥିବା ଅଭିଯୋଗ ଆଣିଛି ଭାରତୀୟ ଜନତା ପାର୍ଟି । ଏହାକୁ ନେଇ ମହାରାଷ୍ଟ୍ର ନିର୍ବାଚନ ଏବେ ସରଗରମ ହୋଇ ଉଠିଛି । ସୁପ୍ରିୟା ସୁଲେ ଏବଂ ନାନା ପଟୋଲେ ଏହାକୁ ଖାରଜ କରିଥିବା ବେଳେ ନିର୍ବାଚନ ଆୟୋଗ ଏବଂ ସାଇବର କ୍ରାଇମ ବିଭାଗରେ ଏକ ମାମଲା ରୁଜୁ କରାଇଛନ୍ତି ।

୨୦୧୮ ମସିହା କ୍ରିପ୍ଟୋକରେନ୍ସି ହେରଫେର ମାମଲାରେ ବିଟକଏନର ଦୂରୁପୋଯୋଗ କରି ବିଦାନସଭା ନିର୍ବାଚନ ପାଇଁ ସମ୍ବଳ ଏକତ୍ର କରିଛନ୍ତି ସୁପ୍ରିୟା ସୁଲେ ଏବଂ ନାନା ପଟୋଲେ । ଏହା ଏକ ଗମ୍ଭୀର ତଥା ଚିନ୍ତାଜନକ ବିଷୟ ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ସୁଧାଂଶୁ ତ୍ରିବେଦୀ । ସାମନାକୁ ଆସିଥିବ କିଛି ତଥ୍ୟ ମହାବିକାଶ ଅଘାଡ଼ିର ଅସଲ ଚେହେରାକୁ ଧିରେ ଧିରେ ସାମନାକୁ ଆଣିଛି । ତେବେ ଏଭଳି ପରିସ୍ଥିତିରେ ସ୍ୱତନ୍ତ୍ର ଏବଂ ନିରପେକ୍ଷ ନିର୍ବାଚନ କିପରି ହୋଇଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଏହାସହିତ ସୁଲେ ଏବଂ ଜଣେ ଗୁରୁତ୍ୱପୂର୍ଣ୍ଣ ସାକ୍ଷୀଙ୍କ ସହ କଥା ହେବାର କିଛି ଅଡିଓ କ୍ଲିପ ମଧ୍ୟ ଶୁଣାଇଛି ବିଜେପି । ଏଭଳି ଅଭିଯୋଗ ନିର୍ବାଚନ ପ୍ରକ୍ରିୟାରେ ଗମ୍ଭୀର ଚିନ୍ତା ପ୍ରକଟ କରିଛି । ତେଣୁ ଏସବୁ ସ୍ଥିତି ଉପରେ କଡ଼ା ନଜର ରଖିବାକୁ ନିର୍ବାଚନ ଆୟୋଗକୁ କହିଛନ୍ତି ।

ଏଭଳି ଅଭିଯୋଗ ପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି ସୁପ୍ରିୟା ସୁଲେ । ମତଦାତାଙ୍କୁ ଭ୍ରମିତ କରିବା ପାଇଁ ଏଭଳି ମିଥା ଖବର ଭାଇରାଲ କରାଯାଉଥିବା ସେ ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟ କହିଛି ଯେ, ରାଜ୍ୟରେ ମତଦାନର କିଛି ଘଣ୍ଟା ପୂର୍ବରୁ ଭୋଟରମାନଙ୍କୁ ଭ୍ରମିତ କରିବାକୁ ମିଛ ତଥ୍ୟ ଭାଇରାଲ କରାଯାଉଛି । ବିଟକଏନକୁ ନେଇ ହୋଇଥିବା ଏହି ଅଭିଯୋଗକୁ ଚାଲେଞ୍ଜ କରି ନିର୍ବାଚନ ଆୟୋଗ ଏବଂ ସାଇବର କ୍ରାଇମରେ ଅପରାଧିକ ମାମଲା ଦାୟର କରାଯାଇଛି । କିନ୍ତୁ ଏପରି ଘଟଣାର ଉଦ୍ଦେଶ୍ୟ ସ୍ପଷ୍ଟ ବାରି ହେଉଛି ।