fbpx

୨୦୨୪ ପାଇଁ BJPର ସ୍ପେଶାଲ ପ୍ଲାନ୍: ପ୍ରତି ଆସନରେ ତିଆରି ହେବେ ‘Modi Mitra’, ମୁସଲମାନ ଭୋଟରଙ୍କୁ କରାଯିବ ଆକୃଷ୍ଟ!

ନୂଆଦିଲ୍ଲୀ: ଆସନ୍ତା ୨୦୨୪ ଲୋକସଭା ନିର୍ବାଚନରେ ଜିତି ହ୍ୟାଟ୍ରିକ ଅର୍ଜନ କରିବା ଲକ୍ଷ୍ୟରେ ରହଛି ବିଜେପି । ଏନେଇ ବିଜେପି ପ୍ରତ୍ୟେକ ରାଜ୍ୟରେ ନିଜର ସଂଗଠନକୁ ମଜବୁତ କରିବା ପାଇଁ ପ୍ରଚାର, ରାଲି ପାଇଁ ପ୍ରି-ପ୍ଲାନ ପ୍ରସ୍ତୁତ କରିବା ଆରମ୍ଭ କରିଦେଇଛି । ତେବେ ବର୍ତ୍ତମାନ ସମୟରେ ବିରୋଧୀ ଦଳଙ୍କୁ ମଜବୁତ କରି ରଖିଥିବା ମୁସଲିମ୍ ଭୋଟ ବ୍ୟାଙ୍କ ଉପରେ ଭାଜପାର ନଜର ରହିଛି । ଏଥିପାଇଁ ମୁସଲିମ୍ ବହୁଳ ଲୋକସଭା କ୍ଷେତ୍ରରେ ମୁସଲମାନ ଭୋଟରଙ୍କୁ ‘ମୋଦୀ ମିତ୍ର’ କରିବା ଅଭିଯାନ ବିଜେପି ଆରମ୍ଭ କରିବାକୁ ଯାଉଛି ।

ଆଗାମୀ ନିର୍ବାନରେ କ୍ଷମତାକୁ ଆସିବା ପାଇଁ ବିଜେପି ମୁସଲିମ ସମ୍ପ୍ରଦାୟଙ୍କ ଦିଲ୍ ଜିତିବାକୁ ପ୍ରୟାସ କରୁଛି । ଦେଶର ସମସ୍ତ ମୁସଲିମ ବହୁଳ ଲୋକସଭା ସିଟରେ ମୁସଲମାନ ଭୋଟରଙ୍କୁ ‘ମୋଦୀ ମିତ୍ର’ କରାଇବା ପାଇଁ ରଣନୀତି ଆରମ୍ଭ ହୋଇଛି । ବିଜେପିର ସଂଖ୍ୟା ଲଘୁ ମୋର୍ଚ୍ଚା ଏହି ଅଭିଯାନର ନେତୃତ୍ୱ ନେବ । ଏଥିପାଇଁ ପାର୍ଟି ମୁସଲିମ ଅଞ୍ଚଳ ଓ ସିଟକୁ ଚିହ୍ନଟ କରିସାରିଛି । ତେବେ ‘ମୋଦୀ ମିତ୍ର’ କେତେଦୂର ସଫଳ ହେଉଛି ତାହାର ଫଳାଫଳ ଆସନ୍ତାବର୍ଷ ଜଣାପଡ଼ିବ ।

ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚାର ଦିଲ୍ଲୀ ପ୍ରଦେଶ ପ୍ରଭାରୀ ଆତିଫ ରଶୀଦ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି, ବିଜେପି ସାରା ଦେଶର ମୁସଲିମଙ୍କ ସହ ଜନସଂର୍ପ ଅଭିଯାନ ଆରମ୍ଭ କରିବାକୁ ଯାଉଛି । ଏହାଦ୍ୱାରା ଦଳ ସହିତ ଅଧିକ ମୁସଲିମ୍ ଭୋଟର ଯୋଡ଼ି ହୋଇ ପାରିବେ । ‘ଗାଁ-ଗାଁ-ଘର-ଘର’ ଅଭିଯାନ ମାଧ୍ୟମରେ ଭୋଟରଙ୍କ ଘରକୁ ଯାଇ ନରେନ୍ଦ୍ର ମୋଦୀ ସରକାରଙ୍କ ନୀତି, ଯୋଜନା ଓ କାର୍ଯ୍ୟ ବିଷୟରେ ଲୋକଙ୍କୁ ଅବଗତ କରାଯିବ । ପ୍ରତ୍ୟେକ ସ୍ତରରେ ମୁସଲିମଙ୍କ ଉପରେ ଫୋକସ୍ କରାଯିବ ।

ବିଜେପି, କଂଗ୍ରେସ କି ଅନ୍ୟ ଦଳର ସଦସ୍ୟ ନଥିବା ଏପରି ଅନେକ ଭୋଟର ପ୍ରତି ଆସନରେ ମିଳିଯିବେ, କିନ୍ତୁ ସେମାନେ ପିଏମ୍ ମୋଦୀଙ୍କ ନୀତିରେ ନିଶ୍ଚିତ ଭାବେ ପ୍ରଭାବିତ ହୋଇଥାନ୍ତି । ପ୍ରତି ଆସନରୁ ଏପରି ୫-୧୦ ହଜାର ଲୋକ ମିଳିଯିବେ । ସେମାନଙ୍କୁ ‘ମୋଦୀ ମିତ୍ର’ ଭାବେ ସୃଷ୍ଟି କରାଯିବ । ୩୦ ପ୍ରତିଶତରୁ ଅଧିକ ମୁସଲିମ ଜନସଂଖ୍ୟା ଥିବା ଏପରି ୬୫ଟି ଆସନକୁ ଚିହ୍ନଟ କରାଯାଇଛି । ଏହିସବୁ ଲୋକସଭା ସିଟରୁ ୫ ହଜାର ମୁସଲିମ ଭୋଟରଙ୍କୁ ଚିହ୍ନଟ କରାଯିବ, ସେମାନେ ଇନଫ୍ଲୁଏନ୍ସର୍ସ ଭୂମିକା ନିଭାଇ ପାରିବେ । ମୋଦୀ ସରକାରଙ୍କ ଯୋଜନା ଓ କାର୍ଯ୍ୟ ଦ୍ୱାରା କ’ଣ କ’ଣ ଫାଇଦା ମିଳିଛି ସେନେଇ ସେମାନେ କାର୍ଯ୍ୟ କରିବେ ।

ତେବେ ଏହି ‘ମୋଦୀ ମିତ୍ର’ ଡାକ୍ତର, ଇଞ୍ଜିନିୟର, ସାମାଜିକ କର୍ମୀ, ସାମ୍ବାଦିକ, ପ୍ରଫେସର କେହି ବି ହୋଇପାରିବେ । ଅନ୍ୟ ଭାଷାରେ କହିବାକୁ ଗଲେ ସେମାନେ ରାଜନୈତିକ କ୍ଷେତ୍ରରେ ସକ୍ରିୟ ନଥିଲେ ବି ସମାଜ ଉପରେ ପ୍ରଭାବ ପକାଇବାର କ୍ଷମତା ରଖିଥାନ୍ତି । ମୋଦୀ ସରକାରଙ୍କ ସନ୍ଦେଶ ଓ ନୀତିକୁ ମୁସଲମାନଙ୍କ ମଧ୍ୟରେ ସେମାନେ ଠିକ୍ ଭାବେ ପହଞ୍ଚାଇ ପାରିବେ । ପ୍ରତି ଲୋକସଭା ଆସନରୁ ‘ମୋଦୀ ମିତ୍ର’ ସୃଷ୍ଟି ହେବା ପରେ ସମ୍ମିଳନୀର ଆୟୋଜନ କରାଯିବ ।

ସାରା ଦେଶରେ ମୁସଲମାନଙ୍କ ଜନସଂଖ୍ୟା ୧୪ ପ୍ରତିଶତ ରହିଥିବା ବେଳେ ଏହା ରାଜନୈତିକ ଦଳ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ମୋଦୀଙ୍କ ନେତୃତ୍ୱରେ ସରକାର କ୍ଷମତାକୁ ଆସିବା ପରେ ବିଜେପି ମୁସଲିମ ଭୋଟରଙ୍କ ମଧ୍ୟରେ ନିଜର ସ୍ଥାନ ସୃଷ୍ଟି କରିବା ପାଇଁ ପ୍ରୟାସ କରିଆସୁଛି । ଏହି ସମ୍ପ୍ରଦାୟଙ୍କୁ ଯଦି ବିଜେପି ନିଜ ସହ ଯୋଡ଼ିପାରିବ ତେବେ ଆଗାମୀ ରାସ୍ତା ଆହୁରି ସହଜ ହୋଇଯିବ । ସେଥିପାଇଁ ବିଜେପି ମୁସଲମାନ ଭୋଟରଙ୍କ ମଧ୍ୟରେ ନିଜର ସ୍ୱତନ୍ତ୍ର ଛବି ସୃଷ୍ଟି ନେଇ ରଣନୀତି ପ୍ରସ୍ତୁତ କରୁଛି ।

ଦେଶର ମୋଟ ୫୪୩ଟି ଲୋକସଭା ଆସନ ମଧ୍ୟରୁ ୮୦ଟି ସିଟରେ ମୁସଲିମଙ୍କ ଜନସଂଖ୍ୟା ୨୦ ପ୍ରତିଶତରୁ ଅଧିକ ରହିଛି । ୬୫ଟି ସିଟରେ ମୁସଲିମଙ୍କ ଜନସଂଖ୍ୟା ୩୦ ପ୍ରତିଶତରୁ ଅଧିକ ରହିଛି । ଗତ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ୮୦ରୁ ୫୮ଟି ସିଟରେ ଜିତିଥିବା ବେଳେ ୨୨ଟିରେ ହାରିଥିଲା । ଏହି ନିର୍ବାଚନରେ ୨୭ଟି ସିଟରେ ମୁସଲମାନ ସାଂସଦ ନିର୍ବାଚିତ ହୋଇଥିଲେ । ସେହିପରି ଗତ ୨୦୧୪ ଲୋକସଭା ନିର୍ବାଚନରେ ୨୩ ଜଣ ମୁସଲିମ୍ ସାଂସଦ ଜିତିଥିଲେ ।

Get real time updates directly on you device, subscribe now.