ଭରୁଚ: ଗୁଜରାଟ ଭରୁଚର ଏକ କେମିକାଲ କମ୍ପାନୀରେ ବଡ଼ ଧରଣର ବିସ୍ଫୋରଣ ହୋଇଛି । ଏଥିରେ କମ୍ପାନୀର ୫ କର୍ମଚାରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁର୍ଘଟଣା ପରେ ଜଣେ କର୍ମଚାରୀ ନିଖୋଜ ଥିବା ଜଣାପଡିଛି । ନିଖୋଜ କର୍ମଚାରୀଙ୍କୁ ଖୋଜା ଚାଲିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଏକ ମାମଲା ରୁଜୁ କରିବା ସହ ବିସ୍ଫୋରଣ ପଛର କାରଣ ଜାଣିବାକୁ ତଦନ୍ତ ଜାରି ରଖିଛି ।
ସୂଚନା ଅନୁସାରେ, ରବିବାର ବିଳମ୍ବିତ ରାତିରେ ଭରୁଚର ଦେହେଜରେ ଥିବା ଓମ୍ ଅର୍ଗାନିକ୍ କେମିକାଲ କମ୍ପାନୀରେ ଏହି ବିସ୍ଫୋରଣ ଘଟିଛି । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, କମ୍ପାନୀରେ କାମ କରୁଥିବା ୫ କର୍ମଚାରୀ ଏହାର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି । ବିସ୍ଫୋରଣର ଶବ୍ଦ ଅନେକ ଦୂର ପର୍ଯ୍ୟନ୍ତ ଶୁଣା ଯାଇଥିଲା । ବ୍ଲାଷ୍ଟ ପରେ ଜଣେ କର୍ମଚାରୀ ନିଖୋଜ ଥିବା ଜଣାପଡିଛି, ଯାହାଙ୍କୁ ଆଖପାଖରେ ଖୋଜା ଚାଲିଛି ।
ତେବେ ଭରୂଚ କେମିକାଲ କମ୍ପାନୀରେ ବ୍ଳାଷ୍ଟର ଏହା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ବି କମ୍ପାନୀରେ ଅନେକଥର ବ୍ଲାଷ୍ଟ ହୋଇଛି । ୨୦୨୧ ଫେବ୍ରୁଆରୀ ୨୩ରେ ଜିଆଇଡିସିର କେମିକାଲ କମ୍ପାନୀ ୟୁପିଏଲ-୫ର ପ୍ଲାଣ୍ଟରେ ବିସ୍ଫୋରଣ ସହ ନିଆଁ ଲାଗିଥିଲା । ନିଆଁର ଶିକାର ହେବା ଫଳରେ ୨୪ ଜଣ ଲୋକ ଗୁରୁତର ଆହତ ହୋଇଥିଲେ ।