ନୂଆଦିଲ୍ଲୀ: ଏବେ ପର୍ଯ୍ୟନ୍ତ ଆପଣ ମାନେ ଅନେକ ରହସ୍ୟମୟୀ ସ୍ଥାନ ବିଷୟରେ ଜାଣିଥିବେ । ଆଉ ଏହିସବୁ ମଧ୍ୟରୁ କିଛି ସ୍ଥାନର କାହାଣୀ ଆପଣ ମାନଙ୍କୁ ଚିନ୍ତାରେ ପକାଇଥିବ ନିଶ୍ଚୟ । ତାହେଲେ ଚାଲନ୍ତୁ ଜାଣିବା ସେହି ଭଳି କିଛି ରହସ୍ୟମୟୀ ଗାଁ ବିଷୟରେ । ଦୁନିଆର କୋଣ ଅନୁକୋଣରେ ଅନେକ ପ୍ରକାରର ରହସ୍ୟମୟୀ ଗାଁ ରହିଛି । ହେଲେ ମେକ୍ସିକୋରେ ଥିବା ଏହି ଗାଁର କଥା ସମ୍ପୂର୍ଣ୍ଣ ଭିନ୍ନ । ମେକ୍ସିକୋର ଏହି ବିଚିତ୍ର ଗାଁରେ ମଣିଷ ଠାରୁ ଆରମ୍ଭ କରି ପଶୁ ପର୍ଯ୍ୟନ୍ତ ସମସ୍ତେ ଅନ୍ଧ । ଏହା ହେଉଛି ଦୁନିଆର ଏକମାତ୍ର ଅନ୍ଧ ଗାଁ ।
ମେକ୍ସିକୋରେ ଥିବା ଟିଲ୍ଟେପକ୍ ଗାଁକୁ ଅନ୍ଧ ଗାଁ କୁହାଯାଏ । ଏଠାରେ ବସବାସ କରୁଥିବା ମଣିଷ ଠାରୁ ଆରମ୍ଭ କରି ପଶୁ ପର୍ଯ୍ୟନ୍ତ ସମେସ୍ତ ଅନ୍ଧ ହୋଇଥିବାରୁ ଏହାକୁ ଦୁନିଆର ସବୁଠାରୁ ରହସ୍ୟମୟୀ ଗାଁ ଭାବେ ଧରାଯାଏ । ଏହି ଗାଁର ଲୋକମାନେ ଏକାବେଳକେ କିପରି ଅନ୍ଧ ହୋଇଗଲେ ତାହା ଉପରୁ ଆଜି ପର୍ଯ୍ୟନ୍ତ ପରଦା ହଟିପାରିନି ।
ରିପୋର୍ଟ ଅନୁସାରେ, ଏହି ଗାଁରେ ଜେପୋଟେକ୍ ଜନଜାତିର ଲୋକମାନେ ବାସ କରନ୍ତି । ଏହି ଜନଜାତିର ଛୁଆ ମାନେ ଜନ୍ମହେବା ସମୟରେ ସମ୍ପୂର୍ଣ୍ଣ ଠିକ୍ ଥାନ୍ତି । ହେଲେ କିଛି ଦିନ ପରେ କୌଣସି କାରଣରୁ ଦୃଷ୍ଟି ଶକ୍ତି ହରାଇ ବସନ୍ତି । ତେବେ ସେଠାକାର ଲୋକମାନଙ୍କ କହିବା କଥା ଯେ, ସେଠାରେ ଏମିତି ଏକ ଗଛ ରହିଛି । ଯାହାକୁ ଦେଖିବା ମାତ୍ରେ ପଶୁ ଠାରୁ ଆରମ୍ଭ କରି ମଣିଷ ପର୍ଯ୍ୟନ୍ତ ସମସ୍ତଙ୍କ ଆଖିର ଦୃଷ୍ଟିଶକ୍ତି ଚାଲିଯାଉଛି ।
ହେଲେ ଏହି ଅନ୍ଧ ହେବା ପଛରେ କୌଣସି ଗଛ ରହିଥିବା କଥାକୁ ବୈଜ୍ଞାନିକ ମାନେ ଗ୍ରହଣ କରୁନାହାନ୍ତି । ବରଂ ସେମାନଙ୍କ କହିବା କଥା ଯେ, କୌଣସି ଏକ ବିଷଧର ପୋକ ରହିଛି । ଯାହାର ଶିକାର ହୋଇ ଲୋକମାନେ ଅନ୍ଧ ହୋଇଯାଉଛନ୍ତି । ବୈଜ୍ଞାନିକ ମାନେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଗାଁରେ ୭୦ଟି କୁଡିଆ ଥିବା ବେଳେ ପାଖାପାଖି ୩୦୦ ଲୋକ ଏଠାରେ ରୁହନ୍ତି । ସବୁଠାରୁ ଖାସ୍ କଥା ହେଉଛି ଏଠାରେ ଥିବା ଘର ମାନଙ୍କରେ କାହାର ବି ଘରେ ଝରକା ନାହିଁ । ତେବେ କୁହାଯାଉଛି ଯେ, କିଛି ଲୋକଙ୍କ ଆଖି ଠିକ୍ ଥିବ ଯାହା ଫଳରେ ସେଠାରେ ଲୋକମାନେ ଚଳପ୍ରଚଳ କରିପାରୁଛନ୍ତି । ହେଲେ ଆଜି ପର୍ଯ୍ୟନ୍ତ କେହି ବି ସ୍ପଷ୍ଟ ରୂପେ ଏହି ଗାଁର ରହସ୍ୟ ଉନ୍ମୋଚନ କରିପାରି ନାହାନ୍ତି ।