ବଢ଼ିଚାଲିଛି ସାଇବର ଅପରାଧ, ଆକାଉଣ୍ଟ ବନ୍ଦ କରିବା ଗୋଟିଏ ସମାଧାନ !

ନୂଆଦିଲ୍ଲୀ: ଅନଲାଇନରେ ଫେକ୍ ଆକାଉଣ୍ଟ ଖୋଲି ସାଧାରଣ ଲୋକଙ୍କୁ ଠକୁଥିବା ଅଭିଯୋଗରେ ଗୃହମନ୍ତ୍ରଣାଳୟ ୫୯ ହଜାର ହ୍ୱାର୍ଟ୍ସଆପ୍ ଆକାଉଣ୍ଟ ଏବଂ ୧୭୦୦ରୁ ଅଧିକ ସ୍କାଇପ ଆକାଉଣ୍ଟ ବନ୍ଦ କରି ଦେଇଛନ୍ତି । କେନ୍ଦ୍ରୀୟ ଗୃହ ଷ୍ଟେଟ୍ ମିନିଷ୍ଟର ବନ୍ଦି ସଞ୍ଜୟ କୁମାର ଲୋକସଭାରେ ଏହାର ସୂଚନା ଦେଇଛନ୍ତି । ଇଣ୍ଡିଆନ୍ ସାଇବରକ୍ରାଇମ କୋଅର୍ଡିନେଶନ ସେଣ୍ଟର (ଆଇ୪ସି) ଅର୍ନ୍ତଗତ ଫେକ୍ ଆକାଉଣ୍ଟ ବନ୍ଦ କରିବା ଅଭିଯାନ ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା ସାଇବର ଠକେଇ, ଧମକ ସକ୍ରାନ୍ତରେ ୯.୯୪ ଲକ୍ଷରୁ ଅଧିକ ମାମଲା ସାମ୍ନାକୁ ଆସିଲାଣି । ବନ୍ଦ ହୋଇଥିବା ଆକାଉଣ୍ଟ ଜରିଆରେ ଅପରାଧୀ ଡିଜିଟାଲ ଫ୍ରାଡ କରୁଥିଲେ । ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ ନଭେମ୍ବର ୧୫ ତାରିଖ ସୁଦ୍ଧା ସରକାରଙ୍କ ଦ୍ୱାରା ୬.୬୯ ଲକ୍ଷରୁ ଅଧିକ ସିମ୍ କାର୍ଡ ଏବଂ ୧.୩୨ ଲକ୍ଷ ଆଇଏମଇଆଇକୁ ବ୍ଲକ୍ କରିଦିଆଯାଇଛି ।

ଡିଜିଟାଲ ଠକେଇ ଓ ସାଇବର ଅପରାଧକୁ ଦୂର କରିବା ପାଇଁ କେନ୍ଦ୍ର ସରକାର ଓ ଦୂରସଂଚାର ସେବା ପ୍ରଦାନକାରୀ ସଂସ୍ଥା ଏକ ଉପାୟ ବାହାର କରିଛନ୍ତି । ଡିଜିଟାଲ ଆରେଷ୍ଟ ସ୍କାମ ନେଇ ଖବରକାଗଜରେ ବିଜ୍ଞାପନ ଛପାଯାଉଥିବାବେଳେ ସୋସିଆଲ ମିଡିଆ କ୍ରିଏଟରମାନଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଉଛି । ସେମାନଙ୍କୁ ଡିଜିଟାଲ ଆରେଷ୍ଟ ସଂକ୍ରାନ୍ତରେ ପୋଷ୍ଟ କରିବା ପାଇଁ ମଧ୍ୟ କୁହାଯାଉଛି । ସେହିପରି ପ୍ରସାର ଭାରତୀରେ ଏ ସମ୍ପର୍କୀତ ତଥ୍ୟ ଦିଆଯାଉଥିବାବେଳେ ଆକାଶବାଣୀରେ ମଧ୍ୟ ବିଶେଷ କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି । ୨୦୨୧ରେ ଆଇ୪ସିର ଗଠନ କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା ଏହା ଜରିଆରେ ପାଖାପାଖି ୯,୯୪,୦୦୦ ଅଭିଯୋଗର ସମାଧାନ କରାଯାଇଛି ।