କଟକ: ମାଟ୍ରିକ ପରୀକ୍ଷା ପୂର୍ବରୁ ବୋର୍ଡର ପ୍ରେସମିଟ ହେଉଛି। ଫେବୃଆରୀ ୨୧ ତାରିଖରୁ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ମେଟ୍ରିକ ପରୀକ୍ଷା ଚାଲିବ ବୋଲି ବିଏସଇର ସଭାପତି ଶ୍ରୀକାନ୍ତ ତରାଇ ପ୍ରେସ ମିଟରେ ସୂଚନା ଦେଇଛନ୍ତି।
ସେ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗକୁ ନେଇ ମଧ୍ୟ ଆଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ଚଳିତ ବର୍ଷ ପ୍ରଶ୍ନପତ୍ର ଭାଇରାଲ ନ ହେବା ପାଇଁ କଡ଼ା ପଦକ୍ଷେପ ନିଆଯାଇଛି। ପ୍ରତି ପ୍ରଶ୍ନପତ୍ରରେ ସିରିଏଲ୍ ନମ୍ବର ରହିବ, ଯଦି ଭାଇରାଲ ହୁଏ ଏଥିରୁ ଜଣାପଡିଯିବ।
୩୧୩୩ କେନ୍ଦ୍ରରେ ହେବ ମାଟ୍ରିକ ପରୀକ୍ଷା। ପ୍ରତି ଜିଲ୍ଲାରେ ରହିବ ଗୋଟିଏ ଗୋଟିଏ ନୋଡାଲ ସେଣ୍ଟର। ୧୨ ତାରିଖରୁ କେନ୍ଦ୍ରକୁ ପଠାଯିବ ପ୍ରଶ୍ନପତ୍ର। ୧୯ ତାରିଖ ସୁଦ୍ଧା ସବୁ କେନ୍ଦ୍ରରେ ପହଞ୍ଚିବ ପ୍ରଶ୍ନପତ୍ର।
ଚଳିତ ବର୍ଷ ମେଟ୍ରିକ ପରୀକ୍ଷା ଦେବେ ୫ ଲକ୍ଷ ୧୦ ହଜାର ୭୭୮ ପରୀକ୍ଷାର୍ଥୀ। ପରୀକ୍ଷାର୍ଥୀଙ୍କୁ ଅନଲାଇନ ଏବଂ ଅଫଲାଇନରେ ଜରିଆରେ ଆଡମିଟ କାର୍ଡ ମିଳିବ। ୨୧ଟି ପୋଲିସ ଷ୍ଟେସନରେ ହୋଇଛି ନୋଡାଲ ସେଣ୍ଟର। ଗୋଟିଏ ସିଟିଂରେ ସବୁ ପରୀକ୍ଷା କରାଯିବ।
ତେବେ ସବୁ ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହେବ। ୫ରୁ ୧୦ କିମି ଭିତରେ ରହିବ ପରୀକ୍ଷା କେନ୍ଦ୍ର। ଏଥିସହ ପ୍ରଶ୍ନପତ୍ରରେ ରହିବ ୱାଟର ମାର୍କ ଏବଂ କ୍ୟୁଆର କୋଡ। ୭ଟା ୩୦ରୁ ୮ଟା ୩୦ ଭିତରେ ନୋଡାଲ୍ ସେଣ୍ଟର ଯିବ ପ୍ରଶ୍ନପତ୍ର।