ରାଜଧାନୀ ପାର୍କରେ ହତ୍ୟାକାଣ୍ଡ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ମିଳିଲା ନାବାଳକର ମୃତଦେହ
ପାର୍କରୁ ମିଳିଲା ନାବାଳକର ରକ୍ତ ଜୁଡୁବୁଡୁ ମୃତଦେହ। ହତ୍ୟାର କାରଣ ଅସ୍ପଷ୍ଟ।
ନୂଆଦିଲ୍ଲୀ: ରାଜଧାନୀରେ ଜଘନ୍ୟ କାଣ୍ଡ। ପାର୍କରୁ ମିଳିଲା ନାବାଳକର ମୃତଦେହ। କିଏ କଲା ହତ୍ୟା? କିପରି ହେଲା ହତ୍ୟା? କେଉଁ କାରଣ ପାଇଁ ନିଷ୍ପାପ ଛୁଆଟିକୁ ହତ୍ୟା କରାଯାଇଛି। ଆଉ ସବୁଠାରୁ ବଡ଼ କଥା ପାର୍କରୁ ମିଳିଛି ମୃତଦେହ। କିନ୍ତୁ ହତ୍ୟା ସମ୍ପର୍କରେ କେହି କିଛି କିପରି ଜାଣିନାହାନ୍ତି।
ଏମିତି ଅନେକ ପ୍ରଶ୍ନ ଏବେ ସାଧାରଣରେ ଘୂରି ବୁଲୁଛି। ହଁ ଉତ୍ତର-ପୂର୍ବ ଦିଲ୍ଲୀର ସୀଲମପୁରର ଏକ ସାର୍ବଜନୀନ ପାର୍କରେ ଜଣେ ୧୬ ବର୍ଷୀୟ ବାଳକକୁ ହତ୍ୟା କରାଯାଇଥିବା ଘଟଣା ସାମ୍ନାକୁ ଆସିଛି।
ପାର୍କରେ ହତ୍ୟାକାଣ୍ଡ: ଶନିବାର ଦିନ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଏହି ମାମଲାରେ ଦୁଇ ଜଣଙ୍କୁ ଅଟକ ରଖାଯାଇଛି, ଯେଉଁମାନଙ୍କ ମଧ୍ୟରୁ ଜଣେ ନାବାଳକ। ଗୁରୁବାର ରାତି ପ୍ରାୟ ସାଢ଼େ ୧୧ଟା ସମୟରେ ପୋଲିସ ନିୟମିତ ପାଟ୍ରୋଲିଂ ସମୟରେ ସୀଲମପୁରର ସେଣ୍ଟ୍ରାଲ ପାର୍କରେ ପହଞ୍ଚିବା ପରେ ଘଟଣାଟି ଜଣାପଡ଼ିଥିଲା।
ପାର୍କର ଏକ ବେଞ୍ଚ ଏବଂ ରାସ୍ତା ମଝିରେ ପୋଲିସ ୧୬ ବର୍ଷୀୟ ରେହାନ ଓରଫ ସୀଲାମପୁରିଆଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପାଇଥିଲା। ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ‘ପୁଲିସ ତୁରନ୍ତ ସ୍ଥାନୀୟ ପୋଲିସ ଷ୍ଟେସନକୁ ଖବର ଦେଇଥିଲା, ଯାହା ପରେ ବରିଷ୍ଠ ଅଧିକାରୀ ଏବଂ ପୋଲିସ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ।’
ପୀଡିତଙ୍କୁ ତୁରନ୍ତ ଜେପିସି ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଭାରତୀୟ ଦଣ୍ଡ ସଂହିତା (ଆଇପିସି)ର ପ୍ରାସଙ୍ଗିକ ଧାରା ଅନୁଯାୟୀ ସୀଲମପୁର ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଛି। କ୍ରାଇମ୍ ଏବଂ ଫୋରେନସିକ୍ ସାଇନ୍ସ ଲାବୋରେଟୋରୀର ଦଳ ଘଟଣାସ୍ଥଳରେ ପହଞ୍ଚି ପ୍ରମାଣ ସଂଗ୍ରହ କରିଛନ୍ତି।
ସ୍ଥାନୀୟ ଅଞ୍ଚଳରେ ଆତଙ୍କ: ପୋଲିସ ନିଡକ ଟିମ୍ ଗଠନ କରି ହତ୍ୟାକାରୀମାନଙ୍କୁ ଚିହ୍ନଟ ଏବଂ ଗିରଫ କରିବା ପାଇଁ କାମ ଆରମ୍ଭ କରିଥିଲା। ଜଣେ ନାବାଳକ ସମେତ ଦୁଇ ସନ୍ଦିଗ୍ଧଙ୍କୁ ହେପାଜତକୁ ନିଆଯାଇଛି ବୋଲି ଅଧିକାରୀ ଜଣକ କହିଛନ୍ତି।
ଏହି ଘଟଣା ସମ୍ପର୍କରେ ତାଙ୍କୁ ପଚରାଉଚରା କରାଯାଉଛି। ହତ୍ୟା ପଛର କାରଣ ଏବଂ ଅନ୍ୟ ସନ୍ଦିଗ୍ଧ ବ୍ୟକ୍ତିମାନଙ୍କୁ ଖୋଜିବା ପାଇଁ ପୋଲିସ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛି। ଏକ ସାର୍ବଜନୀନ ପାର୍କରେ ଘଟିଥିବା ଏହି ହୃଦୟବିଦାରକ ଘଟଣା ଯୋଗୁଁ ଅଞ୍ଚଳର ଲୋକଙ୍କ ମଧ୍ୟରେ ଆତଙ୍କର ବାତାବରଣ ରହିଛି।