fbpx

ରାଜଧାନୀରେ ‘Special-26’ ଷ୍ଟାଇଲ: ନକଲି CBIଙ୍କ ପ୍ଲାନକୁ ବିଗାଡ଼ିଦେଲା ଗୋଟିଏ ବ୍ୟାଗ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୋଲିସ ପକ୍ଷରୁ ଯେତେ କଠୋର ନିୟମ ପ୍ରଣୟନ କରାଗଲେ ମଧ୍ୟ ଚୋର ଆହୁରି ଚାଲାକ । ଆଜିକାଲିର ଚୋରମାନେ ନୂଆ ନୂଆ ଫର୍ମୂଲା ଆପଣାଇ ଲକ୍ଷ ଲକ୍ଷ, କୋଟି କୋଟି ଟଙ୍କା ଲୁଟିନେଉଛନ୍ତି । ଅନେକ ଚୋର ଫିଲ୍ମ ଷ୍ଟାଇଲରେ ଚୋରି କରି ଚମ୍ପଟ ମାରୁଥିବା ବେଳେ ଆଉ କେତେକ ପୋଲିସ ହାବୁଡ଼ରେ ପଡ଼ି ଜେଲ୍ ଯାଉଛନ୍ତି ।

ତେବେ ଏହା ମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି ଏକ ନୂଆ ଷ୍ଟାଇଲର କ୍ରାଇମ୍ । ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ସ୍ପେଶାଲ-୨୬’ ଷ୍ଟାଇଲରେ ଅପରାଧୀମାନେ ଲୁଟ୍ କରିଛନ୍ତି । ରାତି ଅଧରେ ଜଣେ ବ୍ୟକ୍ତିଙ୍କ ଘରେ ପଶି ନିଜକୁ ସିବିଆଇ ଅଧିକାରୀ ବୋଲି ପରିଚୟ ଦେଇ ୨ କୋଟି ଟଙ୍କା ଲୁଟି ନେଇଥିଲେ । ତେବେ ଅପରାଧୀମାନେ ଛାଡ଼ି ଯାଇଥିବା ଏକ ବ୍ୟାଗ୍ ସେମାନଙ୍କ ପାଇଁ କାଳ ସାଜିଥିଲା ।

ପରେ ପୋଲିସ ଅପରାଧୀଙ୍କୁ ଧରିବାରେ ସକ୍ଷମ ହୋଇଥିଲା । ସେମାନଙ୍କଠାରୁ ୧ କୋଟି ୨ ଲକ୍ଷ ଟଙ୍କା ସହିତ କିଛି ସୁନା ଅଳଙ୍କାର ଜବତ କରାଯାଇଛି । ଏହି ମାମଲାରେ ୫ ଜଣ ଅପରାଧୀଙ୍କୁ ଗିରଫ କରାଯାଇଛି । ଗତ ୨ ତାରିଖରେ ନନ୍ଦନ ବିହାରରେ ଘଟିଥିଲା ଏପରି ଏକ ଚର୍ଚ୍ଚିତ ଘଟଣା । ବିଳମ୍ବିତ ରାତିରେ ଚୋରମାନେ ଜଣେ ବ୍ୟକ୍ତିଙ୍କ ଘରେ ପଶି ନିଜକୁ ସିବିଆଇ ଅଧିକାରୀ ଭାବେ ପରିଚୟ ଦେଇଥିଲେ । ଏହାପରେ ଚୋରମାନେ ଲୁଟିନେଇଥିଲେ ବିଡ଼ା ବିଡ଼ା ୫ ଶହ ଟଙ୍କିଆ ନୋଟ୍ । ଏହି ଲୁଟକୁ ନେଇ ଏବେ ରାଜଧାନୀର ଗଳିକନ୍ଦିରେ ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.