fbpx

ଛୁଟିରେ ସବୁ ଜଜ ଏକ ସଙ୍ଗେ କାହିଁକି ଚାଲି ଯାଉଛନ୍ତି, ଜନତାଙ୍କ ସହ ଅନ୍ୟାୟ; ପ୍ରକ୍ରିୟା ବିରୋଧରେ ଜନସ୍ଵାର୍ଥ ମାମଲା

ନୂଆଦିଲ୍ଲୀ: ସବୁ ଜଜ ଛୁଟିରେ ଏକ ସଙ୍ଗେ କାହିଁକି ଚାଲି ଯାଉଛନ୍ତି। ଏଥିରେ ଶୁଣାଣି ପ୍ରଭାବିତ ହେଉଛି। ଲୋକଙ୍କୁ ହଇରାଣ ହେବାକୁ ପଡୁଛି। ଏମିତି ଅଭିଯୋଗ କରି ବମ୍ବେ ଉଚ୍ଚ ନ୍ୟାୟାଳୟରେ ଜନସ୍ଵାର୍ଥ ମାମଲା ଦାଖଲ କରାଯାଇଛି। ଦୀପାବଳି ପରେ ମାମଲାର ଶୁଣାଣି କରାଯିବ ବୋଲି ଉଚ୍ଚ ନ୍ୟାୟାଳୟ କହିଛନ୍ତି। ଉଲ୍ଲେଖନୀୟ ଉଚ୍ଚ ନ୍ୟାୟାଳୟରେ ଅକ୍ଟୋବର ୨୨ରୁ ଦୀପାବଳି ଛୁଟି ଆରମ୍ଭ ହେଉଛି। ଏହା ପରେ ନଭେମ୍ବର ୯ରେ ଯାଇ କୋର୍ଟ ଖୋଲିବ।

ସବିନା ଲକଡାଓ୍ଵାଲାଙ୍କ ପକ୍ଷରୁ ଜନସ୍ଵାର୍ଥ ଆବେଦନ ଆଗତ କରାଯାଇଛି। ଏଥିରେ ଅଭିଯୋଗ ହୋଇଛି ଯେ, ଜଜମାନଙ୍କୁ ଏମିତି ଛୁଟି ଦିଆଗଲେ ଏହା ନ୍ୟାୟ ପାଇଁ ଲଢୁଥିବା ଲୋକଙ୍କ ମୌଳିକ ଅଧିକାର ପ୍ରତି ଉପହାସ। ଲକଡାଓ୍ଵାଲାଙ୍କ ଓକିଲ ମାଥ୍ୟୁଜ ନେଦୁମପୁରା କହିଛନ୍ତି, ଆବେଦନକାରୀ ଜଜଙ୍କ ଛୁଟି ନେବା ବିରୋଧରେ ନାହାନ୍ତି ମାତ୍ର କୋର୍ଟର ସଦସ୍ୟଙ୍କୁ ଏକ ସଙ୍ଗେ ଛୁଟି ମିଳିବା ଉଚିତ୍ ନୁହେଁ। ଏମିତି ଛୁଟି ଦିଆଯାଉ ଯେମିତି ଅଦାଲତର କାମ ପ୍ରଭାବିତ ବି ହେବ ନାହିଁ ଏବଂ ପୂରା ବର୍ଷ କାମ ଜାରି ପାରିବ।
ଓକିଲ ନେଦୁମପୁରା ବିଚାରପତି ଏସ ବି ଗଙ୍ଗାପୁରଓ୍ଵାଲା ଏବଂ ବିଚାରପତି ଆର ଏନ ଲଢାଙ୍କ ପୀଠରେ ଯାଚିକା ଆଗତ କରି ତତ୍କାଳ ଶୁଣାଣି କରିବାକୁ ଅପିଲ୍ କରିଛନ୍ତି। ପୀଠ ଓକିଲଙ୍କୁ ପ୍ରଶ୍ନ କରିଛନ୍ତି ଯେ, ଏବେ ଜନସ୍ଵାର୍ଥ ମାମଲା କାହିଁକି ଦାଖଲ କରାଯାଉଛି। ୨୦୨୨ ପାଇଁ ଉଚ୍ଚ ନ୍ୟାୟାଳୟର କ୍ୟାଲେଣ୍ଡର ଗତ ବର୍ଷ ନଭେମ୍ବରରୁ ଜାରି କରାଯାଇଛି।

ପ୍ରତିବର୍ଷ ହୁଏ ତିନି ଥର ଛୁଟି
ଉଚ୍ଚ ନ୍ୟାୟାଳୟ କହିଛନ୍ତି, ଜନସ୍ଵାର୍ଥ ମାମଲା ଉପରେ ନଭେମ୍ବର ୧୫ରେ ଶୁଣାଣି କରାଯିବ। ସୂଚନାଯୋଗ୍ୟ, ଉଚ୍ଚ ନ୍ୟାୟାଳୟରେ ପ୍ରତି ବର୍ଷ ତିନି ଥର ଛୁଟି ହୋଇଥାଏ। ଗ୍ରୀଷ୍ମକାଳୀନ ଅବକାଶ(ଏକ ମାସ), ଦୀପାବଳିର ଛୁଟି(୨ ସପ୍ତାହ) ଏବଂ କ୍ରିସମସର ଛୁଟି(ଏକ ସପ୍ତାହ)। କିନ୍ତୁ ଏହି ସମୟରେ ଆବଶ୍ୟକ ନ୍ୟାୟିକ କାମ ପାଇଁ ସ୍ଵତନ୍ତ୍ର ଅବକାଶ ପୀଠ ରହିଥାନ୍ତି।

Get real time updates directly on you device, subscribe now.