ବୀରଭୂମ: ବୋମା ତିଆରି କରିବା ପଡିଲା ମହଙ୍ଗା। ଏକ ଦେଶୀ ବୋମା ଫୁଟିବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରେ ରବିବାର ଭୋରରେ ଏହି ଘଟଣା ଘଟିଛି। ଦୁଇ ମୃତକ ହେଲେ ଫରଜାନ ଏସକେ(୪୫) ଏବଂ ସଫିଫୁଲ ଇସଲାମ(୩୦)। ଏମାନେ ମାନିକଚକ ଥାନା ଅର୍ନ୍ତଗତ ଜେସରଥଲା ବାଲୁଟୋଲାରେ ଏକ ଖେତରେ ବୋମା ତିଆରି କରୁଥିଲେ। ଏହି ସମୟରେ ଦୁର୍ଭାଗ୍ୟବଶତଃ ବୋମା ଫୁଟିଥିଲା।
ପୋଲିସ ଅଧିକାରୀଙ୍କ ଅନୁଯାୟୀ, ସ୍ଥାନୀୟ ଲୋକେ ବିଳମ୍ଵିତ ରାତ୍ରି ପ୍ରାୟ ୨ଟା ୩୦ରେ ବୋମା ଫୁଟିବାର ଶବ୍ଦ ଶୁଣିଥିଲେ। ଏହାର ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ସେଠାରୁ ତିନି ଜଣଙ୍କୁ ଗୁରୁତର ଆହତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଆହତଙ୍କ ମାଲଦା ହସ୍ପିଟାଲ୍ ଏବଂ କଲେଜରେ ଚିକିତ୍ସା ଜାରି ରହିଛି।
ଘଟଣାସ୍ଥଳରୁ କିଛି କଞ୍ଚାମାଲ ମିଳିଛି, ଯାହାର ବ୍ୟବହାର ଦେଶୀ ବୋମା ତିଆରିରେ ବ୍ୟବହାର କରାଯାଉଥିଲା। ଏତେ ମାତ୍ରାରେ ବିସ୍ଫୋଟକ ଏଠାକୁ କେମିତି ଆସିଲା ପୋଲିସ ତାର ଖୋଳତାଡ ଆରମ୍ଭ କରି ଦେଇଛି। ବୋମା ତିଆରି କରିବାର ଉଦ୍ଦେଶ୍ୟ କଣ ଥିଲା ସେହି ଦିଗରୁ ମଧ୍ୟ ପୋଲିସ ତଦନ୍ତ ଚଳାଇଛି।
ସ୍ଥାନୀୟ ଲୋକଙ୍କ କହିବା କଥା ଜମି ବିବାଦକୁ ନେଇ ଶାସକ ତୃଣମୂଳ କଂଗ୍ରେସ ଭିତରେ ଗୋଷ୍ଠୀ କନ୍ଦଳ ଗତ କିଛି ସପ୍ତାହ ହେବ ଲାଗି ରହିଛି। ତେଣୁ ଏହି ଅଞ୍ଚଳରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଛି।