ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ସ୍ଥିତ ଶାସ୍ତ୍ରୀନଗରରେ ରହୁଥିବା ଶୁଭଶ୍ରୀ ମହାପାତ୍ରଙ୍କ ମୃତ୍ୟୁର ପର୍ଦ୍ଦାଫାସ ହୋଇଛି । ପୂର୍ବରୁ ଶୁଭଶ୍ରୀଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଥିବା ବେଳେ ଝୁଲନ୍ତା ଅବସ୍ଥାରେ ଶ୍ୱାସରୁଦ୍ଧ କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା ସ୍ପଷ୍ଟ ହୋଇଥିଲା । ତେବେ ଏହି ଘଟଣାରେ ଏବେ ଶୁଭଶ୍ରୀଙ୍କ ନୟାଗଡ଼ର ବୟଫ୍ରେଣ୍ଡ ଚିତ୍ତଙ୍କୁ ପୋଲିସ ଗିରଫ କରିଛି ।
ଶୁଭଶ୍ରୀଙ୍କ ଆତ୍ମହତ୍ୟା ପଛରେ ତାଙ୍କର ବୟଫ୍ରେଣ୍ଡର ହାତ ରହିଥିଲା । ଏନେଇ ସୁବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ । ଶୁଭଶ୍ରୀ ପୂର୍ବରୁ ବିବାହିତ ଥିବା ବେଳେ ପରକୀୟା ପ୍ରୀତି ହିଁ ଆତ୍ମହତ୍ୟା ପଛର ମୁଖ୍ୟ କାରଣ ଥିଲା । ପରବର୍ତ୍ତୀ ସମୟରେ ଏହା ଅବିଶ୍ୱାସ ଓ ଝଗଡ଼ାର ରୂପ ନେଇଥିଲା । ଶୁଭଶ୍ରୀ ଗତ ୨୦୧୪ରେ ବିବାହ କରିଥିବା ବେଳେ ୨୦୧୯ରେ ସେ ଚିତ୍ତଙ୍କ ସମ୍ପର୍କରେ ଆସିଥିଲେ ।
ଶୁଭଶ୍ରୀ-ଚିତ୍ତଙ୍କ ରିଲେସନସିପ ବଢ଼ିବା ପରେ ସମୟକ୍ରମେ ଉଭୟେ ଲଜରେ ରହିବା ସହ ବାହାରେ ବୁଲି ସମୟ କଟାଉଥିଲେ । ଦୁହିଁଙ୍କ ସମ୍ପର୍କକୁ ନେଇ ଶୁଭଶ୍ରୀଙ୍କ ସ୍ୱାମୀଙ୍କ ସନ୍ଦେହ ହୋଇଥିଲା ଓ ସେ ଗତ ମାସ ୨୮ ତାରିଖରେ ତାଙ୍କ ଗ୍ରାମକୁ ଯାଇଥିଲେ । ଶୁଭଶ୍ରୀ ତାଙ୍କର ଜଣେ ସମ୍ପର୍କୀୟଙ୍କୁ ଭେଟିବାକୁ କ୍ୟାପିଟାଲ ହସ୍ପିଟାଲକୁ ଯାଇଥିବା ସମୟରେ ତାଙ୍କୁ ଚିତ୍ତ ଗାଳିଗୁଲଜ କରିଥିଲେ । ଏହାକୁ ନେଇ ଚିତ୍ତ ଶୁଭଶ୍ରୀଙ୍କ ଘରକୁ ଯାଇ ଝଗଡ଼ା କରିବା ସହ ମାରପିଟ୍ କରିଥିଲା । ଏହି ଘଟଣାକୁ ନେଇ ଶୁଭଶ୍ରୀ ମାନସିକ ଅବସାଦରେ ରହିବା ସହ ଆତ୍ମହତ୍ୟା କରିଥିବା ଡିସିପି କହିଛନ୍ତି ।