fbpx

ବି-ଟାଉନ୍‌ ‘ବୟକଟ୍‌’ ଟ୍ରେଣ୍ଡ : ଆମୀର,ଶାହାରୁଖ, ଅକ୍ଷୟଙ୍କ ପରେ ଭାଇଜାନ ସଲମାନଙ୍କ ପାଳି ‘ବୟକଟ୍‌ ଟାଇଗର-୩’

ମୁମ୍ବାଇ: ବଲିଉଡ ଉପରେ ଲାଗିଛି ଏବେ ‘ବୟକଟ୍‌’ ଗ୍ରହଣ । ବି-ଟାଉନ୍‌କୁ ଗ୍ରାସ କରିଛି ‘ବୟକଟ୍‌’ ଟ୍ରେଣ୍ଡ । ବଲିଉଡ ଫିଲ୍ମକୁ ବୟକଟ୍‌ ପାଇଁ ଦାବି ଜୋର ଧରିଛି । ପ୍ରଥମେ ‘ଲାଲ ସିଂହ ଚଡ୍ଡା’, ‘ପଠାନ’ ଏବଂ ‘ରକ୍ଷା ବନ୍ଧନ’କୁ ବୟକଟ୍‌ କରିବା ପାଇଁ ଦାବି ହୋଇଥିଲା । ଏହାପରେ ହ୍ରିତିକ ରୋସନଙ୍କ ଫିଲ୍ମକୁ ମଧ୍ୟ ବୟକଟ୍‌ କରିବା ପାଇଁ ଦାବି ଉଠିଥିଲା । ବର୍ତ୍ତମାନ ଏହି ତାଲିକାରେ ବଲିଉଡର ଭାଇଜାନ ସଲମାନ ଖାନ୍‌ଙ୍କ ଫିଲ୍ମ ‘ଟାଇଗର-୩’ ମଧ୍ୟ ସାମିଲ ହୋଇଛି ।

ଆମୀର ଖାନ, ଶାହାରୁଖ ଖାନ ଏବଂ ଅକ୍ଷୟ କୁମାରଙ୍କ ପରେ ସଲମାନ ଖାନ ଏବେ ସୋସାଲ ମିଡିଆରେ ଟ୍ରୋଲର୍ସଙ୍କ ଟାର୍ଗେଟରେ ଆସିଛନ୍ତି । ଆସନ୍ତାବ ର୍ଷ ରିଲିଜ ହେବାକୁ ଯାଉଛି ବହୁ ପ୍ରତିକ୍ଷିତ ଫିଲ୍ମ ‘ଟାଇଗର-୩’ । ତେବେ ରିଲିଜ ପୂର୍ବରୁ ଫିଲ୍ମଟି ବିବାଦ ଭିତରେ ଫିଶିଛି । ସୋଶାଲ ମିଡିଆରେ ଫିଲ୍ମକୁ ନେଇ ଆରମ୍ଭ ହୋଇଯାଇଛି ‘ବୟକଟ୍‌ ଟାଇଗର-୩’ ଟ୍ରେଣ୍ଡ । ଟାଇଗର-୩କୁ ବିରୋଧ କରି କିଛି ୟୁଜର୍ସ ଜୋରଦାର କମେଣ୍ଟ କରିଛନ୍ତି । କେବଳ ସେତିକି ନୁହେଁ ସଲମାନଙ୍କ ପୁରୁଣା ପୋଷ୍ଟକୁ ନେଇ ମଧ୍ୟ ତାଙ୍କୁ ଟାର୍ଗେଟ୍‌ କରିବାରେ ଲାଗିଛନ୍ତି ।

ୟୁଜର୍ସଙ୍କ କହିବା ମୁତାବକ, ଖୁବ୍‌ଶୀଘ୍ର ବଲିଉଡରୁ ଭାଇଜାନ, ବାଦଶାହ ଓ ମିଷ୍ଟର ପରଫେକ୍ସନିଷ୍ଟଙ୍କ ଖେଳ ଶେଷ ହେବ । ଆଉ କିଛି ଲୋକେ ସଲମାନଙ୍କ ଅପରାଧ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି । ଆର୍ମସ୍‌ ଆକ୍ଟଠାରୁ ଆରମ୍ଭ କରି କୃଷ୍ଣସାର ମୃଗ ଶିକାର ମାମଲା ଯାଏଁ ପୂରା ଅପରାଧ ତାଲିକା ପୋଷ୍ଟ କରି ସଲମାନଙ୍କୁ ଟ୍ରୋଲ କରାଯାଉଛି । କେବଳ ସେତିକି ନୁହେଁ ସଲମାନଙ୍କ ଏକ ପୁରୁଣା ଭିଡିଓ ମଧ୍ୟ ଜୋରସୋରରେ ଭାଇରାଲ ହେଉଛି, ଯେଉଁଥିରେ ମୁମ୍ବାଇ ଆକ୍ରମଣ ପଛରେ ପାକିସ୍ତାନର ହାତ ଥିବା କଥାକୁ ସେ ଖଣ୍ଡନ କରୁଥିବା ଦେଖିବାକୁ ମିଳିଛି । ଏହି ଭିଡିଓକୁ ଶେଆର କରି ୟୁଜର୍ସ ତାଙ୍କୁ ଟାର୍ଗେଟ୍‌ କରି ଏହାକୁ କେବେବି ଆମେ ଭୁଲି ପାରିବୁ ନାହିଁ ବୋଲି କହିଛନ୍ତି ।

ଗତକିଛି ଦିନ ହେବ ଲଗାତର ବଲିଉଡ ଫିଲ୍ମଗୁଡିକୁ ବୟକଟ୍‌ ପାଇଁ କିଛି ଲୋକ ଦାବି କରିଆସୁଛନ୍ତି । ଏହାର ପ୍ରଭାବ ଏବେ ବକ୍ସ ଅଫିସ ଉପରେ ପଢ଼ିଛି । ନିକଟରେ କେବଳ ଗୋଟିଏ କିମ୍ବା ଦୁଇଟି ଫିଲ୍ମକୁ ଛାଡି ଦେଲେ ଅଧିକାଂଶ ହିନ୍ଦୀ ଫିଲ୍ମ ଫ୍ଲପ୍ ହୋଇଛି । ସେହିପରି ବିଗ୍‌ ବଜେଟ୍‌ ଫିଲ୍ମଗୁଡିକ ମଧ୍ୟ ଭଲ ଆୟ କରିପାରିନାହିଁ ।

Get real time updates directly on you device, subscribe now.