fbpx

ବଢ଼ୁଛି ଜଳକା, ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖା ନଦୀ: ବିପଦ ସଙ୍କେତ ଉପରେ ବୈତରଣୀ, ବୁଡ଼ିଲା ବ୍ରହ୍ମଚାରୀପାଟଣା ବନ୍ଧ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲଘୁଚାପ ଜନିତ ବର୍ଷା କମିଥିଲେ ବି ଟଳିନି ବିପଦ । ଜଳକା, ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ମଥାନୀରେ ଜଳକା ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ମଥାନୀରେ ବିପଦ ସଙ୍କେତ ୫.୫୦ ମି. ହୋଇଥିବା ବେଳେ ଜଳସ୍ତର ୬.୯୦ ମି. ରହିଛି ।

ସେହିପରି ବୁଢ଼ାବଳଙ୍ଗର ବିପଦ ସଙ୍କେତ ୮.୧୩ ମି. ଥିବାବେଳେ ଜଳସ୍ତର ୭.୪୨ ମି. ରହିଛି । ସୁବର୍ଣ୍ଣରେଖା ବିପଦ ସଙ୍କେତ ୧୦.୩୬ ମି. ହୋଇଥିବା ବେଳେ ଜଳସ୍ତର ୭.୯୮ ମି. ରହିଛି ।
ଅନ୍ୟପଟେ କୂଳ ଲଙ୍ଘୁଛି ବୈତରଣୀ । ବିପଦ ସଙ୍କେତ ଉପରେ ବୈତରଣୀ ପ୍ରବାହିତ ହେଉଛି । ଆନନ୍ଦପୁରରେ ବିପଦ ସଙ୍କେତ ୩୮.୩୬ ମି. ଥିବାବେଳେ ଜଳସ୍ତର ୩୯.୦୮ ମି. ରହିଛି । ଆଖୁଆପଦାରେ ବିପଦ ସଙ୍କେତ ୧୭.୮୩ ମି. ରହିଥିବା ବେଳେ ଜଳସ୍ତର ୧୮.୮୩ ମି. ରହିଛି । ହାଟଡିହି ବ୍ଲକର ଅୟତପୁର, ନୂଆଗାଁ, ରଘୁନାଥପୁରରେ ପଶିଛି ପାଣି । ଭଦ୍ରକ ଜିଲ୍ଲାର ୪ଟି ବ୍ଲକର ୧୪ ପଞ୍ଚାୟତ ପ୍ରଭାବିତ ହେବାର ଆଶଙ୍କା ରହିଛି ।

ସେହିପରି ଯାଜପୁର ବ୍ରହ୍ମଚାରୀପାଟଣା ନିକଟ ନଦୀବନ୍ଧ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ନଦୀବନ୍ଧ ଉପର ଦେଇ କାଣୀନଦୀର ବନ୍ୟାଜଳ ପ୍ରବାହିତ ହେଉଛି । ପ୍ରଥମ ବନ୍ୟାରେ ବ୍ରହ୍ମଚାରୀପାଟଣା ନଦୀବନ୍ଧରେ ଘାଇ ହୋଇଥିଲା । ୪ ଦିନ ତଳେ ମରାମରି ହୋଇଥିବା ବେଳେ ଏବେ ବନ୍ୟାପାଣିରେ ବୁଡ଼ିଯାଇଛି । ବ୍ରହ୍ମଚାରୀପାଟଣା, ଅହିୟାସ, କସପା, ମଲ୍ଲିକାପୁରବାସୀ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି ।

Get real time updates directly on you device, subscribe now.