ପୁଣି ଏକ ଦୁଃଖ ଖବର: ବ୍ରହ୍ମଗିରି ବିଧାୟକଙ୍କ ମାତୃ ବିୟୋଗ, ଶୋକ ପ୍ରକାଶ କଲେ ଧର୍ମେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନର ପ୍ରାର୍ଥୀ ଘୋଷଣା ପାଇଁ ରାଜନୈତକ ଦଳମାନେ ବ୍ୟସ୍ତ ରହିଥିବା ବେଳେ ନିର୍ବାଚନରେ କିପରି ବିଜୟ ହାସଲ କରିବେ ସେନେଇ ନେତାମାନେ ଲାଗି ପଡ଼ିଛନ୍ତି । ତେବେ ଏହା ମଧ୍ୟରେ ଗତକାଲି ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ପିତା ଗୌରୀ ଅମାତଙ୍କର ୯୦ ବର୍ଷ ବୟସରେ ପରଲୋକ ଘଟିଥିଲା । ଉକ୍ତ ଦୁଃଖ ମନରୁ ନ ଲିଭୁଣୁ ପୁଣି ଆସିଛି ଏକ ଦୁଃଖ ଖବର ।

ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ମାତୃ ବିୟୋଗ ଘଟିଛି । ଲଳିତେନ୍ଦୁଙ୍କ ମାଆ ଶୁଭଲକ୍ଷ୍ମୀ ଦେବୀ ୯୩ ବର୍ଷ ବୟସରେ ରାଜଧାନୀର କ୍ୟାପିଟାଲ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଏହି ଦୁଃଖ ଖବର ଶୁଣିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ସନ୍ତପ୍ତ ପରିବାରଙ୍କୁ ଭେଟି ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ଏଥିସହିତ ବିଜେପି ମୁଖ୍ୟ ସଚେତକ ମୋହନ ମାଝି ମଧ୍ୟ ଶୋକ ପରିବାର ସଦସ୍ୟଙ୍କୁ ଆଶ୍ୱାସନା ଦେଇଥିଲେ ।

ଶୁଭଲକ୍ଷ୍ମୀ ହେଉଛନ୍ତି ବରିଷ୍ଠ କଂଗ୍ରେସ ନେତା ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ମାଆ । ଗତ ୨୦୧୬ ମସିହାରେ ଲୁଲୁଙ୍କ ପରଲୋକ ଘଟିଥିଲା । ପୁରୀର ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରୁ ଏଥର ବିଜେପି ପ୍ରାର୍ଥୀ ହୋଇଥିବା ଲୁଲୁଙ୍କ ଝିଅ ଉପାସନା ମହାପାତ୍ର ଗତକାଲି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶିର୍ବାଦ ନେଇ ଫେରିଥିଲେ । ଆଜି ଜେଜେ ମାଆଙ୍କ ବିୟୋଗ ଖବର ଶୁଣିବା ପରେ ସେ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ିଛନ୍ତି ।