fbpx

କୋଭିଡ୍ ନିୟମାବଳୀ ଉଲଂଘନ କରି ଜୋରିମାନା ଦେବେ ବ୍ରାଜିଲ୍ ରାଷ୍ଟ୍ରପତି

ବ୍ରାଜିଲ୍ : କୋଭିଡ୍ ମହାମାରୀ କବଳରେ ସମଗ୍ର ବିଶ୍ୱ ହନ୍ତସନ୍ତ ହେଉଛି । ଏହି ସମୟରେ ବ୍ରାଜିଲ୍ ରେ ମଧ୍ୟ କରୋନା କାୟା ମେଲାଇଛି । ଭାରତରେ ବର୍ତ୍ତମାନ ଯେପରି ପରିସ୍ଥିତି ଅଣାୟତ ରହିଛି ଠିକ୍ ସେହିପରି ବ୍ରାଜିଲ୍ ରେ ମଧ୍ୟ କରୋନା ବେକାବୁ ଅବସ୍ଥାରେ ରହିଛି । ଦେଶର ଏପରି କଠିନ ମୁହୁର୍ତ୍ତରେ ବ୍ରାଜିଲ୍ ରାଷ୍ଟ୍ରପତି ଜାଇର୍ ବୋଲ୍ସୋନାରୋ କରୋନା ନିୟମାବଳୀ ଉଲଂଘନ କରିଛନ୍ତି । ଏକ ସର୍ବସାଧାରଣ କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍ୱାସ୍ଥ୍ୟ ସୁରକ୍ଷା ନିୟମକୁ ମାନିବାରେ ବିଫଳ ହୋଇଛନ୍ତି ରାଷ୍ଟ୍ରପତି । ତେଣୁ ଏନେଇ ସେ ଜୋରିମାନା ଭରିବେ ବୋଲି ଜଣାପଡିଛି । ଏନେଇ ସୂଚନା ଦେଇଛନ୍ତି ମାରାନାଓର ରାଜ୍ୟପାଳ ।

ସୂଚନା ମୁତାବକ, ଉତ୍ତରପୂର୍ବାଞ୍ଚଳ ରାଜ୍ୟ ମାରାନାଓର ବାମପନ୍ଥୀ ରାଜ୍ୟପାଳ ଫ୍ଲାବୋ ଡିନୋ ଟୁଇଟ୍ କରି ଲେଖିଛନ୍ତି, ସ୍ବାସ୍ଥ୍ୟଗତ ସୁରକ୍ଷା ବିନା ମାରାନାଓରେ ଜନସମାଗମ କରାଇଥିବାରୁ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷମାନେ ବୋଲ୍ସୋନାରୋଙ୍କ ନାମରେ ମାମଲା ଦାଏର କରିଛନ୍ତି । ଆଇନ ସମସ୍ତଙ୍କ କ୍ଷେତ୍ରରେ ପ୍ରଯୁଜ୍ୟ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଦେଶରେ ୧୦୦ରୁ ଅଧିକ ଜନତାଙ୍କ ଏକାଠି ହେବାକୁ ନିଷେନ କରାଯାଇଛି । ଏଥିସହ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯାଇଛି । ଏହି ମାମଲା ବିପକ୍ଷରେ ଆବେଦନ କରିବା ଲାଗି ବୋଲ୍ସୋନାରୋଙ୍କ କାର୍ୟ୍ୟାଳୟକୁ ୧୫ ଦିନ ସମୟ ଦିଆଯାଇଛି । ଏହା ପରେ ଜୋରିମାନାର ଅର୍ଥରାଶି ଘୋଷଣା କରାଯିବ ।

ସୂଚନାଯୋଗ୍ୟ, ରାଷ୍ଟ୍ରପତି ବୋଲସୋନାରୋ ମାରାନାଓ ରାଜ୍ୟର ରାଜଧାନୀ ସାଓ ଲୁଇସ୍ ଠାରୁ ପ୍ରାୟ ୫୦୦ କିଲୋମିଟର ଦୂର ଆକାଇଲାଣ୍ଡିଆରେ ମଫସଲ ଜମି ପଟ୍ଟା ପ୍ରଦାନ କରୁଥିଲେ । ଏହି ପରିପ୍ରେକ୍ଷୀରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ସେ ମାସ୍କ ପରିଧାନ କରିନଥିଲେ । ଖାଲି ସେତିକି ନୁହେଁ ରାଜ୍ୟପାଳ ଡିନୋଙ୍କୁ ‘ମୋଟୁ ଏକଚ୍ଛତ୍ରବାଦୀ’ କହି ସମାଲୋଚନା ମଧ୍ୟ କରିଥିଲେ ।

Get real time updates directly on you device, subscribe now.