ଭୁବନେଶ୍ୱର- ଚଳିତ ବାଲିଯାତ୍ରା ଦେବ ନିଆରା ସ୍ୱାଦ । ଦେଶୀ ସବ ବିଦେଶୀ କଳାକାରଙ୍କ ପ୍ରଦର୍ଶନ ମନମୋହିବ ଲୋକଙ୍କର । ଏଥିପାଇଁ ମୋହନ ସରକାର ତରଫରୁ ବିଶେଷ ବ୍ୟବସ୍ଥା କରାଯାଇଛି । ଚଳିତ ଥର ଲୋକ ଗହଳିକୁ ଦୃଷ୍ଟିରେ ରଖି ସରକାର ଉପର ଓ ତଳ ପଡିଆରେ ବାଲିଯାତ୍ରା ପାଇଁ ଅନୁମତି ଦେଇଛନ୍ତି । ଏହାକୁ ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉଦଘାଟନ କରିବେ । ତେବେ ଚଳିତ ବାଲିଯାତ୍ରାରେ ୧୩ ରାଷ୍ଟ୍ରର ରାଷ୍ଟ୍ରଦୂତ ମଧ୍ୟ ଯୋଗଦେବେ ବୋଲି ଜିଲାପାଳ ସୂଚନା ଦେଇଛନ୍ତି ।
ଆସନ୍ତା କାଲିଠାରୁ ବାଲିଯାତ୍ରା ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ଉପର ଓ ତଳ ଉଭୟ ପଡିଆରେ ଷ୍ଟଲ ଖୋଲିବାକୁ ଅନୁମତି ଦିଆଯାଇଛି । ଏହି ଦୁଇ ପଡିଆ ପାଇଁ ୪ଟି ଗେଟ ହେବ । ଚଳିତ ବାଲିଯାତ୍ରାକୁ ମୁଖ୍ୟମନ୍ତ୍ରୀ ଶୁକ୍ରବାର ସନ୍ଧ୍ୟାରେ ଉଦଘାଟନ କରିବେ । ଏହି ଉଦଘାଟନୀ ଉତ୍ସବରେ ବିଦେଶୀ ରାଷ୍ଟ୍ରଦୂତ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଚଳିତ ବାଲିଯାତ୍ରାରେ ୧୩ ଦେଶର ରାଷ୍ଟ୍ରଦୂତ ଯୋଗଦେବେ । ପ୍ରତିଦିନ ଗୋଟିଏ ଗୋଟିଏ ଦେଶର କଳାକାର ବାଲିଯାତ୍ରା ମଞ୍ଚରେ ସେମାନଙ୍କ କଳା, ସଂସ୍କୃତି ପ୍ରଦର୍ଶନ କରିବେ ।
ପଡିଆରେ ଦେଶୀ ଓ ବିଦେଶୀ ସଂସ୍କୃତିର ମିଳନ ହେବ । ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ଷ୍ଟଲରେ ସେଠାକାର ଖାଦ୍ୟ ସମାଗ୍ରୀ ବିକ୍ରି ହେବା ସହ ସେଠାର ହସ୍ତତନ୍ତର ପ୍ରଦର୍ଶନ ହେବାର ବ୍ୟବସ୍ଥା ହୋଇଛି । ସେହିପରି ଆମର ବିଭିନ୍ନ ପିଠା, ଘରୋପକରଣ ଆଦି ମଧ୍ୟ ବିକ୍ରି ହେବ ଷ୍ଟଲରେ । ଲୋକଙ୍କ ଭିଡ ନିୟନ୍ତ୍ରଣ ପାଇଁ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି । ବୃଦ୍ଧ- ବୃଦ୍ଧାଙ୍କ ସୁବିଧା ପାଇଁ ଇ- ରିକ୍ସାର ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ । ଏହି ବାଲିଯାତ୍ରା, ଆସନ୍ତା କାଲିଠାରୁ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ।