Breaking- ଆଶିଷଙ୍କ ପରେ କୁଟ୍ଟେ ଯିବେ ଡେପୁଟେସନରେ

ଭୁବନେଶ୍ୱର- ବହୁ ଚର୍ଚ୍ଚିତ ତଥା ବିବାଦୀୟ ଆଇପିଏସ ଅଧିକାରୀ ଡି ଏସ କୁଟ୍ଟେ ଯିବେ କେନ୍ଦ୍ରୀୟ ଡେପୁଟେସନରେ । ଆଜି ଏନେଇ ଆସିଛି ଚିଠି । ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ର ସରକାରଙ୍କ ତରଫରୁ ଚିଠି ହୋଇଛି । ଚିଠିରେ ୧୯୯୭ ବ୍ୟାଚର ଡିରେନ୍ଦ୍ର ସାମ୍ଭାଜି କୁଟ୍ଟେଙ୍କୁ ବିଏସଏଫ ଆଇଜି ଭାବେ ନିଯୁକ୍ତି ଦିଆଯାଇଥିବା କୁହାଯାଇଛି । ସେ ଏହି ପଦରେ ୨୯. ଫେବୃଆରୀ ୨୦୨୮ ବା ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ରହିବେ ବୋଲି ଉଲ୍ଲେଖ କରାଯାଇଛି । ତେଣୁ ତାଙ୍କୁ ତୁରନ୍ତ ତାଙ୍କ ଦାୟିତ୍ୱରୁ ମୁକ୍ତ କରିବାକୁ ଚିଠିରେ ଉଲ୍ଲେଖ ରହିଛି ।

ଏବେ କୁଟ୍ଟେ ରାଜ୍ୟ ଗୃହ ବିଭାଗର ଓଏସଡି ଭାବେ ଦାୟିତ୍ୱ ତୁଲାଉଛନ୍ତି । ସେ ପୂର୍ବ ସରକାରରେ ସିଏମଓର ଜଣେ କରିତକର୍ମା ଅଧିକାରୀ ଥିଲେ ।  ୬ ଡିସେମ୍ବରରେ ହୋଇଥିବା ଚିଠିରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଆଡ୍ରେସ କରାଯାଇଛି । ତାଙ୍କୁ ତୁରନ୍ତ ହିଁ ଓଏସଡି ପଦରୁ ମୁକ୍ତ କରିବାକୁ କୁହାଯାଇଛି । ଆଗକୁ କୁଟେ ବିଏସଏଫ ଆଇଜି ଦାୟିତ୍ୱ ତୁଲାଇବେ । କୁଟେଙ୍କ ଆଗରୁ ଗତକାଲି ତାଙ୍କ ସହଯୋଗୀ ତଥା ବିଜେଡିର ଅନୁଗତ ଆଇପିଏସ ଅଧିକାରୀଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ଯିବାକୁ ମଧ୍ୟ ନିର୍ଦ୍ଦେଶ ଆସିଥିଲା । ଉୟଭ ଗତ ସରକାରରେ ଶାସକ ଦଳର କାର୍ପଟଦାର ଅଧିକାରୀ ଥିଲେ । ଉଭୟ ସରକାରରେ ପ୍ରମୁଖ ଭୂମିକା ତୁଲାଉଥିଲେ । ଏମିତି କି ଲୋକଙ୍କୁ ଧମକ ଚମକ ଦେଇ ବିଜେଡି ସପକ୍ଷରେ ଭୋଟ ସଂଗ୍ରହ କରୁଥିବା ଅଭିଯୋଗ ହେଉଥିଲା ।

ଡି ଏସ କୁଟେ ତଥା ଆଶିଷ ସିଂହଙ୍କ ବିରୋଧରେ ଗତ ସାଧାରଣ ନିର୍ବାଚନ କାଳରେ ନିର୍ବାଚନ କମିଶନ ଅଫ ଇଣ୍ଡିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ଉଭୟଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଥିଲେ ଶାସକ ଦଳର ହାତ ବାରିସି ସାଜିଥିବାରୁ । ଗୋଟିଏ ପଟେ ଆଶିଷ ସିଂହ ନିଜକୁ ଅସୁସ୍ଥ ଦର୍ଶାଇ ଛୁଟି ନେଇ ନିର୍ବାଚନ କାମ ତୁଲାଉଥିଲେ । ଅନ୍ୟପଟେ ସିଏମଓରେ ଥିବା କୁଟେଙ୍କ ନିର୍ଦ୍ଦେଶରେ ଜିଲ୍ଲାପାଳ ତଥା ଏସପିଙ୍କୁ ବିରୋଧୀ ନେତାଙ୍କୁ ଡରାଇ ଧମକା କାମ କରୁଥିଲେ । ଏନେଇ ମୁଖ୍ୟ ନିର୍ବାଚନ କମିଶନଙ୍କ ନିକଟରେ ବିଜେପି ଅଭିଯୋଗ କରିଥିଲା । ଅଭିଯୋଗ ଆଧାରରେ ତଦନ୍ତ କରି କୁଟେଙ୍କ ବିରୋଧରେ ତଥ୍ୟ ପ୍ରମାଣ ମିଳିଥିଲା ।

କୁଟେଙ୍କ ନିର୍ଦ୍ଦେଶରେ ଖୋର୍ଦ୍ଧା ବିଜେପି ପ୍ରାର୍ଥୀ ତଥା ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ମିଛରେ ଗିରଫ କରି ଜେଲ ପଠାଇଥିବା ତଥ୍ୟ ସାମ୍ନାକୁ ଆସିଥିଲା । ଏହା ପରେ କୁଟେଙ୍କୁ ତତ୍କ୍ଷଣାତ୍ ଇସିଆଇ ନିଲମ୍ବନ କରିବା ସହ ଦିଲ୍ଲୀ ଆବାସିକ କାର୍ଯ୍ୟାଳୟରେ ଯୋଗଦେବାକୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଆଶିଷ ସିଂହଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ଇସିଆଇ ଦେଇଥିବା ନିର୍ଦ୍ଦେଶରେ ତାଙ୍କ ଠାରେ କୌଣସି ସେମିତି ବଡ ସ୍ୱାସ୍ଥ୍ୟଗତ ସମସ୍ୟା ନ ଥିବା ଜଣା ପଡିଥିଲା । ସେ ମଧ୍ୟ ନିଲମ୍ବିତ ହୋଇଥିଲେ ।

ମୋହନ ସରକାର କ୍ଷମତାକୁ ଆସିବା ପରେ ଉଭୟଙ୍କ ବିରୋଧରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ଇସିଆଇ ନିର୍ଦ୍ଦେଶ ଦେଇଥିଲେ । ମୋହନ ସରକାର ଉଭୟଙ୍କୁ କ୍ଷମତାରୁ ବାହାର କରି ଗୃହ ବିଭାଗର ଓଏସଡି ଭାବେ ନିଯୁକ୍ତି ଦେଇଥିଲେ । ଏହା ମଧ୍ୟରେ ୫ ମାସ ଅତିବାହିତ ହୋଇଛି । ଏହି ଦୁଇ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଅପେକ୍ଷାରେ ବୁଦ୍ଧିଜୀବୀ ରହିଥିବା ବେଳେ ଏହି ନିର୍ଦ୍ଦେଶ ଅନେକଙ୍କୁ ଆଶ୍ୱସ୍ତ କରିବ ନିଶ୍ଚିତ । କାରଣ ଉଭୟ ଓଏସଡି ଭାବେ ରହି ମଧ୍ୟ ପ୍ରଶାସନିକ କଳକୁ ପ୍ରଭାବିତ କରି ଆସୁଥିଲେ । ଏବେ ମଧ୍ୟ ରାଜ୍ୟ ସରକାରଙ୍କ ବିରୋଧରେ ଏକ ପ୍ରଶାସନିକ ଗୋଷ୍ଠୀ ଏହି ଅଧିକାରୀମାନଙ୍କ ଇଙ୍ଗିତରେ କାମ କରୁଥିବା ଅଭିଯୋଗ ହୋଇଆସୁଛି ।