ବାହାଘରରେ ଟଙ୍କା ଗଣି ପାରିଲାନି ବର, ବାହା ବେଦୀରୁ ବାହାଘର ଭାଙ୍ଗିଦେଲା କନିଆଁ, ଶିଶୁପାଳ ହୋଇ ଫେରିଲା ବର
ଟଙ୍କା ଭାଙ୍ଗିଦେଲା ବାହାଘର। ଛାରଖାର ହୋଇଗଲା ବାହା ହେବା ସ୍ୱପ୍ନ।
ବିହାର: ମନରେ ଅନେକ ଆଶା ନେଇ ବରଯାତ୍ରୀ ସହ କନିଆଁ ଘରେ ପହଞ୍ଚିଲା ବର। ବାଟବରଣୀ ହେଲା, ପୁଅ ଝିଅ ବି ଜୟମାଳା ଅଦଳବଦଳ କଲେ। ହେଲେ ହଠାତ୍ ଏହି ସୁଖର ମୁହୁର୍ତ୍ତ ଦୁଃଖରେ ପରିଣତ ହୋଇଗଲା। କାରଣ କନିଆଁଟି ବାହା ହେବାକୁ ମନା କରିଦେଲା।
ଗାଁ ଲୋକ ହସ୍ତକ୍ଷେପ କଲେ, ଝିଅକୁ ଅନେକ ଲୋକ ବାହା ହେବା ପାଇଁ ବୁଝା ସୁଝା କଲେ। ହେଲେ ଝିଅର ଏକା ଜିଦ୍ ସେ ଏହି ପିଲାକୁ ବିବାହ କରିବ ନାହିଁ। ଆଉ ତାହାର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। କାରଣ କଥାଟି ଥିଲା ବରକୁ ଟଙ୍କା ଗଣି ଆସୁନଥିଲା।
ଟଙ୍କା ଭାଙ୍ଗିଲା ବାହାଘର: ବିହାରର ମୋତିହାରୀରେ ଘଟିଛି ଏଭଳି ଘଟଣା। ବର ଟଙ୍କା ଗଣିପାରୁନଥିବା ଜାଣି ବିବାହ ଭାଙ୍ଗିଦେଲା କନ୍ୟା। ବିବାହ ପାଇଁ ଆସିଥିବା ବର ଏବଂ ବରଯାତ୍ରୀ ହସଖୁସିରେ କନ୍ୟା ଘରେ ପହଞ୍ଚିଥିଲେ। ହେଲେ ବିବାହ ରୀତିନୀତି ମଧ୍ୟରେ ହିଁ କନ୍ୟା ବିବାହ କରିବାକୁ ମନା କରିଦେଇଥିଲା।
ପରେ କନିଆଁ ଘର ଲୋକ ବି ଅଭିଯୋଗ କଲେ ସେମାନଙ୍କ ସହ ଅନ୍ୟାୟ ହୋଇଛି। କାରଣ ବର ସମ୍ପୂର୍ଣ୍ଣ ମୁର୍ଖ ଥିଲା। ତାକୁ ଟଙ୍କା ଗଣି ଆସୁନଥିଲା। ହେଲେ ବାହାଘର ପ୍ରସ୍ତାବ ପଡିଥିବା ସମୟରେ ଅନ୍ୟ ପିଲାକୁ ଦେଖାଇ ଅପାଠୁଆ ପୁଅ ସହ ବାହାଘର କରିଦେବାକୁ ଚାହୁଁଥିଲେ ବରପକ୍ଷ।
କନିଆଁର ଏକା ଜିଦ୍: ସୂଚନା ମୁତାବକ, ଘୋଡାସହନ ଥାନା ଅଞ୍ଚଳର କଦମବା ଗାଁରୁ ବର, ବରଯାତ୍ରୀଙ୍କୁ ଧରି ପତାହୀ ଥାନା ଅଞ୍ଚଳର ଏକ ଗାଁରେ ପହଞ୍ଚିଥିଲା। ବର ପହଞ୍ଚିବା ପରେ ରାତିରେ ବରମାଳା ଉତ୍ସବ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଥିଲା।
ବରମାଳା ପରେ, ପରମ୍ପରା ଅନୁଯାୟୀ, କନ୍ୟା ପକ୍ଷ ବରକୁ ଗଣିବା ପାଇଁ ଟଙ୍କା ଦେଇଥିଲେ। କିନ୍ତୁ ବର ଟଙ୍କା ଠିକ୍ ଭାବରେ ଗଣି ପାରି ନଥିଲା। କନ୍ୟା ଏଥିରେ ଅସନ୍ତୋଷ ପ୍ରକାଶ କରି ବିବାହ କରିବାକୁ ମନା କରିଦେଇଥିଲା।
କାରଣ ଝିଅଟି ପାଠ ସାଠ ପଢ଼ିଥିଲା। ତେଣୁ ସେ ଜଣେ ଶିକ୍ଷିତ ପୁଅକୁ ବିବାହ କରିବାକୁ ଚାହୁଁଥିଲା। ପରେ ଏହି ଘଟଣାକୁ ନେଇ ବରପକ୍ଷକୁ ଅଟକ ରଖିଥିଲେ କନିଆଁ ପକ୍ଷ। ହେଲେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଆପୋଷ ବୁଝାମଣା କରିଥିଲା। ଆଉ ବରକୁ କନିଆଁ ବିନା ଶିଶୁପାଳ ହୋଇ ଫେରିବାକୁ ପଡ଼ିଲା।