fbpx

ଭାରତକୁ ପୁଣି ଏକ ପଦକ: ମୋଟ ପଦକ ସଂଖ୍ୟା ୯୧ରେ ପହଞ୍ଚିଲା

ନୂଆଦିଲ୍ଲୀ: ଚୀନର ହ୍ୱାଙ୍ଗଝୁଠାରେ ଚାଲିଥିବା ୧୯ତମ ଏସୀୟ କ୍ରୀଡ଼ାର ଆଜି ହେଉଛି ତ୍ରୟୋଦଶ ଦିବସ । ଗତକାଲି ଦ୍ୱାଦଶ ଦିବସରେ ଭାରତ ୩ଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ଜିତିଥିଲା । ଏହା ମଧ୍ୟରେ ଆଜି ଭାରତ ୫ଟି ପଦକ ଜିତିଛି । ସେଥିମଧ୍ୟରେ ୪ଟି ବ୍ରୋଞ୍ଜ ଓ ଗୋଟିଏ ରୌପ୍ୟ ରହିଛି । ଏହାଫଳରେ ଭାରତର ମୋଟ ପଦକ ସଂଖ୍ୟା ୯୧ରେ ପହଞ୍ଚି ଯାଇଛି । ସେଥିମଧ୍ୟରେ ୨୧ଟି ସ୍ୱର୍ଣ୍ଣ, ୩୩ଟି ରୌପ୍ୟ ଓ ୩୭ଟି ବ୍ରୋଞ୍ଜ ପଦକ ରହିଛି ।

ଭାରତୀୟ ରେସଲର ସୋନମ ମଲିକ ଭାରତ ପାଇଁ ୯୧ତମ ପଦକ ଜିତିଛନ୍ତି । ସୋନମ ଚୀନର ଲଙ୍ଗ ଜିଆଙ୍କୁ ୬୨ କିଗ୍ରା ବର୍ଗରେ ୬-୪ରେ ପରାସ୍ତ କରି ବ୍ରୋଞ୍ଜ ଜିତିଛନ୍ତି । ଆଜି ପ୍ରାରମ୍ଭରେ ଭାରତୀୟ ରେସଲରମାନେ ନିରାଶ କରିଥିଲେ । ବଜରଙ୍ଗ ପୁନିଆ, ଅମନ ଶେରାୱତ, ସୋନମ ମଲିକ, କିରଣ ବିଷ୍ଣୋୟୀ ସମସ୍ତେ ପରାସ୍ତ ହୋଇଥିଲେ । ତେବେ ବ୍ରୋଞ୍ଜ ଲଢ଼େଇରେ ସୋନମ ପଦକ ଜିତିଥିବା ବେଳେ ଅନ୍ୟ ରେସଲରଙ୍କଠାରୁ ମଧ୍ୟ ପଦକ ଆଶା କରାଯାଉଛି ।

ଏହାପୂର୍ବରୁ ଭାରତୀୟ ପୁରୁଷ ରିକର୍ଭ ଟିମ ଶକ୍ତିଶାଳୀ ଦକ୍ଷିଣ କୋରିଆଠାରୁ ୧-୫ରେ ପରାସ୍ତ ହୋଇ ରୌପ୍ୟ ପଦକ ଜିତିଥିଲା । ସେହିପରି ସିପକଟାକ୍ରେରେ ଭାରତୀୟ ରେଗୁ ଟିମ୍ ଥାଇଲାଣ୍ଡ ରେଗୁ ଟିମ୍ ଠାରୁ ପରାସ୍ତ ହୋଇ ବ୍ରୋଞ୍ଜ ପଦକ ଜିତିଥିଲା । ଏଥିସହିତ କବାଡ଼ି ସେମିଫାଇନାଲରେ ଭାରତୀୟ ମହିଳା ଟିମ୍ ନେପାଳକୁ ୬୧-୭ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା । ଟି-୨୦ କ୍ରିକେଟ ସେମିଫାଇନାଲରେ ଭାରତ ବାଂଲାଦେଶକୁ ୯ ୱିକେଟରେ ହରାଇ ଫାଇନାଲରେ ପ୍ରବେଶ କରିଥିଲା । ଆର୍ଚେରୀରେ ମହିଳା ରିକର୍ଭ ଟିମ୍ ବ୍ରୋଞ୍ଜ ପଦକ ଜିତିଥିଲା । ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲ୍ସରେ ଏଚ.ଏସ ପ୍ରଣୟ ବ୍ରୋଞ୍ଜ ପଦକ ଜିତିଥିଲେ । ପୁରୁଷ କବାଡ଼ି ସେମିଫାଇନାଲରେ ପାକିସ୍ତାନକୁ ହରାଇ ଭାରତ ଫାଇନାଲରେ ପହଞ୍ଚିଥିଲା ।

Get real time updates directly on you device, subscribe now.