ସ୍ତ୍ରୀ କିମ୍ବା ଝିଅଙ୍କ ନାଁରେ ଘର କିଣନ୍ତୁ, ବଞ୍ଚିଯିବ ଲକ୍ଷ ଲକ୍ଷ ଟଙ୍କା
ଘର କିଣିବାକୁ ଚାଁହୁଥିଲେ ସ୍ତ୍ରୀ କିମ୍ବା ଝିଅଙ୍କ ନାଁରେ ଘର କିଣନ୍ତୁ, ରିହାତି ମିଳିବା ସହିତ କମ ସୁଧ ହାରରେ ବ୍ୟାଙ୍କ ଋଣ ମଧ୍ୟ ପାଇପାରିବେ
ମୁମ୍ବାଇ: ଘର କିଣିବାକୁ ଚାଁହୁଛନ୍ତି କି? ତେବେ ମାଆ, ଝିଅ କିମ୍ବା ସ୍ତ୍ରୀଙ୍କ ନାଁରେ ଘର କିଣନ୍ତୁ, ଯାହାଦ୍ୱାରା ବଞ୍ଚିଯିବ ଆପଣଙ୍କର ଲକ୍ଷ ଲକ୍ଷ ଟଙ୍କା। ମୁମ୍ବାଇ ଭଳି ବଡ ସହରରେ କିଏ ବା ଘର କିଣିବାକୁ ନଚାହେଁ, ବଡ଼ ସହରରେ ଘର କିଣିବା ପ୍ରତ୍ୟେକ ମଧ୍ୟବିତ୍ତ ଶ୍ରେଣୀର ଲୋକମାନଙ୍କର ସ୍ୱପ୍ନ ହୋଇଥାଏ।
କିନ୍ତୁ ଆଜିକା ସମୟରେ ଯେଉଁପରି ଭାବେ ଜାଗା ଏବଂ ଘରର ମୂଲ୍ୟ ବଢି ଚାଲିଛି ଲୋକଙ୍କ ସ୍ୱପ୍ନ ସ୍ୱପ୍ନରେ ହିଁ ରହିଯାଉଛି। ତେବେ ସେଭଳି ଆଉ ହେବ ନାହିଁ, ଯଦି ଆପଣ ସ୍ତ୍ରୀ, ଝିଅ କିମ୍ବା ମାଆଙ୍କ ନାଁରେ ଘର କିଣୁଛନ୍ତି ତାହେଲେ ଆପଣଙ୍କୁ ରିହାତି ମିଳିବା ସହ କମ ସୁଧ ହାରରେ ମଧ୍ୟ ଋଣ ମିଳିପାରିବ।
ମହିଳାଙ୍କ ନାମରେ କିଣିବା ଉପରେ ବଡ଼ ରିହାତି: ଅନେକ ରାଜ୍ୟ ସରକାର ଏବେ ମହିଳା ସଶକ୍ତିକରଣକୁ ପ୍ରୋତ୍ସାହିତ କରିବା ପାଇଁ ଏପରି ପଦକ୍ଷେପ ନେଉଛନ୍ତି, ଯାହା କେବଳ ମହିଳାମାନଙ୍କୁ ସ୍ୱାବଲମ୍ବୀ କରୁନି ବରଂ ସେମାନଙ୍କ ନାମରେ ସମ୍ପତ୍ତି କିଣିବା ଉପରେ ଆର୍ଥିକ ଲାଭ ମଧ୍ୟ ପ୍ରଦାନ କରୁଛି।
ଯଦି କୌଣସି ପରିବାର ତାଙ୍କ ମା, ସ୍ତ୍ରୀ କିମ୍ବା ଝିଅଙ୍କ ନାମରେ ଘର କିଣୁଛନ୍ତି, ତେବେ ସେମାନଙ୍କୁ ଷ୍ଟାମ୍ପ ଡ୍ୟୁଟିରେ 1 ରୁ 2 ପ୍ରତିଶତ ରିହାତି ମିଳୁଛି।
ଗୃହ ଋଣ ଉପରେ ଅତିରିକ୍ତ ସୁବିଧା: ମହିଳାଙ୍କ ନାମରେ ଘର କିଣିବାର ଆଉ ଏକ ବଡ଼ ସୁବିଧା ହେଉଛି ଯେ, ସେମାନେ ବ୍ୟାଙ୍କରୁ କମ ସୁଧ ହାରରେ ଗୃହ ଋଣ ପାଇପାରିବେ। ଭାରତରେ ଅନେକ ବ୍ୟାଙ୍କ ଏବଂ ହାଉସିଂ ଫାଇନାନ୍ସ କମ୍ପାନୀ ମହିଳାମାନଙ୍କୁ 0.10% ରୁ 0.25% ପର୍ଯ୍ୟନ୍ତ ଶସ୍ତା ସୁଧ ହାରରେ ଋଣ ପ୍ରଦାନ କରନ୍ତି।
ଏହା ଶୁଣିବାକୁ ବହୁତ କମ ଲାଗୁଥାଇପାରେ, କିନ୍ତୁ 15-20 ବର୍ଷ ଗୃହ ଋଣ ଅବଧିରେ ଏହା ଲକ୍ଷ ଲକ୍ଷ ଟଙ୍କା ସଞ୍ଚୟ କରିଥାଏ।
ମହିଳା ସଶକ୍ତିକରଣ ଦିଗରେ ଏକ ଦୃଢ଼ ପଦକ୍ଷେପ: ଯେତେବେଳେ ଜଣେ ମହିଳାଙ୍କ ନାମରେ ସମ୍ପତ୍ତି ଥାଏ, କେବଳ କାଗଜପତ୍ରରେ ତାଙ୍କ ନାମ ପରିବର୍ତ୍ତନ ହୁଏ ନାହିଁ, ବରଂ ଏହା ସହିତ ଅନେକ ପରିବର୍ତ୍ତନ ହୋଇଥାଏ।
ଯେପରିକି, ମହିଳାଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଏ, ସେମାନେ ଆର୍ଥିକ ନିଷ୍ପତ୍ତିରେ ସମାନ ଅଧିକାର ପାଆନ୍ତି ଏବଂ ସମାଜରେ ସେମାନଙ୍କର ସ୍ଥିତି ସୁଦୃଢ଼ ହୁଏ। ଆଉ ସବୁଠୁ ବଡ କଥା ହେଉଛି, ପରିବାରରେ ସେମାନେ କେବଳ ଜଣେ ଗୃହିଣୀ ନୁହଁନ୍ତି ବରଂ ‘ସମ୍ପତ୍ତିର ମାଲିକାଣୀ’ ଭାବରେ ପରିଚିତ ହୁଅନ୍ତି।