fbpx

ତାତିରେ ସିଝୁଛି ଓଡ଼ିଶା: ସାଢ଼େ ୧୧ଟା ସୁଦ୍ଧା ଭୁବନେଶ୍ୱରରେ ୩୯ ଡିଗ୍ରୀ ତାପମାତ୍ରା

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ବି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଦିନ ସାଢ଼େ ୧୧ଟା ସୁଦ୍ଧା ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି । ଝାରସୁଗୁଡ଼ାରେ ସର୍ବାଧିକ ୪୦.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି କେନ୍ଦୁଝରରେ ୩୯.୬, ସମ୍ବଲପୁରରେ ୩୯.୨ ଡିଗ୍ରୀ ରେକର୍ଡ କରାଯାଇଛି । ଏହା ସହ ଭୁବନେଶ୍ୱରରେ ୩୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ହୀରାକୁଦରେ ୩୮.୮, ଚାନ୍ଦବାଲିରେ ୩୭.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ସୂଚନା ମୁତାବକ, ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଓଡ଼ିଶା ସମେତ ୫ ରାଜ୍ୟକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି । ଏହି ସମୟ ମଧ୍ୟରେ ଓଡ଼ିଶା, ରାଜସ୍ଥାନ, ଦିଲ୍ଲୀ, ହରିଆଣା ଓ ଉତ୍ତର ପ୍ରଦେଶରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିବ ।ବୁଧବାର ଦେଶର କେତେକ ରାଜ୍ୟରେ ତାପମାତ୍ରା ୪୫ ଡିଗ୍ରୀ ଟପିବା ପରେ ଆଇଏମ୍‌ଡି ପକ୍ଷରୁ ଏହି ସୂଚନା ଦିଆଯାଇ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଏନେଇ ଆଇଏମ୍‌ଡିର ବରିଷ୍ଠ ବୈଜ୍ଞାନିକ ଆର୍‌.କେ.ଜେନାମଣୀ ସୂଚନା ଦେଇଛନ୍ତି ।

ଅନ୍ୟପକ୍ଷରେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏକ ସୂଚନାରେ କୁହାଯାଇଛି ଯେ, ରାଜ୍ୟରେ ଲାଗି ରହିଥିବା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଆହୁରି ୩ ଦିନ ଲାଗି ରହିବ । ଏଥିନେଇ ୧୧ଟି ଜିଲ୍ଲାକୁ ୩୦ ତାରିଖ ପର୍ଯ୍ୟନ୍ତ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବିଶେଷ କରି ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତିର ପ୍ରଭାବ ଅଧିକ ଅନୁଭୂତ ହେବ । ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଳାଗୁଡ଼ିକ ହେଲା ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର, ମୟୁରଭଞ୍ଜ, ଅନୁଗୋଳ, ବୌଦ୍ଧ ଓ ବଲାଙ୍ଗିର । ଆଭ୍ୟନ୍ତର ଓଡ଼ିଶାରେ ଏହି ୩ ଦିନରେ ତାପମାତ୍ରା ସ୍ୱାଭାବିକ ଠାରୁ ୩ରୁ ୫ ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ରହିଥିବାବେଳେ ଉପକୂଳ ଓଡ଼ିଶାରେ ମଧ୍ୟ ୨ରୁ ୩ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଥିବା ବିଭାଗ ପକ୍ଷରୁ କୁହାଯାଇଛି । ଏପରିକି ରାଜ୍ୟର ବହୁ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ ବୋଲି ଆକଳନ କରାଯାଇଛି ।

Get real time updates directly on you device, subscribe now.