fbpx

ପୁରସ୍କାର ବର୍ଷା ଜାରି, ନୀରଜଙ୍କୁ Byju’s ଦେବ ୨ କୋଟି, ଅନ୍ୟ ବିଜେତାଙ୍କୁ ମିଳିବ ୧ କୋଟି

Advertisement

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ ରେ ଭାରତୀୟ ଆଥଲେଟ୍ ଙ୍କ ଖୁବ୍ ଭଲ ପ୍ରଦର୍ଶନ ଦେଶର ଛାତିକୁ ଉଚ୍ଚା କରିଦେଇଛି । ଏହି ପରିପ୍ରେକ୍ଷୀରେ ସମସ୍ତ ଆଥଲେଟଙ୍କୁ ଗୋଟିଏ ପରେ ଗୋଟିଏ ପୁରସ୍କାର ଦିଆଯାଉଛି । ତେବେ ଭାରତକୁ ସ୍ୱର୍ଣ୍ଣ ଦେଇଥିବା ନୀରଜ ଚୋପ୍ରାଙ୍କ ଐତିହାସିକ ପ୍ରଦର୍ଶନ ପରଠାରୁ ସେ ଏବେ ଷ୍ଟାର୍ ଆଥଲେଟ୍ ହୋଇଯାଇଛନ୍ତି । ତେବେ ନୀରଜଙ୍କ ପାଇଁ ପୁରସ୍କାର ବର୍ଷା ଜାରି ରହିଥିବା ବେଳେ ରବିବାର ଦିନ ଲର୍ଣ୍ଣିଂ ଆପ୍ ବାଇଜୁସ୍(Byju’s) ପକ୍ଷରୁ ପୁଣିଥରେ ପଦକ ଜିତିଥିବା ସମସ୍ତ ଖିଲାଡିଙ୍କ ପାଇଁ ଅର୍ଥରାଶି ପ୍ରଦାନ କରିବା ନେଇ ଘୋଷଣା କରିଛନ୍ତି ।

ଏହି ପରିପ୍ରେକ୍ଷୀରେ ଲର୍ଣ୍ଣିଂ ଆପ୍ ବାଇଜୁସ୍ ପକ୍ଷରୁ ଦେଶକୁ ସ୍ୱର୍ଣ୍ଣ ପଦକ ଭେଟି ଦେଇଥିବା ନୀରଜ ଚୋପ୍ରାଙ୍କୁ ୨ କୋଟି ଟଙ୍କା ପୁରସ୍କାର ଦେବା ନେଇ ଘୋଷଣା କରିଥିବା ବେଳେ ଅନ୍ୟ ଖିଲାଡି ମାନଙ୍କ ପାଇଁ ପୁରସ୍କାର ସ୍ୱରୂପ ୧ କୋଟି ଲେଖାଏଁ ଅର୍ଥରାଶି ଘୋଷଣା କରାଯାଇଛି । ମୀରାବାଇ ଚାନୁ, ପିଭି ସିନ୍ଧୁ, ରବି ଦାହିୟା, ଲଭଲିନା ବୋରଗୋହେନ୍ ଏବଂ ବଜରଙ୍ଗ ପୁନିଆଙ୍କୁ ୧ କୋଟି ଟଙ୍କା ପୁରସ୍କାର ଦିଆଯିବ ।

ଏକ ବିବୃତ୍ତିରେ କୁହାଯାଇଛି ଯେ, କୋଭିଡ୍ ଭଳି ଏକ ଚାଲେଞ୍ଜିଂ ମୁହୁର୍ତ୍ତ ସମୟରେ ଟୋକିଓ ଅଲିମ୍ପିକ୍ ରେ ଆଥଲେଟ୍ ମାନଙ୍କ ଉପଲବ୍ଧି ଏବଂ ଭଲ ପ୍ରଦର୍ଶନ ସମସ୍ତଙ୍କୁ ପ୍ରେରଣାଦାୟକ । ପ୍ରତିଟି ଆଥଲେଟ୍ ଦେଶ ପାଇଁ ଗର୍ବ ଆଣିଛନ୍ତି । ତେଣୁ ସମସ୍ତେ ପ୍ରଶଂସାଯୋଗ୍ୟ । ସୂଚନାଯୋଗ୍ୟ, ଜାଭଲିନ୍ ଷ୍ଟାର୍ ନୀରଜ ଚୋପ୍ରା ଶନିବାର ଇତିହାସ ସୃଷ୍ଟି କରିଛନ୍ତି । ଭାରତକୁ ସୁନାର ପଦକ ଦେଇ ଦେଶକୁ ଗର୍ବ ଗୌରବ ଆଣିଛନ୍ତି ।

Get real time updates directly on you device, subscribe now.