fbpx

ବହୁଚର୍ଚ୍ଚିତ ମାନସ ସ୍ୱାଇଁ ହତ୍ୟା ମାମଲା: ଆଜିଠୁ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କ ସହ ୪ ଜଣଙ୍କୁ ରିମାଣ୍ଡରେ ନେବ ପୋଲିସ, ୫ ଦିନିଆ ଧରି କରିବ ଜେରା

ଭୁବନେଶ୍ବର (ଭାସ୍କର ନ୍ୟୁଜ୍‌): ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସମ୍ପୂର୍ଣ୍ଣ ୱେବ୍‌ ଚ୍ୟାନେଲର ମାଲିକାଣୀ ଶର୍ମିଷ୍ଠା ରାଉତଙ୍କୁ ଶେଷରେ କ୍ରାଇମବ୍ରାଞ୍ଚ ଗିରଫ କରିବାରେ ସଫଳ ହୋଇଛି । ଫଳରେ ହତ୍ୟାକାଣ୍ଡ ପରଠାରୁ ଲୁଚି ଲୁଚି ବୁଲୁଥିବା ଶର୍ମିଷ୍ଠାଙ୍କ ଖେଳ ଖତମ ହୋଇଯାଇଛି । ତାଙ୍କ ସହ ସହଯୋଗୀ ଝୁନା ଭୋଇକୁ ମଧ୍ୟ କ୍ରାଇମବ୍ରାଞ୍ଚ ଗିରଫ କରିଛି । ଏ ନେଇ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି । କୋଲକାତାରୁ ଭୁବନେଶ୍ୱର ଏକ ବସରେ ଫେରୁଥିବାବେଳେ ଭଦ୍ରକର ନଳାଙ୍ଗ ନିକଟରୁ ଉଭୟ କ୍ରାଇମବ୍ରାଞ୍ଚ ଓ ଭଦ୍ରକ ପୋଲିସ ଉଭୟଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ଗିରଫ ପରେ ଉଭୟଙ୍କର ମେଡିକାଲ ଟେଷ୍ଟ ତିହିଡି ହସ୍ପିଟାଲରେ କରାଯାଇଥିଲା । ପରେ ତାଙ୍କୁ ଚାନ୍ଦବାଲି ଜେଏମ୍‌ଏଫସି କୋର୍ଟରେ ହାଜର କରାଯାଇଥିଲା । ସେଠାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ୭ ଅଭିଯୁକ୍ତଙ୍କ ପାଇଁ୧୦ ଦିନିଆ ରିମାଣ୍ଡ ନିମନ୍ତେ ଆବେଦନ କରାଯାଇଥିଲା । ତେବେ ଜେଏମ୍‌ଏଫ୍‌ସି ଶର୍ମିଷ୍ଠାଙ୍କ ସମେତ ପୂର୍ବରୁ ଗିରଫ ନିରଞ୍ଜନ, ରଞ୍ଜନ ନାୟକ ଓ ଝୁନା ଭୋଇଙ୍କୁ ୪ ଦିନିଆ ରିମାଣ୍ଡ ପାଇଁ ଅନୁମତି ପ୍ରଦାନ କରିଛନ୍ତି ।

ମଙ୍ଗଳବାରଠାରୁ କ୍ରାଇମବ୍ରାଞ୍ଚ ସେମାନଙ୍କୁ ରିମାଣ୍ଡରେ ନେବ । ମାନସ ସ୍ୱାଇଁଙ୍କ ହତ୍ୟା ଘଟଣା ପରେ ଶର୍ମିଷ୍ଠା ଓ ତାଙ୍କ ସହଯୋଗୀ ପୋଲିସ ଆଖିରେ ଧୂଳି ଦେଇ ରାଜ୍ୟ ବାହାରେ ଲୁଚି ବୁଲୁଥିଲେ । ଏପରିକି କୋଲକାତା ରେଳ ଷ୍ଟେସନରେ ସେ କିଛିଦିନ ବିତାଇଥିବା ମଧ୍ୟ ସ୍ୱୀକାର କରିଛି । ଏଥିସହ ଗୌହାଟୀରେ ମଧ୍ୟ ଉଭୟ ରହିଥିବା ପୋଲିସକୁ କହିଛନ୍ତି । ଏହି ମାମଲାରେ ଦୁଇଜଣଙ୍କ ସମେତ ମୋଟ ୮ ଜଣଙ୍କୁ ଗିରଫ କରାଯାଇସାରିଲାଣି । ପୂର୍ବରୁ ରାଜ କମ୍ୟୁନିକେଶନର ମାଲିକ ରଞ୍ଜନ ନାୟକ, ଗାଡ଼ି ଡ୍ରାଇଭର, ଦୁଇ ସୁାରି କିଲର, ପୂର୍ବତନ ଲୋକସମ୍ପର୍କ ବିଭାଗ ବୈଷୟିକ ନିର୍ଦ୍ଦେଶକ ନିରଞ୍ଜନ ସେଠୀ ଓ ଶର୍ମିଷ୍ଠାଙ୍କ ଭାଇ ପରମେଶ୍ୱରଙ୍କୁ ଗିରିଫ କରାଯାଇଛି । ଏହି ଘଟଣାର ତଦନ୍ତ ପ୍ରଥମରୁ ଚାନ୍ଦବାଲି ପୋଲିସ କରୁଥିବାବେଳେ ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ଗତ ୨୩ ତାରିଖରେ ପୋଲିସ ମହାନିର୍ଦ୍ଦେଶକ ଏହାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।

ଶର୍ମିଷ୍ଠା ଗିରଫ ହେବାପରେ ତାଙ୍କୁ ଫାଶୀ ଦେବାପାଇଁ ମୃତ ମାନସଙ୍କ ମା’ ଜୟନ୍ତୀ ଦାବି କରିଛନ୍ତି । ସେ କହିଛନ୍ତି ଆମେ ସ୍ୱାମୀ ସ୍ତ୍ରୀ ପୁଅକୁ ମନରୁ ପାଶୋରି ପାରୁନାହୁଁ । ସେମାନେ ତାକୁ କିଲିବିଲି କରି ହତ୍ୟା କରିଛନ୍ତି । ହତ୍ୟା ପୂର୍ବରୁ ତାକୁ ଅକଥନୀୟ ନିର୍ଯାତନା ମଧ୍ୟ ଦିଆଯାଇଛି । ସେ ଆମ ଘରର ଏକମାତ୍ର ରୋଜଗାରିଆ ପୁଅ ଥିଲା । ଏବେ ତା ଅବର୍ତ୍ତମାନରେ ଆମେ କିରି ଚଳିବୁ ସେ ନେଇ ଚିନ୍ତାରେ ପଡ଼ିଛୁ । ତେଣୁ ଅଭିଯୁକ୍ତକୁ ଫାଶୀ ଦେଲେ ମାନସର ଆତ୍ମା ଶାନ୍ତି ପାଇବ ବୋଲି ଜୟନ୍ତୀ କହିଛନ୍ତି । ସୂଚନାଯୋଗ୍ୟ ଯେ ଗତ ମାସ ୭ ତାରିଖ ସକାଳେ ମାନସଙ୍କୁ ଚାନ୍ଦବାଲିରୁ ଭୁବନେଶ୍ୱର ଫେରୁଥିବାବେଳେ ରାସ୍ତାରୁ ଅପହରଣ କରାଯାଇଥିଲା । ପରେ ତାଙ୍କୁ ଶର୍ମିଷ୍ଠାଙ୍କ ପରିଚାଳିତ ଦୟାଲ ଆଶ୍ରମକୁ ନିଆଯାଇ ମାଡ଼ ମରାଯାଇଥିଲା । ପରେ ତାଙ୍କୁ ହତ୍ୟା କରାଯାଇ ନୟାଗଡ଼ ରାଜସୁନାଖଳାର ପାହାଡ଼ ତଳେ ପୋତି ଦିଆଯାଇଥିଲା । ଏହି ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି ।

Get real time updates directly on you device, subscribe now.