ଚିନ୍ତା ବଢ଼ାଇଲାଣି ଖରା, ୪୦ ଡିଗ୍ରୀ ଟପିଲା ରାଜଧାନୀ ତାତି
ଚଳିତ ବର୍ଷ ରେକର୍ଡ ଭାଙ୍ଗିଲା ଭୁବନେଶ୍ୱର ତାତି। ରେକର୍ଡ ପରେ ରେକର୍ଡ କରୁଛି ତାପମାତ୍ରା। ୪୩ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର।
ଭୁବନେଶ୍ୱର: ଚିନ୍ତା ବଢ଼ାଇଲାଣି ଖରା। ଆଜି ୪୦ ଡିଗ୍ରୀ ଟପିଲା ରାଜଧାନୀ ତାତି। ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜଧାନୀ ଭୁବନେଶ୍ୱରରେ ରେକର୍ଡ କରିଛି ତାପମାତ୍ରା। ଦିନର ତାପମାତ୍ରା ଥିଲା ୪୦.୨ ଡିଗ୍ରୀ।
ଠିକ୍ ସେହିପରି ୪୩ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ଥିଲା। ସମ୍ୱଲପୁର ୪୧.୬, ହୀରାକୁଦ ୪୧.୨, ରାଉରକେଲା ଓ ଚାନ୍ଦବାଲି ୪୦.୪ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ, ବାଲେଶ୍ୱର ୩୯,କେନ୍ଦୁଝର ୩୮.୧ ଡିଗ୍ରୀ ରେକର୍ଡ ହୋଇଛି।
ଯଦି ଆଜିଠାରୁ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ ତାହାଲେ ଆଗକୁ ପରିସ୍ଥିତି କ’ଣ ହେବ ସେଇ କଥା ଭାବିଲା ବେଳକୁ ମୁଣ୍ଡ ବୁଲାଇ ଦେଉଛି। ଏମିତିରେ ୩ ଦିନ ପାଇଁ ହିଟଓ୍ୱେଭ ସତର୍କତା ଜାରି କରିଛି ପାଣିପାଗ ବିଭାଗ। ବିଭିନ୍ନ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି।
ଆସନ୍ତାକାଲି ପାଇଁ ଝାରସୁଗୁଡ଼ା, ସମ୍ବଲପୁର, ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗୀର ଓ କଳାହାଣ୍ଡିକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେହିଭଳି ୩୦ ତାରିଖ ପାଇଁ ବରଗଡ଼, ସୁନ୍ଦରଗଡ, ଝାରସୁଗୁଡ଼ା, ସମ୍ବଲପୁର, ବୌଦ୍ଧ ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ରହିଛି।
ଏହାସହ ସୁବର୍ଣ୍ଣପୁର, ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ରହିଛି। ୩୦ ତାରିଖ ପରେ ତାପମାତ୍ରା ୨ ଡିଗ୍ରୀ ଯାଏ କମିବା ସମ୍ଭାବନା ରହିଛି। ଏପ୍ରିଲ ୨ ତାରିଖ ବେଳକୁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବା ଆକଳନ କରିଛି ପାଣିପାଗ ବିଭାଗ।