fbpx

Captain Cool Dhoni: ୧୬ ବର୍ଷ ତଳର କଥା, ଆଜିର ଦିନରେ ଭାରତ ପାଇଥିଲା ସର୍ବଶ୍ରେଷ୍ଠ ଅଧିନାୟକ

ନୂଆଦିଲ୍ଲୀ: ଭାରତର ନୁହେଁ, ଆଜି ସାରା ବିଶ୍ୱର ସର୍ବଶ୍ରେଷ୍ଠ ଅଧିନାୟକଙ୍କ ତାଲିକାରେ ଖୁବ ଉପରେ ରହିଛନ୍ତି କ୍ୟାପଟେନ କୁଲ ମହେନ୍ଦ୍ର ସିଂହ ଧୋନୀ । ଆଇସିସି କ୍ରିକେଟର ତିନୋଟି ଯାକ ଟ୍ରଫି ଜିତିବାରେ ସେ ହେଉଛନ୍ତି ଏକ ମାତ୍ର ଅଧିନାୟକ । ଏହାବ୍ୟତୀତ ଆହୁରି ଅନେକ ଟ୍ରଫି ତାଙ୍କ ନାମରେ ଲେକା ହୋଇଥିବା ବେଳେ ଅଧିନାୟକ ଭାବରେ ଅନେକ ରେକର୍ଡ ତାଙ୍କ ନାମରେ ରହିଛି । ରାଞ୍ଚିର ଏକ ସହରରୁ ଆସି ସାରା ବିଶ୍ୱରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ଦଖଲ କରିଛନ୍ତି ଏମ.ଏସ ଧୋନୀ । ତେବେ ୨୦୦୭ ମସିହାରେ ଏଭଳି ଜଣେ ଅଧିନାୟକଙ୍କ ଯାତ୍ରା ଆରମ୍ଭ ହୋଇଥିଲା ଭାରତୀୟ କ୍ରିକେଟରେ । ଆଜି ଏହି ଦିନକୁ ୧୬ ବର୍ଷ ପୁରି ଯାଇଛି ।

୨୦୦୭ ମସିହା ସେପ୍ଟେମ୍ବର ୧୪ ତାରିଖ, ୧୬ ବର୍ଷ ତଳେ ଆଜିର ଦିନରେ ଭାରତର ଅଧିନାୟକ ଭାବରେ ଦାୟିତ୍ୱ ନେଇଥିଲେ ୱିକେଟ କିପର ବ୍ୟାଟ୍ସମ୍ୟାନ୍ ମହେନ୍ଦ୍ର ସିଂହ ଧୋନୀ । ୨୦୦୭ ଟି-୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆର ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର, ରାହୁଲ ଦ୍ରାବିଡ ଏବଂ ସୌରଭ ଗାଙ୍ଗୁଲିଙ୍କ ଭଳି ବରିଷ୍ଠ ଖେଳାଳି ଓହରି ଯାଇଥିଲେ । ଏହାପରେ ଦଳର ନେତୃତ୍ୱ କିଏ ନେବେ ବୋଲି ଭାଳେଣି ପଡ଼ିଥିଲା ଭାରତୀୟ କ୍ୟାମ୍ପରେ । ତେବେ ଏହି ସମୟରେ ସଚିନ୍ ଜଣେ ଖେଳାଳିଙ୍କ ନାଁ ସୁପାରିଶ କରିଥିଲେ, ଏମ.ଏସ ଧୋନୀ । ମ୍ୟାଚ ସମୟରେ ସେ ୱିକେଟ କିପିଙ୍ଗ କରୁଥିବା ବେଳେ ସଚିନ୍ ସ୍ଲିପ ଅଞ୍ଚଳରେ ଫିଲ୍ଡିଙ୍ଗ କରୁଥିଲେ । ଅନେକ ଥର ସଚିନଙ୍କୁ ସେ ବିଭିନ୍ନ ପରିସ୍ଥିତିରେ ବଡ଼ ବଡ଼ ନିଷ୍ପତ୍ତି ଉପରେ ପ୍ରସ୍ତାବ ଦେଉଥିବାର କଳାକୁ ନଜର ରଖିଥିଲେ ତେନ୍ଦୁଲକର । ତେଣୁ ଧୋନୀଙ୍କୁ ଦଳର ନେତୃତ୍ୱ ଦେବା ପାଇଁ ସଚିନ୍ ବୋର୍ଡକୁ ପ୍ରସ୍ତାବ ଦେଇଥିଲେ । ଏହାପରେ ଧୋନୀଙ୍କ ନେତୃତ୍ୱରେ ଦଳ ବିଶ୍ୱକପ ଖେଳିବା ପାଇଁ ପ୍ରସ୍ତୁତ ହୋଇଥିଲା ।

ନୂଆ ଫର୍ମାଟରେ ଜଣେ ନୂଆ ଅଧିନାୟକଙ୍କ ନେତୃତ୍ୱରେ ବିଶ୍ବକପ ଖେଳିବା କେତେ ସମ୍ଭବ ହେବ, ସେତେବେଳେ ଏ ନେଇ ଖୁବ ଅଟକଳ ଲଗାଯାଇଥିଲା । ଦଳ ଲଜ୍ଜାଜନକ ଭାବରେ ପରାଜୟର ସାମ୍ନା କରିବ ବୋଲି ଆଲୋଚନା ହେଉଥିଲା । ତେବେ ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚରେ ହିଁ ଧୋନୀ ସାରା ବିଶ୍ୱକୁ ନିଜ କରିସ୍ମା ଦେଖାଇଥିଲେ । ମ୍ୟାଚ ଟାଇ ହେବା ପରେ ବୋଲ ଆଉଟ ମେଥଡରେ ପାକିସ୍ତାନକୁ ମାତ୍ ଦେବା ସହ ଭାରତ ଦମଦାର ପ୍ରଦର୍ଶନ କରି ଫାଇନାଲରେ ପହଞ୍ଚିଥିଲା । ଏହି ବିଶ୍ୱକପର ଫାଇନାଲ ମ୍ୟାଚରେ ମଧ୍ୟ ପାକିସ୍ତାନ ସହ ମଇଦାନକୁ ଓହ୍ଲାଇଥିଲା ଟିମ ଇଣ୍ଡିଆ । ସଂଘର୍ଷପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଅନେକ ବଡ଼ ବଡ଼ ନିଷ୍ପତ୍ତିରେ ଧୋନୀ ଭାରତୀୟ ଦଳକୁ ବିଜୟର ସ୍ୱାଦ ଚଖେଇଥିବା ବେଳେ ଫାଇନାଲରେ ମଧ୍ୟ ସେହିଭଳି ନିଷ୍ପତ୍ତି ନେଇଥିଲେ । ଶେଷ ଓଭରରେ ଯୋଗିନ୍ଦର ଶର୍ମାଙ୍କୁ ବୋଲିଂ କରାଇ ଭାରତକୁ ବିଶ୍ୱ ଚମ୍ପିଆନ୍ କରିଥିଲେ ମାହି ।

ଏହାପରେ ଧୋନୀଙ୍କ ଉପରେ ସାରା ଭାରତ ବିଶ୍ୱାସ କରି ନେଇଥିଲା । କିନ୍ତୁ ଧୋନୀଙ୍କ ନେତୃତ୍ୱର କାହାଣୀ ଏହିଠାରୁ ଆରମ୍ଭ ହୋଇଥିଲା । ଏହି ସିରିଜ ପରେ ଭାରତର ସବୁ ଫର୍ମାଟରେ ତାଙ୍କୁ ନେତୃତ୍ୱ ପ୍ରଦାନ କରିଥିଲା ବୋର୍ଡ । ଟି-୨୦ ପରେ ଭାରତକୁ ଦିନିକିଆ ବିଶ୍ୱକପ(୨୦୧୧) ଏବଂ ଚମ୍ପିଆନ୍ସ ଟ୍ରଫି(୨୦୧୩) ସହ ଟେଷ୍ଟରେ ମଧ୍ୟ ଦଳକୁ ଏକ ନମ୍ବରରେ ପହଞ୍ଚାଇଛନ୍ତି କ୍ୟାପଟେନ କୁଲ ମାହି । ଏହାସହିତ ସେ ବିଶ୍ୱର ସର୍ବଶ୍ରେଷ୍ଠ ଅଧିନାୟକ ପାଲଟି ଯାଇଛନ୍ତି ।

ମାହିଙ୍କ ସଫଳତାର ପ୍ରତୀକ:

• ଟି-୨୦ ବିଶ୍ୱକପ- ୨୦୦୭
• ଟେଷ୍ଟ ମେସ୍- ୨୦୧୦
• ଆଇପିଏଲ ଟ୍ରଫି- ୨୦୧୦
• ଚମ୍ପିଆନ୍ସ ଲିଗ ଟ୨୦- ୨୦୧୦
• ଏସିଆ କପ୍- ୨୦୧୦
• ଦିନିକିଆ ବିଶ୍ୱକପ୍- ୨୦୧୧
• ଟେଷ୍ଟ ମେସ୍- ୨୦୧୧
• ଆଇପିଏଲ ଟ୍ରଫି- ୨୦୧୧
• ଚମ୍ପିଆନ୍ସ ଟ୍ରଫି- ୨୦୧୩
• ଚମ୍ପିଆନ୍ସ ଲିଗ ଟି୨୦- ୨୦୧୪
• ଏସିଆ କପ୍- ୨୦୧୬
• ଆଇପିଏଲ ଟ୍ରଫି- ୨୦୧୮, ୨୦୨୧, ୨୦୨୩

Get real time updates directly on you device, subscribe now.