ଓଡିଆ ଖେଳାଳିଙ୍କୁ ଟ୍ରେନିଙ୍ଗ ଦେଉଛନ୍ତି କ୍ୟାପଟେନ କୁଲ ମାହି: ଦଳରେ ସ୍ଥାନ ପାଇବେ କି ଶୁଭ୍ରାଂଶୁ?

ନୂଆଦିଲ୍ଳୀ: ଶୁଭ୍ରାଂଶୁ ସେନାପତି, ଓଡିଶା ରଣଜୀ ଟିମର ଅଧିନାୟକ । ଏବେ କିନ୍ତୁ ତାଙ୍କ ପରିଚୟ ବଦଳି ସାରିଛି । IPLର ସବୁଠାରୁ ସଫଳ ଟିମ ଚେନ୍ନାଇ ସୁପର କିଙ୍ଗସର ସେ ପାଲଟିଛନ୍ତି ଆଉ ଏକ ଷ୍ଟାର । ୨୦୨୨ରେ ଧୋନୀଙ୍କ ନେତୃତ୍ୱରେ ଖେଳିବା ପାଇଁ ତାଙ୍କୁ ସୁଯୋଗ ମିଳିଛି । ଯାହାକୁ ନେଇ ସେ ଖୁବ ଉତ୍ସାହିତ ଅଛନ୍ତି । ତାଙ୍କର ପ୍ରଦର୍ଶନ ଦେଖି ଅକ୍ସନ ପୂର୍ବରୁ ଟ୍ରାଏଲ ପାଇଁ ଡାକିଥିଲା ଚେନ୍ନାଇର ମ୍ୟାନେଜମେଣ୍ଟ । ଏହାପରେ ତାଙ୍କୁ ନିଜ ଦଳରେ ମଧ୍ୟ ସାମିଲ କରିଛି ଚେନ୍ନାଇ ।

ନିକଟରେ ସିଏସକେ ନିଜ ଟ୍ୱିଟର ଆକାଉଣ୍ଟରେ ଶୁଭ୍ରାଂଶୁଙ୍କର ଏକ ଭିଡିଓ ପୋଷ୍ଟ କରିଛି । ଏଥିରେ ତାଙ୍କର ଖେଳିବାର ଷ୍ଟାଇଲ ସହିତ ଧୋନୀଙ୍କଠାରୁ କୌଶଳ ଶିଖୁଥିବାର ଦୃଶ୍ୟ ମଧ୍ୟ ଦେଖାଯାଇଛି । ଅଭ୍ୟାସ ସମୟରେ ଧୋନୀଙ୍କ ବ୍ୟାଟିଂ ଟ୍ରିକକୁ ସେ ଅନୁଧ୍ୟାନ କରୁଛନ୍ତି । ଧୋନୀଙ୍କ ଲମ୍ବା ଶଟ ମାରିବାର ସେହି କୌଶଳକୁ ନିଜ କ୍ଷେତ୍ରରେ ଲଗାଇବାକୁ ମଧ୍ୟ ଚେଷ୍ଟା କରୁଛନ୍ତି । ଦଳର କୋଚିଂ ଷ୍ଟାଫ ଶୁଭ୍ରାଂଶୁଙ୍କୁ କିଛି ବୁଝାଉଥିବା ମଧ୍ୟ ଦେଖିବାକୁ ମିଳିଛି । IPL ପୂର୍ବରୁ ଚେନ୍ନାଇ ତାଙ୍କୁ ଟ୍ରାଏଲ ପାଇଁ ଡାକିଥିଲା । ଏହାପରେ ମେଗା ଅକ୍ସନରେ ଦଳରେ ଯୋଡି ହୋଇଥିଲେ ଶୁଭ୍ରାଂଶୁ । ତେବେ ଚଳିତ ସିଜନରେ ତାଙ୍କୁ ସୁଯୋଗ ମିଳି ପାରୁଛି କି ନାହିଁ ତାହା ଦେଖିବାକୁ ବାକି ରହିଲା ।