ଫ୍ଲିପକାର୍ଟ ସମତେ ଏକାଧିକ ଇ-କମର୍ସ ସାଇଟ୍ ବିରୋଧରେ ମାମଲା, ଅପରାଧକୁ ଦେଉଛନ୍ତି ପ୍ରସୟ

ପୁଣେ: ମହାରାଷ୍ଟ୍ର ସାଇବର ପୋଲିସ ଫ୍ଲିପକାର୍ଟ ସମେତ ଏକାଧିକ ଇ-କମର୍ସ ସାଇଟ ବିରୋଧରେ ମାମଲା ରୁଜୁ କରିଛି । ଏ ସବୁ ସାଇଟ ଫେରାର ଗ୍ୟାଙ୍ଗଷ୍ଟାର ଦାଉଦ ଇବ୍ରାହିମ ଏବଂ ଜେଲରେ ସଜା କାଟୁଥିବା ଲରେନ୍ସ ବିଷ୍ଣୋଇଙ୍କ ଫଟୋ ଥିବା ଟିସାର୍ଟ ବିକ୍ରି କରୁଥିଲେ । ପ୍ଲିପକାର୍ଟ ବ୍ୟତୀତ ଇଟିିସି, ଏଲିଏକ୍ସପ୍ରେସ ଏବଂ ଟିସପର ଆଦି ସାଇଟରେ ଲରେନ୍ସ ଓ ଦାଉଦ ଫଟୋ ଥିବା ଟିସାର୍ଟ ବିକ୍ରି ହେଉଥିଲା । ମହାରାଷ୍ଟ୍ର୍ର ସାଇବର ୱିଙ୍ଗସ ପକ୍ଷରୁ ଅନଲାଇନ ଭିଜିଲାନ୍ସ ଏକ୍ସରସାଇଜ ଚାଲିଥିବାବେଳେ ଟିସାର୍ଟ ସମ୍ପର୍କରେ ଜଣାପଡ଼ିଥିଲା । ଏ ପ୍ରକାର ଟିସାର୍ଟ ବିକ୍ରି ହେବା ଏବଂ ଲୋକେ ଏହାକୁ ପିନ୍ଧିବା ଦ୍ୱାରା ସମାଜରେ ନକାରାତ୍ମକ ପ୍ରଭାବ ପଡ଼ିବ । ଏହାଦ୍ୱାରା ଅପରାଧ ଓ ବେଆଇନ୍ କାର୍ଯ୍ୟକଳାପ ବଢ଼ିବ ।

ଏକ ଇକର୍ସ ସାଇଟରେ ଦାଉଦ ଇବ୍ରାହିମର ଫଟୋ ଥିବା ଟିସାର୍ଟର ମୂଲ୍ୟ ୧୫୦୦ ଟଙ୍କା ଥିବା ଦେଖିବାକୁ ମିଳିଛି । ବିଭିନ୍ନ ସାଇଟରେ ଏଭଳି ଟିସାର୍ଟର ମୂଲ୍ୟ ଭିନ୍ନ ଭିନ୍ନ ରହିଥିବାବେଳେ ଏହାର ଚାହିଦା ମଧ୍ୟ ରହିଛି । ଏ ପ୍ରକାର ଟିସାର୍ଟ ବିକ୍ରି ନେଇ ଗତ ୫ ତାରିଖରେ କିଛି ସୋସିଆଲ ମିଡିଆ ଏକ୍ସ ୟୁଜର ଇକମର୍ସ ସାଇଟ ଫ୍ଲିପକାର୍ଟ, ମିସୋ ଏବଂ ଟିସପରକୁ ବ୍ୟାନ୍ କରିବାକୁ ଦାବି କରିଥିଲେ । ଜଣେ ୟୁଜର ଟିସାର୍ଟର ସ୍କ୍ରିନ ସର୍ଟ ସୋସିଆଲ ମିଡିଆରେ ଶେୟାର କରିବା ପରେ ଘଟଣାଟି ସାମ୍ନାକୁ ଆସିଥିଲା । ଲରେନ୍ସ ବିଷ୍ଣୋଇ ବର୍ତ୍ତମାନ ଗୁଜୁରାଟର ସାବରମତୀ ଜେଲରେ ସଜା କାଟୁଥିବାବେଳେ ଦାଉଦ ଫେରାର ଅଛନ୍ତି । କିନ୍ତୁ ଦୁହିଁଙ୍କ ଗ୍ୟାଙ୍ଗ ମେମ୍ବର ଏବେବି ସକ୍ରିୟ ଅଛନ୍ତି ଓ ଅପରାଧିକ କାର୍ଯ୍ୟ ଘଟାଉଛନ୍ତି ।