fbpx

ଯୁକ୍ତଦୁଇ ପରୀକ୍ଷା କେନ୍ଦ୍ରରେ CCTV ବାଧ୍ୟତାମୂଳକ: ନ ମାନିଲେ କାର୍ଯ୍ୟାନୁଷ୍ଠାନ, କଡ଼ା ପଦକ୍ଷେପ ନେଲା CHSE

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ମାର୍ଚ୍ଚ ମାସ ପହିଲାରୁ ରାଜ୍ୟରେ ଯୁକ୍ତଦୁଇ ଥିଓରି ପରୀକ୍ଷା ଆରମ୍ଭ ହେବ । ଏପ୍ରିଲ ମାସ ୫ ତାରିଖ ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ଅନ୍ୟପକ୍ଷରେ ପ୍ରାକ୍ଟିକାଲ ପରୀକ୍ଷା ଫେବୃଆରୀ ମାସ ୧ରୁ ଆରମ୍ଭ ହୋଇ ୧୦ ତାରିଖରେ ସରିବ । ଚଳିତ ବର୍ଷ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପାଇଁ ୩.୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି ।

ତେବେ ଚଳିତ ବର୍ଷ ଯୁକ୍ତଦୁଇ ପରୀକ୍ଷାକୁ ଅଧିକ କଡ଼ାକଡ଼ି କରାଯିବ । ମେଧାବୀ ଛାତ୍ରଛାତ୍ରୀମାନେ କିପରି ପରୀକ୍ଷାରେ ଭଲ ମାର୍କ ପାଇପାରିବେ ସେଥିପାଇଁ ପ୍ରାଥମିକ ସ୍ତରରୁ ବ୍ୟବସ୍ଥାକୁ କଠୋର କରାଯିବ । ଏ ଦିଗରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛିି । ଚଳିତ ବର୍ଷ ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇବାକୁ ବାଧ୍ୟତାମୂଳକ କରାଯାଇଛି ।

ଗତ ବର୍ଷ ନଭେମ୍ବର ମାସରେ ସିସିଟିଭି ଲଗାଇବା ନେଇ ସମସ୍ତ କଲେଜଗୁଡ଼ିକୁ କୁହାଯାଇଥିଲା । ଡିସେମ୍ବର ୩୦ ତାରିଖ ସୁଦ୍ଧା ଏହି କାର୍ଯ୍ୟ ସାରିବାକୁ ଡେଟ୍ ଲାଇନ୍ ଧାର୍ଯ୍ୟ କରାଯାଇଥିଲା । ତେବେ ଏବେ ବି ରାଜ୍ୟର ୪ ଶହରୁ ଅଧିକ ଶିକ୍ଷାନୁଷ୍ଠାନରେ ସିସିଟିଭି ନଥିବା ଯାଞ୍ଚରୁ ଜଣାପଡ଼ିଛି । ତେଣୁ ଏ ସମ୍ପର୍କରେ ଜାନୁଆରୀ ୧୩ ତାରିଖ ସୁଦ୍ଧା ଜଣାଇବାକୁ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷମାନଙ୍କୁ କୁହାଯାଇଛି । ଆସନ୍ତା ୨୫ ତାରିଖ ସୁଦ୍ଧା ଯେପରି ସମସ୍ତ ଶିକ୍ଷାନୁଷ୍ଠାନରେ ସିସିଟିଭି ପରିଚାଳିତ ହେବ ସେନେଇ ସିଏଚଏସଇ ପକ୍ଷରୁ ଚେତାବନୀ ଦିଆଯାଇଛି । ଏପରିକି ଏ କ୍ଷେତ୍ରରେ ଅବହେଳା ଦେଖାଦେଲେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.