ପାସପୋର୍ଟରେ ବଡ଼ ପରିବର୍ତ୍ତନ କଲେ କେନ୍ଦ୍ର ସରକାର, ଜାଣନ୍ତୁ ନିୟମ

ଆପଣଙ୍କ ପାଖରେ ପାସପୋର୍ଟ ଅଛି କି? କିମ୍ୱା ଆପଣ ପାସପୋର୍ଟ ତିଆରି କରିବାକୁ ଚାହୁଁଛନ୍ତି କି? ତାହାଲେ ଜାଣିନିଅନ୍ତୁ ପାସପୋର୍ଟର ନୂଆ ନିୟମ। କାରଣ ପାସପୋର୍ଟରେ ବଡ଼ ପରିବର୍ତ୍ତନ କରିଛନ୍ତି ସରକାର। ନହେଲେ ପଡିପାରନ୍ତି ଅସୁବିଧାରେ।

ନୂଆଦିଲ୍ଲୀ: ପାସପୋର୍ଟରେ ବଡ଼ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର। ଯେହେତୁ ଗୋଟିଏ ସ୍ଥାନରୁ ଅନ୍ୟ ଗୋଟେ ସ୍ଥାନକୁ ଯିବା ପାଇଁ ପାସପୋର୍ଟ ନିତ୍ୟାନ୍ତ ଜରୁରୀ। ବିଶେଷ କରି ବାହାର ଦେଶକୁ ଯିବା ପାଇଁ ଏହା ବେଶୀ ଜରୁରୀ।

ପାସପୋର୍ଟ ବିଦେଶଯାତ୍ରା ନିମନ୍ତେ  ସବୁଠୁ ଜରୁରୀ। ଏହି ଡକ୍ୟୁମେଣ୍ଟ ଦ୍ୱାରା କୌଣସି ବ୍ୟକ୍ତିଙ୍କ ପରିଚୟ ଓ ଜାତୀୟତା ସ୍ପଷ୍ଟ ହୋଇଥାଏ। ଆଉ ଏବେ ଏହି ପାସପୋର୍ଟ ନିୟମ ଉପରେ କେନ୍ଦ୍ର ସରକାର କିଛିଟା ପରିବର୍ତ୍ତନ କରିଛନ୍ତି।

ପାସପୋର୍ଟରେ ପରିବର୍ତ୍ତନ: ପାସପୋର୍ଟ ନିୟମ ସଂଶୋଧନ ଅନୁସାରେ ୧ ଅକ୍ଟୋବର ୨୦୨୩ ବା ଏହା ପରେ ଜନ୍ମ ନେଇଥିବା ପାସପୋର୍ଟ ଆବେଦନକାରୀଙ୍କ ନିମନ୍ତେ ଉପଯୁକ୍ତ ଅଧିକାରୀଙ୍କ ପକ୍ଷରୁ ଜାରି ପ୍ରମାଣପତ୍ର ହିଁ ଜନ୍ମ ତାରିଖର ଏକମାତ୍ର ପ୍ରମାଣ ବୋଲି ବିବେଚନା କରାଯିବ।

ସେହିପରି ଏହା ପୂର୍ବରୁ ଜନ୍ମ ହୋଇଥିବା ଲୋକମାନେ ପୁରୁଣା ନିୟମ ଅନୁସାରେ ଜନ୍ମ ତାରିଖର ପ୍ରମାଣ ସ୍ୱରୂପ ଅନ୍ୟାନ୍ୟ ଡକ୍ୟୁମେଣ୍ଟ ମଧ୍ୟ ଦାଖଲ କରିପାରିବେ। ନୂତନ ନିୟମ ଅନୁଯାୟୀ କେବଳ ଜନ୍ମ ପ୍ରମାଣପତ୍ର ବୈଧ ଅଟେ।

ନୂଆ ନିୟମ: ଜନ୍ମ ଏବଂ ମୃତ୍ୟୁ ପଞ୍ଜିକରଣ ଆଇନ ୧୯୬୯ ଅନୁଯାୟୀ ଯଦି ଆବେଦନକାରୀମାନେ ଏହି ପ୍ରମାଣପତ୍ର ଦେଖାଇ ପାରିବେ ନାହିଁ।  ତେବେ ସେମାନଙ୍କର ଜନ୍ମ ତାରିଖକୁ ବୈଧ ବିବେଚନା କରାଯିବ ନାହିଁ। ଏବଂ ପାସପୋର୍ଟ ଆବେଦନରେ ସମସ୍ୟା ଦେଖାଦେବ।

ସରକାରୀ ବିଜ୍ଞପ୍ତି ଏବଂ କାର୍ଯ୍ୟକାରୀ ତାରିଖ: ଏହି ସଂଶୋଧନକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସରକାର ଏହି ସପ୍ତାହରେ ଏକ ସରକାରୀ ବିଜ୍ଞପ୍ତି ଜାରି କରିଛନ୍ତି। ଅଧିକାରୀଙ୍କ ଅନୁଯାୟୀ, ସଂଶୋଧିତ ନିୟମଗୁଡ଼ିକ ସରକାରୀ ଗେଜେଟରେ ପ୍ରକାଶିତ ହେବା ପରେ କାର୍ଯ୍ୟକାରୀ ହେବ।

ନୂତନ ନିୟମର ପ୍ରଭାବ: ଏହି ପରିବର୍ତ୍ତନ ଯୋଗୁଁ ଏବେ ୧ ଅକ୍ଟୋବର, ୨୦୨୩ କିମ୍ବା ତା’ପରେ ଜନ୍ମିତ ଲୋକଙ୍କୁ ଜନ୍ମ ପ୍ରମାଣପତ୍ର ତିଆରି କରିବା ଉପରେ ବିଶେଷ ଧ୍ୟାନ ଦେବାକୁ ପଡିବ। କାରଣ ଅନ୍ୟ ଡକ୍ୟୁମେଣ୍ଟଗୁଡ଼ିକୁ ଜନ୍ମ ତାରିଖର ପ୍ରମାଣ ଭାବରେ ଗ୍ରହଣ କରାଯିବ ନାହିଁ। ସେହିପରି ପୁରୁଣା ଆବେଦନକାରୀମାନଙ୍କୁ ଅନ୍ୟ ବିକଳ୍ପର ସୁବିଧା ମଧ୍ୟ ଦିଆଯାଇଛି।

ପୁରୁଣା ନିୟମ: ଯେଉଁମାନେ ଅକ୍ଟୋବର ୧, ୨୦୨୩ ପୂର୍ବରୁ ଜନ୍ମଗ୍ରହଣ କରିଛନ୍ତି। ସେମାନେ ସେମାନଙ୍କର ଜନ୍ମ ତାରିଖ ପ୍ରମାଣ କରିବା ପାଇଁ ଅନ୍ୟାନ୍ୟ ଡକ୍ୟୁମେଣ୍ଟ ମଧ୍ୟ ଦାଖଲ କରିପାରିବେ।

ଯେପରିକି ଡ୍ରାଇଭିଂ ଲାଇସେନ୍ସ, ସ୍କୁଲ ଛାଡିବାର ପ୍ରମାଣପତ୍ର, ପାନ କାର୍ଡ, ଭୋଟର ପରିଚୟପତ୍ର ଓ ଜନ୍ମ ତାରିଖ ସମ୍ବଳିତ ଅନ୍ୟାନ୍ୟ ସରକାରୀ ଡକ୍ୟୁମେଣ୍ଟ। ଏହି ଡକ୍ୟୁମେଣ୍ଟଗୁଡ଼ିକ ପୂର୍ବପରି ପାସପୋର୍ଟ ଆବେଦନ ପାଇଁ ବୈଧ ବୋଲି ବିବେଚନା କରାଯିବ।