fbpx

ହସ୍ପିଟାଲ ଓ ନର୍ସିଂହୋମଗୁଡ଼ିକର ଅଗ୍ନି ନିରାପତ୍ତା ଯାଞ୍ଚ ପାଇଁ ରାଜ୍ୟମାନଙ୍କୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ ୦୫ । ୦୫ (ଓଡ଼ିଶା ଭାସ୍କର) : ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଏହି ସମୟରେ ହସ୍ପିଟାଲଗୁଡିକରେ ବେଡ଼ ଓ ଅକ୍ସିଜେନର ସମସ୍ୟା ଦେଖା ଯାଉ ଥିବାବେଳେ କେତେକ ରାଜ୍ୟରେ ଡାକ୍ତରଖାନା ଓ ନର୍ସିଂହୋମରେ ଅଗ୍ନିକାଣ୍ଡର ଖବର ସରକାରଙ୍କୁ ଚିନ୍ତାରେ ପକାଇ ଦେଇଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସରକାରମାନଙ୍କୁ ଏକ ପରାମର୍ଶଜାରି କରାଯାଇଛି । ଏଥିରେ ହସ୍ପିଟାଲ ଓ ନର୍ସିଂହୋମଗୁଡ଼ିକର ଅଗ୍ନି ନିରାପତ୍ତା ଯ଼ାଞ୍ଚ କରିବାକୁ ନିର୍ଦ୍ଦେଶ ରହିଛି ।

କେନ୍ଦ୍ର ଗୃହ ସଚିବ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟସଚିବଙ୍କୁ ଏକ ପତ୍ର ଲେଖି ଜଣାଇଛନ୍ତି । ଏଥିରେ ଉଲ୍ଲେଖ ଅଛି ଯେ ଖରାଦିନର ଉଚ୍ଚ ତାପମାତ୍ରା, ରକ୍ଷଣାବେକ୍ଷଣ ଅଭାବରୁ କିମ୍ବା ଅଧିକ ଚାପ କାରଣରୁ ସର୍ଟ ସର୍କିଟ ଘଟି ଅଗ୍ନିକାଣ୍ଡ ଘଟୁଛି । ଆଗକୁ ଯ଼େପରି ଏପରି ଅଗ୍ନିକାଣ୍ଡ ନହୁଏ, ସେଥିପ୍ରତି ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ଟିମ ଗଠନ କରିବେ । ଏହି ଟିମ ମାଧ୍ୟମରେ ହସ୍ପିଟାଲ ଓ ନର୍ସିଂହୋମଗୁଡ଼ିକର ଅଗ୍ନି ନିରାପତ୍ତା ଯ଼ାଞ୍ଚ କରାଯିବ । ରାଜ୍ୟ ସରକାରଙ୍କ ଏହି ଟିମରେ ବିଦ୍ୟୁତ, ଅଗ୍ନିଶମ ଓ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ରହିବା ଆବଶ୍ୟକ । ସେହିପରି ସେଠାକାର ଉଚ୍ଚ ପଦସ୍ତ ଅଧିକାରୀମାନେ ନିୟମିତ ଭାବେ ହସପିଟାଲଗୁଡ଼ିକୁ ଗସ୍ତ କରି ନିରାପତ୍ତା ବ୍ୟବସ୍ଥା ଯ଼ାଞ୍ଚ କରିବା ଉଚିତ । ଅନ୍ୟପକ୍ଷରେ ହସପିଟାଲଗୁଡ଼ିକୁ ନିରବଚ୍ଛିନ୍ନ ଭାବରେ ବିଦ୍ୟୁତ ଯ଼ୋଗାଣ ପାଇଁ ଏହି ପରାମର୍ଶରେ କୁହାଯ଼ାଇଛି ।

ଅନ୍ୟପଟେ କରୋନା ସମୟରେ ଦେଶର ମହାରାଷ୍ଟ୍ର, କର୍ଣ୍ଣାଟକ, ଦିଲ୍ଲୀରେ ଥିବା କେତେକ ହସପିଟାଲରେ ନିଆଁ ଲାଗି ଯାଇଥିବାରୁ ରୋଗୀମାନେ ପ୍ରାଣ ହରାଇଥିଲେ । ଏହା ପରେ ସରକାର ଏଭଳି ନିର୍ଦ୍ଦେଶ ଦେଥିବା ସୂଚନା ରହିଛି ।

Get real time updates directly on you device, subscribe now.