fbpx

ଚିନ୍ନା ଥାଲାଙ୍କୁ କିଣିଲାନି ଚେନ୍ନାଇ: ରାଇନାଙ୍କୁ ନ କିଣିବାର ରହସ୍ୟ ଖୋଲିଲେ ଚେନ୍ନାଇ ସିଇଓ କାଶୀ ବିଶ୍ୱନାଥନ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍ ର ୧୫ତମ ସଂସ୍କରଣରେ ବଡ ପଦକ୍ଷେପ ନେଇଛି ଚେନ୍ନାଇ ସୁପର କିଙ୍ଗସ । ଅନେକ ସିନିୟର ଖେଳାଳିମାନଙ୍କୁ ହରାଇ ଯୁବ ଖେଳାଳିଙ୍କ ଉପରେ ଭରଷା କରିଛି ସିଏସକେ । ଏହି ସିନିୟର ଖେଳାଳିଙ୍କ ଭିତରେ ଫାଫ ଡୁ ପ୍ଲେସିସ, ଇମ୍ରାନ ତାହିର ଏବଂ ଶାର୍ଦ୍ଦୁଳ ଠାକୁରଙ୍କ ସମେତ ଚିନ୍ନା ଥାଲା ଅର୍ଥାତ ସୁରେଶ ରାଇନାଙ୍କୁ ମଧ୍ୟ ଦଳରେ ସାମିଲ କରି ନାହିଁ । ୨୦୨୦ ସିଜନ ପର୍ଯ୍ୟନ୍ତ ଚେନ୍ନାଇର ଅଧିନାୟକ ଧୋନୀଙ୍କ ଠାରୁ ମଧ୍ୟ ଅଧିକ ମ୍ୟାଚ ଖେଳିଥିଲେ ରାଇନା । ସୁପର କିଙ୍ଗସର ଅନେକ ସୁପରହିରୋ ମଧ୍ୟରେ ସେ ଏକ ମୁଖ୍ୟ ଭୂମିକା ତୁଲାଇଥିଲେ । ୨୦୧୦, ୨୦୧୧ ଏବଂ ୨୦୧୮ ଟାଇଟଲ ବିଜୟରେ ସେ ଥିଲେ ସୂତ୍ରଧର । ତେଣୁ ଏଭଳି ଜଣେ ଖେଳାଳିଙ୍କୁ ନ କିଣିବାରୁ ପ୍ରଶଂସକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ରାଇନାଙ୍କୁ ଦଳ କଣ ପାଇଁ ଦଳରେ ସାମିଲ କରିନାହିଁ, ସେ ନେଇ ଉଠିଛି ବଡ ପ୍ରଶ୍ନ ।

ତେବେ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି ଚେନ୍ନାଇର ସିଇଓ କାଶୀ ବିଶ୍ୱନାଥନ । ଫ୍ରାଞ୍ଚାଇଜି ତରଫରୁ ଏକ ଭିଡିଓ ଜାରି କରି ସେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ରାଇନା ୧୨ ବର୍ଷ ପର୍ଯ୍ୟନ୍ତ ଦଳ ପାଇଁ ସୁନ୍ଦର ପ୍ରଦର୍ଶନ କରି ଆସିଛନ୍ତି । କିନ୍ତୁ ତାଙ୍କୁ ଦଳରେ କିଣି ନପାରିବା ଆମର ଦୁର୍ଭାଗ୍ୟ ଅଟେ । କୌଣସି ଖେଳାଳିଙ୍କୁ କିଣାଯିବା ପାଇଁ ଖେଳାଳିର ଫର୍ମ ଏବଂ ଫିଟନେସ ଉପରେ ନିର୍ଭର କରିଥାଏ । କିନ୍ତୁ ରାଇନା ଆଉ ଦଳ ପାଇଁ ସେତିକି ଫିଟ ନଜର ଆସୁ ନାହାନ୍ତି । ତେଣୁ ଦଳ ରାଇନାକୁ କିଣିବାରେ ପଛଘୁଞ୍ଚା ଦେଇଛି ବୋଲି କହିଛନ୍ତି କାଶୀ ବିଶ୍ୱନାଥନ । ଏଥି ସହିତ ଦଳର ଓପନର ଷ୍ଟାର ବ୍ୟାଟ୍ସମ୍ୟାନ ଫାଫ ଡୁ ପ୍ଲେସିସଙ୍କୁ ମଧ୍ୟ ଧନ୍ୟବାଦ ଦେଇଥିଲେ ଚେନ୍ନାଇର ସିଇଓ । ୨୦୧୧ ମସିହାରୁ ଦଳର ସଦସ୍ୟ ରହି ଆସିଛନ୍ତି ଫାଫ । ଗତବର୍ଷ ଟାଇଟଲ ବିଜୟରେ ମଧ୍ୟ ସେ ମୁଖ୍ୟ ଭୂମିକା ନିଭାଇଥିଲେ । ତେଣୁ ଦଳ ଏହି ଦୁଇ ସୁର ଷ୍ଟାରଙ୍କୁ ଖୁବ ମିସ କରିବ ବୋଲି ଏହି ଭିଡିଓରେ ପ୍ରକାଶ କରିଛନ୍ତି ଚେନ୍ନାଇର ସିଇଓ କାଶୀ ବିଶ୍ୱନାଥନ ।

Get real time updates directly on you device, subscribe now.