CGLRE 2023 ମୁଖ୍ୟ ଲିଖିତ ପରୀକ୍ଷା ନଭେମ୍ବର ୨୭ରୁ ଆରମ୍ଭ ହେବ, ଡିସେମ୍ବର ୪ରେ ସରିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା କମର୍ଚାରୀ ଚୟନ ଆୟୋଗ (ଓଏସଏସସି) ଦ୍ୱାରା ପରିଚାଳିତ ମିଳିତ ସ୍ନାତକ ସ୍ତରୀୟ ନିଯୁକ୍ତି ପରୀକ୍ଷା (ସିଜିଏଲଆରଇ)- ୨୦୨୩କୁ ନେଇ ଆସିଛି ଏକ ବଡ଼ ଖବର । ଆସନ୍ତା ୨୭ ତାରିଖରୁ ବିଭିନ୍ନ ପଦ ପାଇଁ ଲିଖିତ ପରୀକ୍ଷା ଆରମ୍ଭ ହେବ । ୨୭ ତାରିଖ ପ୍ରଥମ ସେସନରେ କମ୍ପ୍ୟୁଟର ପ୍ରୋଗ୍ରାମର ପରୀକ୍ଷା ଅନୁଷ୍ଠିତ ହେବ । ସକାଳ ୧୦ଟାରୁ ମଧ୍ୟାହ୍ନ ୧୨.୩୦ ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିବ । ପ୍ରାର୍ଥୀମାନେ ସକାଳ ୯ଟା ସମୟରେ ରିପୋର୍ଟିଂ କରିବେ । ପ୍ରତ୍ୟେକ ଭୁଲ୍ ଉତ୍ତର ପାଇଁ ୦.୫ ମାର୍କର ନେଗେଟିଭ୍ ମାର୍କିଂ ବ୍ୟବସ୍ଥା ରହିଛି ।

୨୭ ତାରିଖ ଦ୍ୱିତୀୟ ସେସନରେ ଷ୍ଟାଟିଷ୍ଟିକାଲ ଆସିଷ୍ଟାଣ୍ଟ ପରୀକ୍ଷା ଅନୁଷ୍ଠିତ ହେବ । ସେହିପରି ୨୮ ତାରିଖ ଦ୍ୱିତୀୟ ସେସନରେ ସିନିୟର ଲାବୋରେଟୋରୀ ଆସିଷ୍ଟାଣ୍ଟ ଓ ମାର୍କେଟ ଇଣ୍ଟେଲିଜେନ୍ସ ଇନ୍ସପେକ୍ଟର ପରୀକ୍ଷା ହେବ । ୩ ତାରିଖ ଦ୍ୱିତୀୟ ସେସନରେ ଇନ୍ସପେକ୍ଟର ଅଫ୍ ଲେଗାଲ ମେଟ୍ରୋଲୋଜି ଓ ୪ ତାରିଖ ଦ୍ୱିତୀୟ ସେସନରେ ଜୁନିୟର କେମିଷ୍ଟ ପରୀକ୍ଷା ଅନୁଷ୍ଠିତ ହେବ । ପ୍ରତ୍ୟେକ ଦିନ ଟେକ୍ନିକାଲ ପେପରର ୧୦୦ଟି ପ୍ରଶ୍ନ ଆସିବ ଓ ତାହା ୨୦୦ ମାର୍କ ରହିବ । ୨୭ ଓ ୨୮ ତାରିଖରେ ହେବାକୁ ଥିବା ପରୀକ୍ଷା ପାଇଁ ୨୧ ତାରିଖ ପରଠାରୁ ଏବଂ ୩ ଓ ୪ ତାରିଖରେ ହେବାକୁ ଥିବା ପରୀକ୍ଷା ପାଇଁ ୨୮ ତାରିଖ ପରଠାରୁ ପ୍ରାର୍ଥୀମାନେ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ ।