ଭୁବନେଶ୍ୱର: ଆଜି ଛାଡ଼ଖାଇ । ରବିବାର ସମସ୍ତେ ଛାଡ଼ଖାଇ ପାଳୁଛନ୍ତି । ଯାହାପାଇଁ ସକାଳୁ ଆମିଷ ବଜାରରେ ଭିଡ଼ ଦେଖିବାକୁ ମିଳିଛି । ଭୁବନେଶ୍ୱର ୟୁନିଟ-୪ ମାର୍କେଟ ଠାରୁ ଆରମ୍ଭ କରି ପ୍ରତ୍ୟେକ ଆମିଷ ହାଟ ବଜାରରେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳିଛି । ଛାଡ଼ଖାଇ ପାଇଁ ଆଜି ବଜାରରେ ମଟନ କିଲୋ ପିଛା ୮୦୦ ଟଙ୍କାରେ ବିକ୍ରି ହେଉଥିବାବେଳେ ଇଲିସି ଦାମ୍ ରହିଛି ୧୮୦୦, ନଈ ଚିଙ୍ଗୁଡ଼ି ୪୦୦, ପମଫ୍ରେଟ୍ ୭୦୦, କଙ୍କଡା ୨୦୦ରୁ ୧୬୦୦ଟଙ୍କା ଥିବାବେଳେ ବାଗଦା ଚିଙ୍ଗୁଡ଼ି ୮୦୦, ପୋହଳା ୨୫୦, ରୋହି ମାଛ ୨୦୦, ଭାକୁର ୨୫୦ ଏବଂ ମିରିକାଳୀ କିଲୋ ପ୍ରତି ୨୪୦ ଟଙ୍କାରେ ବିକ୍ରି କରାଯାଉଛି । ସରିଛି କାର୍ତ୍ତିକ ମାସ । କାର୍ତ୍ତିକ ମାସଯାକ ଆମିଷ ନ ଖାଇ ରହିଥିବା ଲୋକ ଛାଡ଼ଖାଇକୁ ହିଁ ଅପେକ୍ଷା କରି ବସନ୍ତି । ଶନିବାର ସଂକ୍ରାନ୍ତି ହେବା କାରଣରୁ ବେଶୀ ଲୋକ ଆମିଷ ଖାଇ ନ ଥିଲେ । ଛାଡ଼ଖାଇ ପାଇଁ ଆମିଷ ଦର ବଢ଼ିଥିବା ମଧ୍ୟ ଗ୍ରାହକ କହିଛନ୍ତି । ସାଧାରଣ ମୂଲ୍ୟଠାରୁ ପ୍ରତ୍ୟେକ ଆମିଷର ମୂଲ୍ୟ ୫୦ରୁ ୧୦୦ ଟଙ୍କା ବଢ଼େଇଛନ୍ତି ବେପାରୀ ।
ଆମିଷ ବଜାରରେ ଭିଡ଼ ଜମିଥିବାବେଳେ ପରିବା ବଜାର ଫାଙ୍କା ପଡ଼ିଛି । ଛାଡ଼ଖାଇ ପାଳିବା ପାଇଁ ଘରେ ଘରେ ଆମିଷ ରନ୍ଧା ହେବା ଯୋଗୁ ରବିବାର ଲୋକେ ପରିବା କିଣି ନାହାନ୍ତି । କାର୍ତ୍ତିକ ମାସସାରା ପରିବା ଦର ଆକାଶ ଛୁଆଁ ରହିଥିଲା । ଆମିଷ ଭକ୍ଷଣ ବନ୍ଦ ଯୋଗୁ ଲୋକଙ୍କୁ ପରିବା ଉପରେ ନିର୍ଭର କରିବାକୁ ପଡ଼ୁଥିଲା । ଯାହାପାଇଁ ବେପାରୀମାନେ ଚଢ଼ା ଦରେରେ ମଧ୍ୟ ପରିବା ବିକ୍ରି କରୁଥିବାର ଦେଖିବାକୁ ମିଳିଥିଲା ।