fbpx

ଚଣ୍ଡିଗଡ଼ ମେୟର ନିର୍ବାଚନ: ମଧ୍ୟରାତ୍ରରେ ଶୁଣାଣି ପରେ ଆଜି ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ

ଚଣ୍ଡିଗଡ଼: ଚଣ୍ଡିଗଡ଼ରେ ମେୟର ନିର୍ବାଚନ ପୂର୍ବରୁ ନଗର ନିଗମ କାର୍ଯ୍ୟାଳୟରେ ମଙ୍ଗଳବାର ବିଜେପି ଏବଂ ଆମ ଆଦମୀ ଦଳର କର୍ମକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ବର୍ତ୍ତମାନ ଏହି ମାମଲା ପଞ୍ଜାବ ଓ ହରିୟାଣା ହାଇକୋର୍ଟରେ ପହଂଚିଛି । ଏହି ପରିପ୍ରେକ୍ଷିରେ ମଧ୍ୟରାତ୍ରରେ ଶୁଣାଣି ହୋଇଥିବାବେଳେ ବୁଧବାର ପୁଣି ଥରେ ଶୁଣାଣି ହେବା ନେଇ କୋର୍ଟ ଆଦେଶ ଦେଇଛନ୍ତି । ଚଣ୍ଡିଗଡ଼ ପୋଲିସର ଓକିଲକୁ ଆଜି ସନ୍ଧ୍ୟା ସୁଦ୍ଧା ସମ୍ପୂର୍ଣ୍ଣ ବିବରଣୀ ଉପସ୍ଥାପନା କରିବା ନେଇ କୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଜସବୀର ସିଂହଙ୍କ ପିତା ଉଭୟ କଂଗ୍ରେସ ଏବଂ ଆପ୍ ଉପରେ ନିଜ ପୁଅକୁ ବନ୍ଧକ ରଖିଥିବା ନେଇ ଅଭିଯୋଗ କରିଥିଲେ । ପରେ ନଗର ନିଗମ କାର୍ଯ୍ୟାଳୟରେ ହୋଇଥିବା ଏହି ହଙ୍ଗାମା ପରେ ଭାରି ସଂଖ୍ୟାରେ ପୋଲିସ ଫୋର୍ସ୍ ମୁତୟନ କରାଯାଇଥିଲା । କଂଗ୍ରେସ କାଉନସିଲର ତଥା ମେୟର ପଦବୀରୁ ଜସବୀର ନାମାଙ୍କନ ପତ୍ର ପ୍ରତ୍ୟାହାର କରିବା ନେଇ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି । ଏନେଇ କଂଗ୍ରେସ ପକ୍ଷରୁ Habeas Corpus Petition ଦାଖଲ କରାଯାଇଥିଲା । ଏହି ପରିପ୍ରେକ୍ଷିରେ ହାଇକୋର୍ଟର୍ ଜଷ୍ଟିସ୍ ଆଲୋକ ଜୈନଙ୍କ ଘରେ ମଧ୍ୟ ରାତ୍ରରେ ଆବେଦନ ଉପରେ ଶୁଣାଣି ହୋଇଥିଲା ।

କହିରଖୁଛୁ ଜାନୁଆରୀ ୧୮କୁ ଚଣ୍ଡିଗଡ଼ରେ ମେୟର, ଡେପୁଟି ମେୟର ଏବଂ ବରିଷ୍ଠ ଡେପୁଟି ମେୟର ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଏହି ନିର୍ବାଚନରେ ମେୟର ପଦ ପାଇଁ କଂଗ୍ରେସ ଏବଂ ଆପ୍ ଦଳ ମଧ୍ୟରେ ମେଣ୍ଟ ହୋଇଛି । ଉଭୟ ଦଳ ପାଖରେ ମୋଟ୍ ୨୦ଟି ଭୋଟ୍ ରହିଥିବା ବେଳେ ବିଜେପି ପାଖରେ ୧୫ଟି ଭୋଟ୍ ରହିଛି ।

Get real time updates directly on you device, subscribe now.