fbpx

OSEPA ପକ୍ଷରୁ ନୋଟିଫିକେସନ: କନିଷ୍ଠ ଶିକ୍ଷକ ପରୀକ୍ଷାରେ ସଫଳ ହୋଇଥିବା ପ୍ରାର୍ଥୀଙ୍କ ପାଇଁ ବିଶେଷ ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୧୫ ତାରିଖରେ ୨୦ ହଜାର କନିଷ୍ଠ ଶିକ୍ଷକ ପଦର ପରୀକ୍ଷା ଫଳାଫଳ ଘୋଷିତ ହୋଇଥିଲା । କମ୍ପ୍ୟୁଟର ବେସଡ୍ ଟେଷ୍ଟ (ସିବିଟି) ମୋଡ଼ରେ ହୋଇଥିବା ପରୀକ୍ଷାର ଫଳାଫଳ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା)ର ଅଫିସିଆଲ ୱେବସାଇଟରେ ଜାରି କରାଯାଇଛି । କଳା, ବିଜ୍ଞାନ, ଊର୍ଦ୍ଦୁ ଓ ବଙ୍ଗଳା ଭାଷାରେ ମୋଟ ୧୮ ହଜାର ୭୮୮ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଥିଲେ ।

ବିଜ୍ଞପ୍ତି ମୁତାବକ, ସିବିଟି ପରୀକ୍ଷାରେ ସଫଳ ହୋଇଥିବା ପ୍ରାର୍ଥୀ ଓ ପ୍ରାର୍ଥୀନୀମାନେ ସେମାନଙ୍କର ରୋଲ ନମ୍ବର ଓ ଆପ୍ଲିକେସନ ଆଇଡି ଦେଇ ଓସେପା ୱେବସାଇଟରେ ନିଜ ନିଜର ରେଜଲ୍ଟ ସର୍ଚ୍ଚ କରିବେ ଓ ଆବଣ୍ଟିତ ହୋଇଥିବା ଜିଲ୍ଲାର ନାମକୁ ପରଖି ନେବେ । ଆବଣ୍ଟିତ ଜିଲ୍ଲାମାନଙ୍କରେ ପ୍ରାର୍ଥୀ ଓ ପ୍ରାର୍ଥୀନୀଙ୍କର ଓରିଜିନାଲ ଡକ୍ୟୁମେଣ୍ଟ ଭେରିଫିକେସନ କରାଯିବ । ଆସନ୍ତା ୨୦ ତାରିଖରେ କ୍ୟାଟେଗୋରୀ-୧ର ସମସ୍ତ ବର୍ଗର ସମସ୍ତ ପ୍ରାର୍ଥୀ ଓ ପ୍ରାର୍ଥୀନୀଙ୍କର ଏବଂ ୨୧ ତାରିଖରେ କ୍ୟାଟେଗୋରୀ-୨ର ସମସ୍ତ ବର୍ଗର ପ୍ରାର୍ଥୀ ଓ ପ୍ରାର୍ଥୀନୀ ଡକ୍ୟୁମେଣ୍ଟ ଯାଞ୍ଚ କରାଯିବ ।

ପ୍ରାର୍ଥୀ ଓ ପ୍ରାର୍ଥୀନୀମାନେ ସେମାନଙ୍କର ବୈଧ ପ୍ରମାଣପତ୍ରଗୁଡ଼ିକୁ ଯାଞ୍ଚ ଅଧିକାରୀଙ୍କୁ ଦେଖାଇବେ ଓ ସମସ୍ତ ପ୍ରମାଣପତ୍ରର ଗୋଟିଏ ସେଟ୍ ଜେରକ୍ସ କପି ସେଲଫ-ଆଟେଷ୍ଟେଡ କରି ଯାଞ୍ଚ ଅଧିକାରୀଙ୍କୁ ପ୍ରଦାନ କରିବେ । ଏହାସହିତ ୨ଟି ନିକଟରେ ଉଠାଯାଇଥିବା ୨ଟି ପାସପୋର୍ଟ ସାଇଜ ଫଟୋ ପ୍ରଦାନ କରିବେ । ନିର୍ଦ୍ଧାରିତ ଦିନରେ ଯଦି କୌଣସି ପ୍ରାର୍ଥୀ ଓ ପ୍ରାର୍ଥୀନୀ ଅନୁପସ୍ଥିତ ରୁହନ୍ତି ତେବେ ତାଙ୍କର ପ୍ରାର୍ଥୀତ୍ୱକୁ ବିଚାରକୁ ନିଆଯିବ ନାହିଁ । ତାଙ୍କର ନାମକୁ ସମ୍ଭାବ୍ୟ ଡ୍ରାଫ୍ଟ ମେରିଟ ଲିଷ୍ଟରୁ ବାଦ୍ ଦିଆଯିବ । ଏ ସମ୍ବନ୍ଧୀୟ ସବିଶେଷ ତଥ୍ୟ ଜାଣିବା ପାଇଁ ଓସେପା ୱେବସାଇଟରେ ଦିଆଯାଇଥିବା ଲିଙ୍କକୁ କ୍ଲିକ୍ କରନ୍ତୁ । ଏହି ନିଯୁକ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ ସ୍ୱଚ୍ଛ ଓ ନିରପେକ୍ଷ ଅଟେ । ଯଦି କୌଣସି ବ୍ୟକ୍ତି ମିଥ୍ୟା ପ୍ରଲୋଭନ ବା ନିଯୁକ୍ତି ଦେବାର ପ୍ରତିଶ୍ରୁତି ଦିଅନ୍ତି ତେବେ ସଙ୍ଗେସଙ୍ଗେ ନିକଟସ୍ଥ ପୋଲିସ ଷ୍ଟେସନରେ ଯୋଗାଯୋଗ କରନ୍ତୁ ।

Get real time updates directly on you device, subscribe now.