fbpx

ବଡ଼ ଖବର; ଚନ୍ଦ୍ରଯାନ-୩ ଲ୍ୟାଣ୍ଡିଂରେ ବିଳମ୍ବ ହୋଇପାରେ

ଓଡିଶା ଭାସ୍କର; ମିଶନ ଅଫ ମୁନକୁ ନେଇ ସାରା ଭାରତବାସୀ ଉତ୍ସାହିତ ରହିଥିବା ବେଳେ ଚନ୍ଦ୍ରଯାନ -୩ ଧୀରେ ଧୀରେ ନିଜ ଲକ୍ଷ୍ୟସ୍ଥଳ ଆଡକୁୁ ଅଗ୍ରସର ହେଉଛି । ଏହା ଚନ୍ଦ୍ରଠାରୁ ମାତ୍ର ଆଉ କିଛି କିଲୋମିଟର ଦୂରରେ ରହିଛି । ଅବତରଣ କରିବା ପାଇଁ ଯେଉଁଠାରେ ବୋଲ୍ଡର କି ଖାଲ ନଥିବ ସେଭଳି ଏକ ସୁରକ୍ଷିତ ସ୍ଥାନ ଖୋଜୁଛି । ଚନ୍ଦ୍ରର ସ୍ଥିତି ଠିକ ନ ରହିଲେ ସ୍ଥଗିତ ହୋଇପାରେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡିଂ। ଅଗଷ୍ଟ ୨୩ରେ ନ ହେଲେ ୨୭ରେ ହେବ ଚନ୍ଦ୍ରଯାନ-୩ର ସଫ୍ଟ ଲ୍ୟାଣ୍ଡିଂ ।

ଆସନ୍ତା ୨୩ ତାରିଖ ସନ୍ଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ରଯାନ-୩ ଲ୍ୟାଣ୍ଡିଂ କରିବ ବୋଲି ଇସ୍ରୋ ପକ୍ଷରୁ ସୂଚନା ରହିଛି । ଲ୍ୟାଣ୍ଡିଂର ୨ ଘଣ୍ଟା ପୂର୍ବରୁ ସ୍ଥିତିର ଅନୁଧ୍ୟାନ ହେବ। ଯଦି କୌଣସି ଅସୁବିଧା ଦେଖାଦିଏ ତାହେଲେ ୨୭ ତାରିଖରେ ସଫ୍ଟ ଲ୍ୟାଣ୍ଡିଂ ହେବ । ଏ ନେଇ ଅହମ୍ମଦାବାଦ ଇସ୍ରୋ ସ୍ପେଶ ଆପ୍ଲିକେସନ ସେଣ୍ଟର ନିର୍ଦ୍ଦେଶକ ନିଲେସ ଦେଶାଇ ସୂଚନା ଦେଇଛନ୍ତି।

ଏବେ ୨୩ ତାରିଖରେ ସଫ୍ଟ ଲ୍ୟାଣ୍ଡିଂ ନେଇ ପ୍ରସ୍ତୁତି ଚାଲିଛି । ତେବେ ସ୍ଥିରିକୃତ ସମୟ ଅନୁସାରେ ଚନ୍ଦ୍ର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩ ଲ୍ୟାଣ୍ଡିଂ କରିବ ବୋଲି ନିଲେସ ଏମ. ଦେଶାଇ ଆଶାବ୍ୟକ୍ତ କରିଛନ୍ତି । ଲ୍ୟାଣ୍ଡିଂ ସଫଳ ହେଲେ ଚନ୍ଦ୍ର ପୃଷ୍ଠରେ ସ୍ପେସକ୍ରାଫ୍ଟ ଅବତରଣ କରାଇବାରେ ଭାରତ ହେବ ବିଶ୍ବର ଚତୁର୍ଥ ରାଷ୍ଟ୍ର ।

ସୂଚନା ଯୋଗ୍ୟ, ରୁଷର ମୁନ ଭେହିକିଲ ଲୁନା-୨୫ କ୍ରାସ ହୋଇଛି । ଭାରତ ଅପେକ୍ଷା ରୁଷ ଏହି ଚନ୍ଦ୍ର ଅଭିଯାନରେ ତିନି ଗୁଣାରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିଲା । ସେହିପରି ଭାରତର ଚନ୍ଦ୍ରଯାନ-୨ ଅପେକ୍ଷା ଚନ୍ଦ୍ରଯାନ-୩ ରେ କମ ଟଙ୍କା ଖର୍ଚ୍ଚ ହୋଇଛି । ଯଦି ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ ସଫଳ ହୁଏ ତାହେଲେ ଭାରତ ହେବ ବିଶ୍ୱର ପ୍ରଥମ ରାଷ୍ଟ୍ର । କହିବାକୁ ଗଲେ ରୁଷର ଚନ୍ଦ୍ର ଅଭିଯାନ ଲୁନା-୨୫ ବିଫଳ ହେବ ପରେ ବର୍ତମାନ ଏକ ନୂଆ ଇତିହାସ ସୃଷ୍ଟି କରିବାକୁ ଭାରତ ପାଖରେ ସୁଯୋଗ ରହିଛି । ଏହି ଚନ୍ଦ୍ରଯାନ ସଫଳ ହେବା ପରେ ଭାରତ ବି ସାରା ବିଶ୍ୱରେ ପ୍ରମାଣିତ କରିଦେବ ଯେ, ଭାରତ ଦେଶ କେଉଁଥିରେ ବି କମ ନୁହେଁ ।

Get real time updates directly on you device, subscribe now.