ନୂଆଦିଲ୍ଲୀ: ଭାରତୀୟ ଦଳର ଘରୋଇ ସିଜନ ୨୦୨୪-୨୫ରେ ଏକ ବଡ଼ ପରିବର୍ତ୍ତନ କରିଛି ବିସିସିଆଇ । ଏ ନେଇ ବୋର୍ଡ ତରଫରୁ ପରିବର୍ତ୍ତିତ ସୂଚୀ ଜାରି ହୋଇଛି । ନୂଆ ଷ୍ଟାଡିୟମରେ ଖେଳାଯିବ ଭାରତର ଘରୋଇ ମ୍ୟାଚ୍ । ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚରେ ପରିବର୍ତ୍ତନ ଆଣିଛି ଭାରତୀୟ କ୍ରିକେଟ ବୋର୍ଡ । ଏହି ମ୍ୟାଚ୍ ଅକ୍ଟୋବର ୬ ତାରିଖରେ ଧର୍ମଶାଳାରେ ହେବାକୁ ଥିବା ବେଳେ ବର୍ତ୍ତମାନ ଏହା ଗ୍ୱାଲିୟରକୁ ସିଫ୍ଟ କରାଯାଇଛି । ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ୍ ଦ୍ୱାରା ଡ୍ରେସିଙ୍ଗ ରୁମ୍ ନବୀକରଣ କାର୍ଯ୍ୟ ଜାରି ରହିଛି । ଏହି କାର୍ଯ୍ୟ ଅଧାରେ ରହିଥିବାରୁ ଏହି ନିଷ୍ପତ୍ତି ନେଇଛି ବିସିସିଆଇ ।
ଗ୍ୱାଲିୟରରେ ହେବାକୁ ଥିବା ମ୍ୟାଚ୍ ସହରର ନୂଆ ଷ୍ଟାଡିୟମ୍(ଶ୍ରୀମନ୍ତ ମାଧବରାଓ ସିନ୍ଧିଆ କ୍ରିକେଟ ଷ୍ଟାଡିୟମ୍)ରେ ଖେଳାଯିବ । ଏହି ଷ୍ଟାଡିୟମରେ ପ୍ରଥମ ଥର ପାଇଁ କୌଣସି ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ ଖେଳାଯିବ । ୨୦୧୦ ଐତିହାସିକ ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ପରେ ଏହି ଷ୍ଟାଡିୟମରେ ଏହା ପ୍ରଥମ ମ୍ୟାଚ୍ ହେବ । ଏହି ଷ୍ଟାଡିୟମରେ ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର ଦ୍ୱିଶତକ ହାସଲ କରିଥିଲେ ।
🚨 NEWS 🚨
BCCI issues revised schedule for international home season (2024-25).
All the details 🔽 #TeamIndia https://t.co/q67n4o7pfF
— BCCI (@BCCI) August 13, 2024
ଏହାବ୍ୟତୀତ ବୋର୍ଡ ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଟି-୨୦ ମ୍ୟାଚ୍ ଭେନ୍ୟୁରେ ମଧ୍ୟ ପରିବର୍ତ୍ତନ କରିଛି । ଏହି ସିରିଜର ପ୍ରଥମ ଟି-୨୦ ଚେନ୍ନାଇରେ ଖେଳାଯିବାକୁ ଥିବା ବେଳେ ଏହା ଏବେ କୋଲକାତାରେ ଖେଳାଯିବ । ସେହିପରି କୋଲକାତାରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟି-୨୦ ମ୍ୟାଚ୍ ଚେନ୍ନାଇକୁ ସିଫ୍ଟ କରିଛି ଭାରତୀୟ କ୍ରିକେଟ ବୋର୍ଡ । ଇଂଲଣ୍ଡ ବିପକ୍ଷ ସିରିଜର ପ୍ରଥମ ଟି-୨୦ ମ୍ୟାଚ୍ ୨୦୨୫ ମସିହା ଜାନୁୟାରୀ ୨୨ ତାରିକରେ ଖେଳାଯିବାର ସୂଚୀ ରହିଥିବା ବେଳେ ଦ୍ୱିତୀୟ ଟି-୨୦ ୨୫ ତାରିଖରେ ଖେଳିବ ଟିମ ଇଣ୍ଡିଆ । ସାଧାରଣତନ୍ତ୍ର ଦିବସକୁ ଦୃଷ୍ଟିରେ ରଖି କୋଲକାତା ପୋଲିସ ଖେଳସୂଚୀରେ ପରିବର୍ତ୍ତନ କରିବା ପାଇଁ ଅନୁରୋଧ କରିଥିଲା ।